www.samajalive.in
Saturday, December 6, 2025
16.1 C
Bhubaneswar

ବିନା ଛୁଞ୍ଚିର ଟିକା ‘ଜାଇକୋଭ-ଡି’ର ଯୋଗାଣ ଆରମ୍ଭ

ଅହମଦାବାଦ : ଅନ୍ୟତମ ସ୍ବଦେଶୀ କରୋନା ଟିକା ଜାଇକୋଭ-ଡିର ଯୋଗାଣ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ସରକାର ଏହି ଟିକାର ୧କୋଟି ପାନ ମଗାଇଥିବାବେଳେ କମ୍ପାନୀ ଏହାର ଯୋଗାଣ ଆରମ୍ଭ କରିଛି । ଅହମଦାବାଦସ୍ଥିତ ଔଷଧ କମ୍ପାନୀ ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ ଏହି ଟିକା ବିନା ଛୁଞ୍ଚିରେ ଦିଆଯାଇପାରିବ। ଫଳରେ ଏହି ଟିକା ନେବା ଲାଗି କୌଣସି କଷ୍ଟ କିମ୍ବା ଯନ୍ତ୍ରଣା ସହ୍ୟ କରିବାକୁ ହେବ ନାହିଁ। ଶିଶୁଙ୍କ ନିମନ୍ତେ ଏହି ଟିକା ବେଶ ଉପଯୋଗୀ ହେବ ବୋଲି ଅନୁମାନ କରାଯାଇଛି। କାରଣ ଶିଶୁମାନେ ଟିକା ନେବାକୁ ସାଧାରଣତଃ ଭୟ କରିଥାନ୍ତି। ଏହି ଟିକାର ତିନିଟି ପାନ ନେବାକୁ ପଡିବ। ବିଶ୍ବର ଏହା ପ୍ରଥମ ଛୁଞ୍ଚି ବିହୀନ ଡିଏନ୍‌ଏ ଆଧାରିତ ଟିକା। ବର୍ତ୍ତମାନ ସୁଦ୍ଧା ଯେଉଁମାନେ ଆଦୌ ଟିକା ନେଇ ନାହାନ୍ତି ସେମାନଙ୍କୁ ଏହି ଟିକା ଦିଆଯିବ। କେନ୍ଦ୍ର ସରକାରଙ୍କ ବ୍ୟତୀତ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ମଧ୍ୟ ଏହି ଟିକା ଯୋଗାଣ ଆରମ୍ଭ ହୋଇଛି। କମ୍ପାନୀ ଏହି ଟିକାକୁ ଖୁବ୍‌ଶୀଘ୍ର ଖୋଲା ବଜାରରେ ବିକ୍ରି କରିବା ଆରମ୍ଭ କରିବ ବୋଲି କହିଛି। ଏହି ଟିକାର ପ୍ରତି ପାନର ମୂଲ୍ୟ ୨୬୫ଟଙ୍କା ରଖାଯାଇଛି। ଏହି ଟିକାକୁ ଦେବା ଲାଗି ଆବଶ୍ୟକ ଜେଟ୍‌ ଆପ୍ଲିକେଟର (ଟିକା ଦେବା ଲାଗି ଆବଶ୍ୟକ ଉପକରଣ)କୁ ଅଲଗା କିଣିବାକୁ ପଡିବ। ପ୍ରତି ଜେଟ୍‌ ଆପ୍ଲିକେଟରର ମୂଲ୍ୟ ୯୩ ଟଙ୍କା ରହିଛି। ତେଣୁ ପ୍ରତି ଡୋଜ୍‌ର ମୋଟ ମୂଲ୍ୟ ୩୫୮ଟଙ୍କା ପଡିବ। ଜାଇକୋଭ-ଡି ଟିକାକୁ ଉପରୋକ୍ତ ୭ଟି ରାଜ୍ୟରେ ୧୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ଦିଆଯିବ। ୧୨ବର୍ଷରୁ ଅଧିକ ବୟସର ପିଲାଙ୍କୁ ଏହି ଟିକା ଦେବାଲାଗି ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଅନୁମୋଦନ କରିଛନ୍ତି। ଏହି ଟିକାର ପ୍ରଥମ ପାନ ଦିଆଯିବାର ୨୮ ଏବଂ ୫୬ ଦିନ ପରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ପାନ ଦିଆଯିବ। ଜାଇଡସ୍ କାଡିଲା ଏହାର ଟିକାକୁ ୨୮ହଜାର ସ୍ବେଚ୍ଛାସେବୀଙ୍କ ଠାରେ ପରୀକ୍ଷା କରିଛି। କମ୍ପାନୀର କହିବା ଅନୁଯାୟୀ ଏହି ଟିକା କରୋନା ଭୂତାଣୁ ବିରୋଧରେ ୬୬.୬୦% ପ୍ରଭାବଶାଳୀ। ଏହି ଟିକାକୁ ୨ରୁ ୮ଡିଗ୍ରୀ ତାପମାତ୍ରାରେ ଗଚ୍ଛିତ କରାଯାଇପାରିବ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories