ନାଲଗୋଣ୍ଡା/ତେଲେଙ୍ଗାନା: ଭିନ୍ନ ଜାତିରେ ବିବାହ କରିବାର ପରିଣତି ଦେଖିବାକୁ ମିଳିଛି ତେଲେଙ୍ଗାନାର ନାଲଗୋଣ୍ଡା ଜିଲା ମିରୟାଲଗୁଡା ଟାଉନ୍ରେ। ଗର୍ଭବତୀ ପତ୍ନୀଙ୍କ ଆଖି ଆଗରେ ହିଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଛି। ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସିସିଟିଭିରେ ଏହି ଘଟଣା ରେକର୍ଡିଂ ହୋଇଛି।
ସିସିଟିଭିର ଫୁଟେଜ୍ରୁ ମିଳିଥିବା ଭିଡିଓ ରେକର୍ଡିଂରେ ଦେଖାଯାଇଛି ଯେ ୨୩ ବର୍ଷ ବୟସ୍କ ପ୍ରଣୟ କୁମାର ତାଙ୍କ ଗର୍ଭବତୀ ପତ୍ନୀ ଅମୃତା ବର୍ଷିନୀଙ୍କୁ ନେଇ ଡାକ୍ତରଖାନା ଯାଉଥିବା ବେଳେ ହଠାତ ପଛପଟରୁ ଜଣେ ବ୍ୟକ୍ତି ଏକ ଧାରୁଆ ଅସ୍ତ୍ରରେ ପ୍ରଣୟଙ୍କୁ ଆକ୍ରମଣ କରିଥିଲା। ଏହି ଦୃଶ୍ୟ ଦେଖି ଅମୃତା ଅଚେତ ହୋଇପଡ଼ିଥିଲେ। ଡାକ୍ତରଖାନାରେ ଚେତା ଫେରିବା ପରେ ସେ ଏହି ଘଟଣା ପାଇଁ ତାଙ୍କ ବାପା ଓ ଦାଦାଙ୍କୁ ଦାୟୀ କରିଛନ୍ତି। ଅନ୍ୟ ଜାତିରେ ବିବାହ କରିଥିବାରୁ ପ୍ରଣୟଙ୍କୁ ଛାଡ଼ପତ୍ର ଦେବା ଓ ଗର୍ଭପାତ କରାଇବା ପାଇଁ ପରିବାର ଲୋକେ ଅମୃତାଙ୍କ ଉପରେ ଚାପ ପକାଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଅମୃତାଙ୍କ ବାପା ମାରୁତି ରାଓ ଓ ଦାଦା ଶ୍ରବଣଙ୍କୁ ପୁଲିସ ଗିରଫ କରିଛି।
ପ୍ରଣୟ ଓ ଅମୃତାଙ୍କ ମଧ୍ୟରେ ସ୍କୁଲ୍ ସମୟରୁ ପ୍ରେମ ସମ୍ପର୍କ ଥିଲା। ପ୍ରଣୟ ଅନୁସୂଚିତ ଜାତିର ହୋଇଥିବା ବେଳେ ଅମୃତା ବୈଶ୍ୟ ଜାତିର। ଦୁଇ ପକ୍ଷର ପରିବାରର ବିରୋଧ ସତ୍ତେ୍ୱ ସେମାନେ ଗତ ୮ ମାସ ତଳେ ବିବାହ କରିଥିଲେ।
ଅନ୍ୟଜାତିରେ ବିବାହର କୁପରିଣତି: ଗର୍ଭବତୀ ସ୍ତ୍ରୀଙ୍କ ଆଗରେ ସ୍ୱାମୀଙ୍କୁ ହତ୍ୟା
Popular Categories



