ନ୍ୟାସନାଲ ହେରାଲ୍ଡ ମାମଲା; ୟଙ୍ଗ୍‌ ଇଣ୍ଡିଆନ ସଂସ୍ଥାକୁ ହାଇକୋର୍ଟଙ୍କ ନିର୍ଦେଶ

0

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଦିଲ୍ଲୀ ହାଇକୋର୍ଟ ସୋମବାର ୟଙ୍ଗ୍‌ ଇଣ୍ଡିଆନ ପ୍ରାଇଭେଟ ଲିମିଟେଡ ସଂସ୍ଥାକୁ ଆୟକର ବାବଦରେ ୧୦ କୋଟି ଟଙ୍କା ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ନ୍ୟାସନାଲ ହେରାଲ୍ଡ ସମ୍ପାଦପତ୍ରର ପ୍ରକାଶନ ଦାୟିତ୍ୱରେ ଥିବା ୟଙ୍ଗ୍‌ ଇଣ୍ଡିଆନ ସଂସ୍ଥାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ତାଙ୍କ ମାଆ ସୋନିଆ ଗାନ୍ଧିଙ୍କର ପ୍ରଚୁର ଅଂଶଧନ ରହିଛି। ନ୍ୟାସନାଲ ହେରାଲ୍ଡର ପ୍ରକାଶନ ବନ୍ଦ ହୋଇସାରିଥିଲେ ସୁଦ୍ଧା ଏହି ସଂସ୍ଥା ବିରୋଧରେ ୨୦୧୧-୧୨ ଆର୍ଥôକବର୍ଷ ପାଇଁ ୨୪୯.୧୫ କୋଟି ଟଙ୍କାର ଟିକସ ବକେୟା ରହିଛି ବୋଲି ଆୟକର ବିଭାଗ ପକ୍ଷରୁ ନୋଟିସ ଦିଆଯାଇଥିଲା। ପୂର୍ବରୁ ଦିଲ୍ଲୀର ଏକ ନିମ୍ନ ଅଦାଲତ ଏହି ମାମଲାରେ ଉଭୟ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ସମନ ଜାରି କରିବା ସହ ସେମାନଙ୍କର ବୟାନ ମଧ୍ୟ ରେକର୍ଡ କରିଥିଲେ। ୟଙ୍ଗ୍‌ ଇଣ୍ଡିଆନ ସଂସ୍ଥା ପକ୍ଷରୁ ୧୦ କୋଟି ଟଙ୍କା ଜମା କରାଯିବାପରେ ମାମଲାର ଚୂଡାନ୍ତ ଶୁଣାଣି ପର୍ଯ୍ୟନ୍ତ ଆୟକର ବିଭାଗ ଆଉ ୨୪୯.୧୫ କୋଟି ଟଙ୍କା ଦାବି କରିପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୫କୁ ଧାର୍ଯ୍ୟ କରାଯାଇଛି।
ସୂଚନାଯୋଗ୍ୟ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱିତ କରିବାକୁ ୧୯୩୮ରେ ‘ନ୍ୟାସନାଲ ହେରାଲ୍ଡ’ ନାମକ ସମ୍ପାଦପତ୍ରର ପ୍ରକାଶନ ଆରମ୍ଭ କରିଥିଲେ। ସେତେବେଳେ ଏହାର ମାଲିକାନା ସ୍ୱତ୍ୱ ‘ଆସୋସିଏଟେଡ ଜର୍ଣ୍ଣାଲ ଲିମିଟେଡ’ ନାମକ କମ୍ପାନୀ ନାମରେ ଥିଲା। ପରବର୍ତ୍ତୀ ସମୟରେ କୌଣସି କାରଣରୁ ଏହି ସମ୍ବାଦପତ୍ରର ପ୍ରକାଶନ ବନ୍ଦ ହୋଇଯାଇଥିଲା। ୨୦୧୦ରେ ୫୦ ଲକ୍ଷ ଟଙ୍କା ମୂଳଧନରେ ‘ୟଙ୍ଗ୍‌ ଇଣ୍ଡିଆନ’ ସଂସ୍ଥା ସ୍ଥାପନ କରାଯାଇଥିଲା। ଏଥିରେ ସୋନିଆ ଓ ରାହୁଲ ପ୍ରମୁଖ ଅଂଶୀଦାର ଥିଲେ। ତେବେ ଚକ୍ରାନ୍ତ କରି ଏମାନେ ନ୍ୟାସନାଲ ହେରାଲ୍ଡର ସମ୍ପତ୍ତି ହଡପ କରିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଥିଲା।

Leave A Reply