ଇନରହ୍ୱିଲ କ୍ଲବ ପକ୍ଷରୁ ବନ ମହୋତ୍ସବ

ଆଠଗଡ: ଆଠଗଡ ଇନରହ୍ୱିଲ କ୍ଲବ ଆନୁକୂଲ୍ୟରେ ୭୫ତମ ବନ ମହୋତ୍ସବ ବୁଧବାର ପାଳିତ ହୋଇଯାଇଛି । ରାଧାରମଣପୁରସ୍ଥିତ ଆଦର୍ଶ କାରାଗାର ନିକଟରେ କ୍ଲବ ସଭାପତି ଦୀପାଳି ଦାଶଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଚାରା ରୋପଣ ସହିତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥିଭାବେ ସହକାରୀ କାରାପାଳ ଶମ୍ଭୁନାଥ ଗିରି ଯୋଗଦେଇ ଏକ ସୁସ୍ଥ  ଓ ସ୍ୱଚ୍ଛ ପରିବେଶ ପାଇଁ ଜଙ୍ଗଲ ସମ୍ପଦର ସୁରକ୍ଷା ସହିତ ଅଧିକ ସବୁଜ ବଳୟ ସୃଷ୍ଟି ଆଜିର ଦିନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ଇନରହ୍ୱିଲ କ୍ଲବର ପରିବେଶ ସୁରକ୍ଷା ଲାଗି ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମର ପ୍ରଶଂସା କରି ଶ୍ରୀ ଗିରି ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶାବ୍ୟକ୍ତ କରିଥିଲେ । କ୍ଲବର ସଭାପତି ଶ୍ରୀମତି ଦାଶଙ୍କ ସମେତ ବରିଷ୍ଠ ସଦସ୍ୟା ମଞ୍ଜୁଲତା ମାହାଳିକ, ସୁଷମା ମିଶ୍ର, ମଞ୍ଜୁଳା ଦାସ ଓ ପୁଲିନ ମିଶ୍ର ପ୍ରମୁଖ ଉଦବୋଧନ ଦେଇ ପରିବେଶ ସୁରକ୍ଷା ନିମନ୍ତେ ବନ ମହୋତ୍ସବ ପାଳନର ମହତ୍ବ, ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିବାରୁ କ୍ଲବ ପକ୍ଷରୁ ସଦସ୍ୟା ନିରଜ ନଳିନୀ ବେହେରା ଆଦର୍ଶ କାରାଗାରର ଭାରପ୍ରାପ୍ତ ଅଧୀକ୍ଷକ ସୁଶାନ୍ତ କୁମାର ରାଉତଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ କାରାଗାର ସନ୍ନିକଟ ଖାଲି ଯାଗାରେ କ୍ଲବର ସଦସ୍ୟ, କାରାଗାର ଅଧିକାରୀ ଓ କର୍ମଚାରୀ ବିଭିନ୍ନ କିସମର ବହୁ ଚାରାରୋପଣ କରିଥିଲେ । ଉପସହକାରୀ କାରାପାଳ ମନୋଜ କୁମାର ଗଣ୍ଠିଆ, ଦିଲ୍ଲୀପ ପଣ୍ଡା, ସନ୍ତୋଷ ସେଠୀ ଓ କ୍ଲବର ଅନ୍ୟ ସମସ୍ତ ସଦସ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କ୍ଲବର ବରିଷ୍ଠ ସଦସ୍ୟା ଗାୟତ୍ରୀ ଆଚାର୍ଯ୍ୟ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.