ଆଦିତ୍ୟନାଥଙ୍କ ସରକାରକୁ ବର୍ଷେ ପୂରିଲା

0

ଲକ୍ଷ୍ନୌ : ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଉତ୍ତରପ୍ରଦେଶ ସରକାରକୁ ମଙ୍ଗଳବାର ଏକବର୍ଷ ପୂରଣ ହୋଇଛି। ୧୯ ମାର୍ଚ୍ଚ ୨୦୧୭ରେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ୨୧ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ବିଧାନସଭା ନିର୍ବାଚନରେ ମୋଟ ୪୦୩ଟି ଆସନରୁ ୩୨୫ଟି ଆସନରେ ବିଜୟୀ ହୋଇ ବିଜେପି ନେତୃତ୍ୱ ମେଣ୍ଟ ସରକାର ଗଠନକୁ ଦାବିଦାର ହୋଇଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦଳରେ ଅନେକ ପର୍ଯ୍ୟାଲୋଚନା ହେବା ପରେ ଶେଷରେ ଆଦିତ୍ୟନାଥ ଏହି ପଦ ପାଇଁ ମନୋନୀତ ହୋଇଥିଲେ। କ୍ଷମତାର ଏକବର୍ଷ ପୂରଣ ଅବସରରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ମଙ୍ଗଳବାର ଏକ ଦୁର୍ନୀତି ନିରୋଧୀ ପୋର୍ଟାଲ ଶୁଭାରମ୍ଭ କରିଛନ୍ତି। ସରକାରୀ କାର୍ଯ୍ୟ ପାଇଁ ଯଦି କୌଣସି ଅଧିକାରୀ ଅର୍ଥ ଦାବି କରନ୍ତି ତେବେ ସାଧାରଣ ନାଗରିକ ଏହି ପୋର୍ଟାଲ ମାଧ୍ୟମରେ ନିଜର ଅଭିଯୋଗ ଜଣାଇପାରିବେ। ଏପରିକି ଲାଞ୍ଚ କାରବାର ସମ୍ପର୍କିତ ଭିଡିଓ ଓ ଅନ୍ୟ ପ୍ରମାଣକୁ ଏଥିରେ ପୋଷ୍ଟ କରିପାରିବେ। ଅନ୍ୟପଟେ ରାଜ୍ୟ ସରକାରଙ୍କ ୬୪ଟି ବିଭାଗରେ ୪ଲକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ଏଥିପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଆଦିତ୍ୟନାଥ କହିଛନ୍ତି। କନଷ୍ଟେବଳ ଠାରୁ ସବ୍‌ ଇନ୍ସପେକ୍ଟର ଓ ବ୍ଲକ ଉନ୍ନୟନ ଅଧିକାରୀ ଠାରୁ ରାଜସ୍ୱ ଅଧିକାରୀ ପର୍ଯ୍ୟନ୍ତ ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ। ନିଜ ସରକାରର ସଫଳତା କହିବାକୁ ଯାଇ ଆଦିତ୍ୟନାଥ କହିଛନ୍ତି ଯେ ରାଜ୍ୟରେ ଏବେ ଆଇନଶୃଙ୍ଖଳା ପ୍ରତିଷ୍ଠା ହୋଇପାରିଛି। ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ପରୀକ୍ଷାରେ ହେଉଥିବା କପିକୁ ରୋକାଯାଇଛି। ଯଦ୍ଦ୍ୱାରା ୧୨ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷାରୁ ଓହରି ଯାଇଥିଲେ। ରାସନ କାର୍ଡ ବଣ୍ଟନ କ୍ଷେତ୍ରରେ ହୋଇଥିବା ବଡ ଧରଣର ଦୁର୍ନୀତିକୁ ରୋକାଯାଇଛି। ସରକାରଙ୍କ ଯାଞ୍ଚ ଦ୍ୱାରା ୩୦ଲକ୍ଷ ଜାଲ ରାସନ କାର୍ଡକୁ ବାଜ୍ୟାପ୍ତ କରାଯାଇଛି। ବିଜେପି ସରକାର କ୍ଷମତାକୁ ଆସିବା ପରେ କୃଷକଙ୍କ ଋଣ ଛାଡ କରିଛନ୍ତି। ଏହାଦ୍ୱାରା ୮୬ ଲକ୍ଷ କୃଷକ ଉପକୃତ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ଷମତାର ଏକବର୍ଷ ପୂରଣ ଉପଲକ୍ଷେ ଏକ ବୁକଲେଟ ପ୍ରକାଶ କରାଯାଇଛି। ‘ଏକ ସାଲ-ନୟି ମିଶାଲ’ ନାମରେ ପ୍ରକାଶିତ ବୁକଲେଟ୍‌ର ସ୍ଲୋଗାନ ରହିଛି ‘ହୁଆ ବିକାଶ-ବଢା ବିଶ୍ୱାସ’।
ଅନ୍ୟପଟେ ରାଜ୍ୟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିବା ପ୍ରକାଶ ରାଜଭର କହିଛନ୍ତି ଯେ ଏକ ବର୍ଷ ମଧ୍ୟରେ ତାଙ୍କ ସରକାର କୌଣସି ପ୍ରକାର ସଫଳତା ହାସଲ କରିନାହିଁ ଯାହାକୁ ଲୋକଙ୍କ ଆଗରେ କୁହାଯାଇପାରିବ। ସରକାରରେ ସହଯୋଗୀ ଦଳ ରହିଥିବା ସୁଲେଦେବ ଭାରତୀୟ ସମାଜ ପାର୍ଟି ମୁଖ୍ୟ ରାଜଭର କହିଛନ୍ତି ଯେ ସରକାର ବିରୋଧରେ ପ୍ରଶ୍ନ ଉଠାଇବାକୁ କେହି ସାହସ କରିପାରୁ ନାହାନ୍ତି। ଯଦି କେହି ସରକାର ବିରୋଧରେ ସ୍ୱର ଉଠାଏ ତେବେ ଏହାକୁ ବିଦ୍ରୋହ ବୋଲି କୁହାଯାଉଛି। ସତ କହିବା ଯଦି ବିଦ୍ରୋହ ତେବେ ସେ ଏପରି ବିଦ୍ରୋହ କରିବାକୁ ପଛଘୂଞ୍ଚା ଦେବେ ନାହିଁ ବୋଲି ରାଜଭର କହିଛନ୍ତି।

Leave A Reply