www.samajalive.in
Sunday, December 14, 2025
14.1 C
Bhubaneswar

କୂଟନୀତି ଦ୍ୱାରା ଯୁଦ୍ଧର ପରିସମାପ୍ତି ଘଟିବ: ଜେଲେନସ୍କି

କିଭ୍‍: ସମ୍ପ୍ରତି ୟୁକ୍ରେନ ଉପରେ ରୁଷ ଚଳାଇଥିବା ଯୁଦ୍ଧାର ପରିସମାପ୍ତି କେବଳ କୂଟନୀତି ଦ୍ୱାରା ସମ୍ଭବ ହୋଇପାରିବ ବୋଲି ଦେଶର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି। କିଭ୍‍ ଓ ମସ୍କୋ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ଅଚଳବସ୍ଥା ସୃଷ୍ଟି ହୋଇଥିବାବେଳେ ଶନିବାର ଜେଲେନସ୍କି କହିଛନ୍ତି, କେବଳ କୂଟନୈତିକ ପ୍ରୟାସ ଦ୍ୱାରା ଏହା ସମାଧାନ କରାଯାଇପାରିବ। ସବୁକିଛି ପୂର୍ବ ଅବସ୍ଥାକୁ ଫେରାଇ ଆଣିବାକୁ ୟୁକ୍ରେନ ଚାହୁଁଥିବାବେଳେ ରୁଷ ତାହା ଚାହୁନଥିବା ସେ କହିଛନ୍ତି। ଆଲୋଚନାରେ ଭାଗ ନେଉଥିବା କିଭ୍‍ର ମିଖାଇଲୋ ପେଡୋଲ୍ୟାକ ଏବଂ କ୍ରେମଲିନ ମୁଖପାତ୍ର ଡିପିଟ୍ରି ପେସ୍କୋଭ ଉଭୟ କହିଛନ୍ତି ଯେ ଆଲୋଚନା ପ୍ରକ୍ରିୟା ବାସ୍ତବପକ୍ଷେ ଆଗକୁ ବଢ଼ୁନାହିଁ। ଏଥିପାଇଁ ଉଭୟ ପକ୍ଷ ପରସ୍ପରକୁ ଦାୟୀ କରିଛନ୍ତି। ଦୁଇ ରାଷ୍ଟ୍ର ମଧ୍ୟରେ ଶେଷଥର ପାଇଁ ଏପ୍ରିଲ ୨୨ରେ ଆଲୋଚନା ହୋଇଥିଲା। ରୁଷ ସୈନ୍ୟମାନେ କିଭ୍‍ ଦଖଲରେ ବିଫଳ ହେବାପରେ ସମ୍ପ୍ରତି ୟୁକ୍ରେନ ପୂର୍ବଭାଗରେ ନିଜର ଦୃଷ୍ଟି ନିବଦ୍ଧ କରିଛନ୍ତି। ସେଠାରେ ଦୁଇ ପକ୍ଷ ସୈନ୍ୟଙ୍କ ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି। ଇତିମଧ୍ୟରେ ଏସୀୟ ରାଷ୍ଟ୍ର ଗସ୍ତରେ ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ୟୁକ୍ରେନ ପାଇଁ ୪୦ ବିଲିଅନ ଡଲାର ସହାୟତା ପ୍ରସ୍ତାବରେ ସ୍ୱାକ୍ଷର କରିଛନ୍ତି। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ରୁଷ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ସହିତ ୯୬୩ ଜଣ ଆମେରିକୀୟଙ୍କ ରୁଷ ଗସ୍ତ ଉପରେ କଟକଣା ଲଗାଇଛନ୍ତି। ରୁଷ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ ଯୋଗାଇ ଦିଆଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ରକୁ ଏହା ନଷ୍ଟ କରିଦେଇଛି। ଏହି ଅସ୍ତ୍ରଶସ୍ତ୍ର ରେଳ ଯୋଗେ ପରିବହନ କରାଯିବା ସମୟରେ ଜ୍ୟୋତୋମିର ଅଞ୍ଚଳର ମାଲିନ ରେଳ ଷ୍ଟେସନ ନିକଟରେ ରୁଷର କାଲିବର କ୍ଷେପଣାସ୍ତ୍ର ମାଡରେ ସେଗୁଡିକ ଧ୍ୱଂସ ପାଇଯାଇଛି। ସେଥିମଧ୍ୟରେ ଦୂରଗାମୀ କ୍ଷେପଣାସ୍ତ୍ର ଥିବା କୁହାଯାଇଛି।

ବ୍ରିଟେନର ବୈଦେଶିକ ସଚିବ ଲିଜ୍‍ ଟ୍ରସ୍‍ କହିଛନ୍ତି, ନାଟୋ ସଦସ୍ୟ ରାଷ୍ଟ୍ରଗୁଡିକ ମଲଡୋଭାକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବିଷୟରେ ବିଚାର କରୁଛନ୍ତି। ସେ କହିଛନ୍ତି, ୟୁକ୍ରେନ ସହିତ ମଲଡୋଭାରେ ଯେଭଳି ଅତ୍ୟାଧୁନିକ ପ୍ରତିରକ୍ଷା ବ୍ୟବସ୍ଥା ରହିବ, ତାହା ନାଟୋ ଚାହୁଁଛି। ଏହି ପ୍ରସଙ୍ଗରେ ନାଟୋ ରାଷ୍ଟ୍ରଗୁଡିକ ଏକମତ ହେଲେ ମଲଡୋଭାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ଏବଂ ସେଗୁଡିକ ସୋଭିଏତ୍‍ ସମୟର ଅସ୍ତ୍ରଶସ୍ତ୍ର ସ୍ଥାନ ନେବ। ତାହାସହିତ ମଲଡୋଭା ସେନାକୁ ତାଲିମ ମଧ୍ୟ ଦିଆଯିବ। ମାରିଉପୋଲର ଆଜୋଭସ୍ତଲ ଇସ୍ପାତ କାରଖାନା ମଧ୍ୟରେ ରହିଥିବା ୟୁକ୍ରେନ ସୈନ୍ୟମାନେ ଆତ୍ମସମର୍ପଣ କରିବା ପରେ ସମୁଦାୟ ମାରିଉପୋଲକୁ ଦଖଲ କରିଥିବା ରୁଷ ଦାବି କରିଛି। ୟୁକ୍ରେନ ଯୁଦ୍ଧରେ ଏହା ରୁଷ ପାଇଁ ସବୁଠାରୁ ବଡ ବିଜୟ ଭାବରେ ବିବେଚନା କରାଯାଉଛି। ଅନ୍ୟପକ୍ଷରେ ଏକ ସୂତ୍ରରୁ ଜଣାଯାଇଛି ଯେ ଉକ୍ତ ଇସ୍ପାତ କାରଖାନା ମଧ୍ୟରେ ଏବେ ମଧ୍ୟ ଆଉ କିଛି ୟୁକ୍ରେନ ସେନା କମାଣ୍ଡର ରହିଛନ୍ତି। ଏଥିସହିତ ରୁଷ ତାହାର ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶନିବାର ଠାରୁ ଫିନଲାଣ୍ଡକୁ ଗ୍ୟାସ ଯୋଗାଣ ବନ୍ଦ ରଖିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories