www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ

ପୁରୀ: ଶ୍ରୀଜୀଉଙ୍କ ପହିଲି ଭୋଗ ରବିବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ। ଜାନୁଆରୀ ୧୩ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଛତିଶା ନିଯୋଗ ବୈଠକରେ ସମୟ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ରାତି ୩ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭୋର ୩ଟା ୪୫ରେ ମଙ୍ଗଳଆଳତି କରାଯିବାକୁ ସ୍ଥିର ହୋଇଛି। ସକାଳ ୫ଟାରେ ଅବକାଶ, ୫ଟା ୪୫ରେ ସୂର୍ଯ୍ୟପୂଜା ଏବଂ ୬ଟାରେ ପ୍ରଭୁଙ୍କୁ ବେଶ କରାଯିବ। ସକାଳ ୬ଟା ୨୦ରୁ ୬ଟା ୫୦ ମଧ୍ୟରେ ପହିଲି ଭୋଗ କରାଯିବ। ମହାଲକ୍ଷ୍ମୀ ବାପଘରକୁ ଯାଇଥିବାରୁ ମା’ ସହଳ ରନ୍ଧାବଢ଼ା କରି ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ସୁଭଦ୍ରାଙ୍କୁ ଖାଇବାକୁ ଦେବା ବିଧି ରହିଛି। ସେହିପରି ସକାଳ ୭ଟା ୩୦ରୁ ୯ଟା ମଧ୍ୟରେ ସକାଳଧୂପ (କେବଳ କୋଠଭୋଗ) ଏବଂ ୮ଟା ୪୫ରୁ ୧୦ଟା ୩୦ ମଧ୍ୟରେ ଭୋଗମଣ୍ଡପ କରାଯିବାକୁ ସ୍ଥିର ହୋଇଛି। ଭୋଗମଣ୍ଡପ ସମ୍ପନ୍ନ ହେବା ପରେ ଶ୍ରଦ୍ଧାଳୁ ଭକ୍ତମାନେ ଆନନ୍ଦବଜାରରେ ମହାପ୍ରସାଦ ପାଇପାରିବେ। ଦିନ ୧୧ଟାରେ ମଧ୍ୟାହ୍ନଧୂପ, ୧୨ଟା ୧୫ରେ ଦ୍ୱିତୀୟ ଭୋଗମଣ୍ଡପ, ଦିନ ୧ଟା ୩୦ରେ ଦକ୍ଷିଣିଘର ଭୋଗ କରାଯାଇ ଦିନ ୨ଟା ୩୦ରେ ମହାପ୍ରଭୁଙ୍କୁ ଦିବାପହୁଡ଼ କରାଯିବ। ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁ ବିଶ୍ରାମ କରିବେ। ଅପରାହ୍ଣରେ ଦ୍ୱାର ଫିଟାଯାଇ ସନ୍ଧ୍ୟା ୫ଟାରେ ସନ୍ଧ୍ୟାଆଳତି ଏବଂ ବେଶ କରାଯିବ। ସନ୍ଧ୍ୟା ୬ଟା ୩୦ରୁ ରାତି ୮ଟା ମଧ୍ୟରେ ସନ୍ଧ୍ୟାଧୂପ ଓ ରାତି ୯ଟାରେ ଚନ୍ଦନଲାଗି ଅନୁଷ୍ଠିତ ହେବ। ରାତି ୧୦ଟାରେ ବଡ଼ସିଂହାର ବେଶ କରାଯିବା ସହ ୧୦ଟା ୩୦ରେ ବଡ଼ସିଂହାର ଭୋଗ ହେବା କାର୍ଯ୍ୟକ୍ରମ ରହିଛି। ରାତି ୧୦ଟା ୪୫ରେ ପ୍ରଭୁଙ୍କୁ ଟୋପରଲାଗି କରାଯାଇ ରାତି ୧୧ଟାରେ ରାତ୍ରପହୁଡ଼ ଅନୁଷ୍ଠିତ ହେବ।
ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଶନିବାର ଛତିଶା ନିଯୋଗ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଆଗାମୀ ୧ତାରିଖ ନୂଆବର୍ଷରେ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଖୋଲାଯାଇ ଦର୍ଶନ ଆରମ୍ଭ ପାଇଁ ସ୍ଥିର କରାଯାଇଛି। ଏଥିପାଇଁ ଚଳିତମାସ ୩୧ ତାରିଖ ରାତି ସାଢ଼େ ୯ଟାରୁ ଶ୍ରୀଜୀଉଙ୍କୁ ପହୁଡ଼ କରାଯିବ। ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସ୍ତାବକୁ ବୈଠକରେ ଅନୁମୋଦନ କରାଯାଇଛି। ମହାପ୍ରସାଦ ଦରତାଲିକା ପ୍ରସଙ୍ଗ ବୈଠକରେ ଉଠିନଥିବା ଜଣାପଡ଼ିଛି। ଆଗାମୀ ୧୯ତାରିଖ ଦିନ କୋର୍‍ କମିଟି ବୈଠକ ଡକାଯାଇ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଏବଂ ମରାମତି ସମ୍ପର୍କରେ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ଏସ୍‍ପି ଡା. ସାର୍ଥକ କୁମାର ଷଡ଼ଙ୍ଗୀ, ପ୍ରଶାସକ (ନୀତି) ବିଶ୍ୱଜିତ ବିଶ୍ୱାଳଙ୍କ ସମେତ ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories