www.samajalive.in
Saturday, December 13, 2025
26.1 C
Bhubaneswar

ଅଧିକାରୀଙ୍କ ଖାମଖିଆଲି ନୀତି, ସରକାରଙ୍କୁ ଜମି ମହଙ୍ଗା

ଭୁବନେଶ୍ୱର:ଜବରଦଖଲ ବଢ଼ୁଥିବା ଯୋଗୁଁ ଶହ ଶହ ଏକର ସରକାରୀ ଜମି ଏବେ ବେଆଇନ ଭାବେ ବେସରକାରୀ କବ୍‍ଜାରେ ରହିଛି। ସରକାରୀ ଖାତାରେ ଜମି ଗଡୁଥିଲେ ହେଁ ବାସ୍ତବକ୍ଷେତ୍ରରେ ତାହା ବିଭିନ୍ନ ବ୍ୟକ୍ତିବିଶେଷ କିମ୍ବା ଘରୋଇ ଅନୁଷ୍ଠାନର ଜବରଦଖଲରେ ରହୁଛି। କୌଣସି ସରକାରୀ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଖୋଜିଲା ବେଳକୁ ମିଳୁନାହିଁ। ରାଜଧାନୀ ନିକଟସ୍ଥ ଅଞ୍ଚଳରେ ଦ୍ୱିତୀୟ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରାୟ ୫ବର୍ଷ ହେଲାଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟ ୮୦୦ଏକର ଜମି ଖୋଜା ପଡିଛି। ଏନେଇ ବିମାନଚଳାଚଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ଜମି ଚିହ୍ନଟ ପାଇଁ କୁହାଗଲାଣି ହେଲେ ତାହା ଠିକଣା ହୋଇପାରୁ ନାହିଁ। ସେହିପରି ବରୁଣେଇଠାରେ ପାଇକଙ୍କ ଉଦ୍ଦେଶ୍ୟରେ ସ୍ମୃତିପୀଠପାଇଁ ଗତ ୬ମାସ ହେଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ୫୦ଏକର ଜମି ମଗା ଗଲାଣି, ମାତ୍ର ତାହା ଏପର୍ଯ୍ୟନ୍ତ ମିଳିପାରୁନାହିଁ।
ତହସିଲ ତଥା ଜିଲା ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ପାଇଁ ସରକାରଙ୍କୁ ଏବେ ସରକାରୀ ଜମି ମହଙ୍ଗା ପଡୁଛି। ଏଣିକି ତହସିଲ ଓ ଜିଲା ପ୍ରଶାସନିକ ଅଧିକାରୀଙ୍କ ଏଭଳିି ବେପରୁଆ ମନୋଭାବକୁ ବରଦାସ୍ତ କରାଯିବ ନାହିଁ। ଯେଉଁ ଜମି ସବୁ ଜବରଦଖଲକାରୀଙ୍କ କବଳରେ ରହିଛି ସେଗୁଡିକୁ ସରକାରୀ ଖାତାକୁ ଫେରାଇ ଅଣାଯିବ ଏବଂ ସରକାରୀ ଜମିକୁ ସୁରକ୍ଷା ଦିଆଯିବ। ଜମି ଫେରାଇଆଣିବା ପ୍ରକ୍ରିୟାକୁ ଯେଉଁ ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେବେ ନାହିଁ କିମ୍ବା ନ୍ୟାୟିକ ମାମଲାକୁ ଠିକଣା ଭାବେ ପରିଚାଳନା କରିବେ ନାହିଁ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ(ପ୍ରୋସିଡିଂ) ଗ୍ରହଣ କରାଯିବ। ଏହି ମର୍ମରେ ରାଜସ୍ୱ ବିଭାଗ ପକ୍ଷରୁ ନିକଟରେ ସବୁ ଜିଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦେଶନାମା ଜାରି ହୋଇଛି।
ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଚନ୍ଦ୍ରଶେଖର କୁମାର ଜିଲାପାଳମାନଙ୍କୁ ଦର୍ଶାଇଛନ୍ତି ଯେ ବିଭିନ୍ନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ସରକାରୀ ଜମିକୁ ମାଡି ବସୁଛନ୍ତି। ଏଭଳିକି ସେମାନଙ୍କଠାରୁ ସରକାର ଜମି ଫେରାଇ ଆଣିବାକୁ ଚାହିଁଲେ ମଧ୍ୟ କେତେକ କ୍ଷେତ୍ରରେ ସମ୍ଭବ ହୋଇପାରୁନାହିଁ। ସଂପୃକ୍ତ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ଏଭଳି ମାମଲାରେ ଛନ୍ଦି ଦେଉଛନ୍ତି ଯେ ପ୍ରଶାସନ ଜମି ଫେରାଇ ଆଣିବାରେ ବିଫଳ ହେଉଛି। ସମ୍ବଲପୁର ସହିତ ଅନେକ ସ୍ଥାନରେ ଏହିଭଳି ଭାବେ ବହୁ ମାମଲା ବିଭାଗ ନଜରକୁ ଆସିଛି। ସ୍ଥାନୀୟ ତହସିଲଦାର ଓ ଜିଲାପାଳ ପ୍ରଶାସନର ଦୂରଦୃଷ୍ଟି ହୀନ ଯୋଗୁଁ ସରକାର ରାଜସ୍ୱ କ୍ଷତି ସାଙ୍ଗକୁ ଜମି ହରାଉଛନ୍ତି। ଏବେ ଏହା ସରକାରଙ୍କ ପାଇଁ ଏକ ପ୍ରକାର ଆହ୍ୱାନ ସୃଷ୍ଟି କରିଛି। ଏହାକୁ ଏଣିକି ଆଉ ବରଦାସ୍ତ କରାଯିବ ନାହିଁ। ଯେଉଁଠାରେ ସରକାରୀ ଜମି ରହିଛି ଏବଂ ଯଦି ସେଥିରେ କିଛି ବିବାଦ ରହିଛି ତାକୁ ଯେଭଳି ନିୟମିତ ଓ ଠିକଣା ଭାବେ ପରିଚାଳନା ହେବ ସେଦିଗରେ ପ୍ରଶାସନିକ ଅଧିକାରୀ ପଦକ୍ଷେପ ଗ୍ରହଣ କରିବାକୁ ଡ. କୁମାର ନିର୍ଦେଶ ଦେଇଛନ୍ତି।
ଡ. କୁମାର ଦର୍ଶାଇଛନ୍ତି ଯେ ଯେକୌଣସି ମୁହୂର୍ତ୍ତରେ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପକ୍ଷରୁ ସରକାରୀ ଜମି ସଂକ୍ରାନ୍ତୀୟ ନୋଟିସ୍‍ ନ୍ୟାୟାଳୟଗୁଡିକ ମାଧ୍ୟମରେ ଆସୁଛି ତାହାକୁ ଏଣିକି ପ୍ରାଥମିକତାଭିତ୍ତିରେ ପରିଚାଳନା କରାଯିବ। ଯଦି କୌଣସି ମାମଲାରେ ସରକାରୀ ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନୋଟିସ୍‍ ଆସେ ତେବେ ତାହାକୁ ଯତ୍ନର ସହିତ ପରିଚାଳନା କରିବେ ଏବଂ ବରିଷ୍ଠ ଆଇନ ପରାମର୍ଶଦାତାଙ୍କ ସହାୟତା ନେଇପାରିବେ ବୋଲି ସେ ଦର୍ଶାଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories