ଜାହିର୍‌ଙ୍କ ପରି ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି ଖଲିଲ୍‌

ଲୌଡରହିଲ୍‌ : ଭାରତର ପ୍ରଖ୍ୟାତ ବାମହାତୀ ଦ୍ରୁତ ବୋଲର ଜାହିର୍‌ ଖାନ୍‌ ନିଜ କ୍ୟାରିୟରରେ ଯେଉଁ ଖ୍ୟାତି ଅର୍ଜନ କରିଥିଲେ ସେପରି ଖ୍ୟାତି ଅର୍ଜନ କରିବାକୁ ତାଙ୍କର ଆଶା ରହିଛି ବୋଲି ମତ ଦେଇଛନ୍ତି ଯୁବ ଭାରତୀୟ ବାମହାତୀ ବୋଲର ଖଲିଲ୍‌ ଅହମ୍ମଦ।
ଭାରତୀୟ କ୍ରିକେଟ୍ ଇତିହାସକୁ ଅନୁଧ୍ୟାନ କଲେ ଜାହିର୍‌ ଖାନ୍, ଆଶିଷ ନେହେରା, ଇର୍ଫାନ୍‌ ପଠାନ୍‌ଙ୍କ ଭଳି ବାମହାତୀ ବୋଲର ନିଜ ପ୍ରଦର୍ଶନ ବଳରେ ଦଳକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଥିଲେ। ଅନ୍ୟପକ୍ଷରେ ବରିନ୍ଦର ଓ ଜୟଦେବ ଉନାଦକାତ୍‌ଙ୍କ ଭଳି ବାମହାତୀ ବୋଲର ମିଳିଥିବା ସୁଯୋଗକୁ ଠିକ୍‌ ଭାବେ ବର୍ତ୍ତମାନ ପର୍ଯ୍ୟନ୍ତ ଉପଯୋଗ କରିପାରି ନାହାନ୍ତି। ୨୧ ବର୍ଷୀୟ ଖଲିଲ୍‌ ଗତବର୍ଷ ସେପ୍ଟେମ୍ବରରେ ଭାରତୀୟ ଦିନିକିଆ ଦଳ ତରଫରୁ ନିଜ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବେଶ୍ ପ୍ରତିଭାସମ୍ପନ୍ନ ଏହି ଦ୍ରୁତ ବୋଲର ଜଣକ ଆଗାମୀ ଦିନରେ ଦୀର୍ଘଦିନ ପର୍ଯ୍ୟନ୍ତ ଭାରତକୁ ପ୍ରତିନିଧିତ୍ବ କରିବେ ବୋଲି ଆଶା ରଖିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଲିଲ୍‌ କହିଥିଲେ ଜାହିର୍‌ ଖାନ୍‌ ହେଉଛନ୍ତି ତାଙ୍କ ଆଦର୍ଶ। ଦୀର୍ଘ ୧୪ ବର୍ଷ ଜାତୀୟ ଦଳକୁ ପ୍ରତିନିଧିତ୍ବ କରିବା କିଛି କମ୍‌ କଥା ନୁହେଁ। ଜାହିର୍‌ ନିଜ କ୍ୟାରିୟରରେ ଯେଉଁ ଖ୍ୟାତି ଅର୍ଜନ କରିଥିଲେ ସେହିପ୍ରକାର ଖ୍ୟାତି ସେ ମଧ୍ୟ ଅର୍ଜନ କରିବାକୁ ଚାହାନ୍ତି। ଜାହିର୍‌ ଯେତେବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ ସେତିକି ବର୍ଷ ଖେଳିବାକୁ ସେ ମଧ୍ୟ ଆଶା ରଖିଛନ୍ତି। ଦୀର୍ଘବର୍ଷ ପର୍ଯ୍ୟନ୍ତ ଜାରତୀୟ ଦଳକୁ ପ୍ରତିନିଧିତ୍ବ କରି ନିଜ ବୋଲିଂ ମାଧ୍ୟମରେ ଦଳକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇବା ତାଙ୍କ ଲକ୍ଷ୍ୟ।
ଜାହିର୍‌ ଖାନ୍‌ ବୋଲିଂ କରିବାକୁ ଆରମ୍ଭ କଲା ବେଳେ ଷ୍ଟାଡ଼ିୟମରେ ଉପସ୍ଥିତ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଏକ ନୂଆପ୍ରକାର ଉତ୍ସାହ ଦେଖା ଦେଉଥିଲା। ନିଜ କ୍ୟାରିୟରରେ ସେପରି ଲୋକପ୍ରିୟ ବୋଲର ହେବାକୁ ତାଙ୍କର ଲକ୍ଷ୍ୟ ବୋଲି ଖଲିଲ୍‌ ସ୍ପଷ୍ଟ କରି ଦେଇଛନ୍ତି। ଯେତେବେଳେ ଆବଶ୍ୟକ ପଡେ ସେ ପରାମର୍ଶ ପାଇଁ ଜାହିର୍‌ଙ୍କ ନିକଟକୁ ଯାଇଥାନ୍ତି ଏବଂ ଜାହିର ମଧ୍ୟ ସର୍ବଦା ତାଙ୍କୁ ଉପଯୁକ୍ତ ପରାମର୍ଶ ଦେଉଥିବା ଖଲିଲ୍‌ କହିଛନ୍ତି। ଭାରତୀୟ ଦଳରେ ଖେଳିବାର ସୁଯୋଗ ମିଳିବା ତାଙ୍କ ପାଇଁ ସବୁଠାରୁ ଗୌରବର ବିଷୟ। ଭଲ ପ୍ରଦର୍ଶନ ଦ୍ବାରା ଦଳକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇବାକୁ ସେ କଠିନ ପରିଶ୍ରମ କରୁଥିବା ଖଲିଲ୍‌ ମତ ଦେଇଛନ୍ତି। ଖଲିଲ୍‌ ବର୍ତ୍ତମାନ ସୁଦ୍ଧା ଭାରତ ତରଫରୁ ୮ଟି ଦିନିକିଆ ଓ ୧୧ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ସାରିଛନ୍ତି। ଗତବର୍ଷ ଖେଳାଯାଇଥିବା ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ପ୍ରଥମଥର ପାଇଁ ଖଲିଲ୍‌ ଭାରତୀୟ ଦଳରେ ସାମିଲ ହୋଇଥିଲେ। ଭାରତକୁ ଏସିଆ କପ୍‌ ଚମ୍ପିଆନ୍‌ କରାଇବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ପରବର୍ତ୍ତୀ ସମୟରେ ୱେଷ୍ଟଇଣ୍ଡିଜ ବିପକ୍ଷ କ୍ରିକେଟ୍ ସିରିଜ୍‌ରେ ମଧ୍ୟ ସେ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ଏହି ଦୁଇଟି ପ୍ରଦର୍ଶନକୁ ଆଧାର କରି ଖଲିଲ୍‌ଙ୍କୁ କ୍ରିକେଟ୍ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ ଖଲିଲ୍‌ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବାକୁ ବିଫଳ ହୋଇଥିଲେ। ଏ ସଂପର୍କରେ ମତ ଦେଇ ଖଲିଲ୍‌ କହିଥିଲେ ବିଶ୍ବକପ୍‌ ଦଳରେ ସ୍ଥାନ ପାଇନଥିବାରୁ ସେ ବିଶେଷ ଦୁଃଖିତ ନ ଥିଲେ। ବିଶ୍ବକପ୍‌ ପାଇଁ ଭାରତୀୟ ଦଳରେ ସାମିଲ ହେବାକୁ ତାଙ୍କୁ ଅଧିକ ପ୍ରସ୍ତୁତି କରିବାକୁ ପଡ଼ିବ ବୋଲି ସେ ବୁଝି ସାରିଥିଲେ। ବର୍ତ୍ତମାନ ତାଙ୍କୁ କମ୍‌ ବୟସ ହୋଇଥିବା ବେଳେ ଆଗକୁ ଲମ୍ବା ରାସ୍ତା ପଡ଼ିଛି। କଠିନ ପରିଶ୍ରମ କରି ନିଜକୁ ଦକ୍ଷ ବୋଲର ଭାବେ ପ୍ରମାଣିତ କରିପାରିଲେ ବିଶ୍ବକପ୍‌ ଦଳରେ ତାଙ୍କୁ ଆପେ ସୁଯୋଗ ମିଳିବ ବୋଲି ଖଲିଲ୍‌ କହିଛନ୍ତି। ବିଶ୍ବକପ୍‌ ସମୟରେ ଇଂଲଣ୍ଡରେ ଭାରତୀୟ ଦଳର ନେଟ୍‌ସ ବୋଲର ଭାବେ ତାଙ୍କ ଅଭିଜ୍ଞତା କ’ଣ ଥିଲା ବୋଲି ପ୍ରଶ୍ନର ଉତ୍ତରରେ ଖଲିଲ୍‌ କହିଥିଲେ ନେଟ୍‌ସରେ ବିରାଟ କୋହଲି, ଶିଖର ଧାୱନ୍‌ ଏବଂ ରୋହିତ ଶର୍ମାଙ୍କ ପରି ତାରକା ବ୍ୟାଟସମ୍ୟାନ୍‌ଙ୍କୁ ବୋଲିଂ କରିବାର ସୁଯୋଗ ମିଳିଲା। ଇଂଲଣ୍ଡ ପରିବେଶରେ କିପରି ବୋଲିଂ କଲେ ସଫଳତା ମିଳେ ତାହା ମଧ୍ୟ ଶିକ୍ଷାଲାଭ କରିପାରିଲେ। ଆଗାମୀ ଦିନରେ ଏହି ଶିକ୍ଷା ତାଙ୍କୁ ବହୁଭାବେ ସହାୟକ ହେବ।
ୱେଷ୍ଟଇଣ୍ଡିଜ ବିପକ୍ଷ ଟ୍ବେଣ୍ଟି୨୦ ଓ ଦିନିକିଆ ସିରିଜ୍‌ରେ ଖଲିଲ୍‌ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ବୋଲିଂ ବ୍ୟତୀତ ବ୍ୟାଟିଂ​‌େ​‌ର ମଧ୍ୟ ଉନ୍ନତି ଆଣିବାକୁ ସେ ପ୍ରୟାସ ଜାରି ରଖିଥିବା ଖଲିଲ୍‌ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିମ୍ନକ୍ରମର ବ୍ୟାଟସମ୍ୟାନ୍‌ ରନ୍‌ ସଂଗ୍ରହ କରିପାରିଲେ ଦଳର ବିଜୟ ସମ୍ଭାବନା ବେଶ୍ ବଢ଼ିଯାଏ, ଏହାକୁ ଦୃଷ୍ଟିରେ ରଖି ସେ ନେଟ୍‌ସରେ ବୋଲିଂ ସହ ବେଶ୍‌ କିଛିସମୟ ବ୍ୟାଟିଂ ଅଭ୍ୟାସ କରୁଥିବା ଖଲିଲ୍‌ କହିଛନ୍ତି।

Comments are closed.