-ଉର୍ଜାର ସ୍ଥାୟୀ ଭିତିଭୂମି ହେଲେ ସମସ୍ତଙ୍କ ଉର୍ଜା ଆବଶ୍ୟକତାକୁ ପୂରଣ କରିହେବ
-ଭବିଷ୍ୟତର ଉର୍ଜା କ୍ଷେତ୍ର ନୂଆ ଟେକ୍ନୋଲୋଜି ଏବଂ ବ୍ୟବସାୟିକ ମଡେଲ୍ ଦ୍ୱାରା ପରିଚାଳିତ ହେବ
-ଭାରତ ସରକାରଙ୍କ ଉର୍ଜା ନୀତି ଲୋକଙ୍କ ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବାର ବାଟ ଦେଖାଉଛି
-ଆଗାମୀ ଦିନ ମାନଙ୍କରେ ଦେଶରେ ଉର୍ଜା ବ୍ୟବହାର ବୃଦ୍ଧି ପାଇବା ନିଶ୍ଚିତ
-ଦେଶରେ ଗ୍ୟାସ ଭିତିଭୂମିକୁ ସଦୃଢ କରିବା ପାଇଁ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯିବ
-୨୦୨୪ ସୁଦ୍ଧା ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ଦେଶର ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତନ କରିବ
ନୂଆଦିଲ୍ଲୀ : ନୂଆ ଭାରତ ନିର୍ମାଣ କରିବା ଦିଗରେ ଉର୍ଜାର ଏକ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ କରିବାର ଆବଶ୍ୟକତା ରହିଛି। ଯଦ୍ୱାରା ସମସ୍ତଙ୍କର ଉର୍ଜା ଆବଶ୍ୟକତାକୁ ପୂରଣ କରାଯାଇପାରିବ ବୋଲି ଶନିବାର ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ୧୦ମ ବିଶ୍ୱ ପେଟ୍ରୋକୋଲ୍ କଂଗ୍ରେସର ଉଦଘାଟନ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ସରକାରଙ୍କ ଉର୍ଜା ନୀତି ଉର୍ଜାର ଉପଲବ୍ଧି, ସ୍ଥାୟୀ ଉର୍ଜା, ଦକ୍ଷତା, କ୍ଷମତା ଓ ଉର୍ଜା ସୁରକ୍ଷା ଉପରେ ଆଧାରିତ। ଏହି ୫ଟି ପ୍ରମୁଖ ସ୍ତର ଦେଶର ସାଧାରଣ ଜନତାଙ୍କ ଉର୍ଜା ନ୍ୟାୟକୁ ସୁନିଶ୍ଚିତ କରିବାର ମାର୍ଗ ଦେଖାଉଛି। ଆଗାମୀ ଦିନ ମାନଙ୍କରେ ଭାରତର ଉର୍ଜା ବ୍ୟବହାର ବୃଦ୍ଧି ହେବା ନିଶ୍ଚିତ। ଭାରତ ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଆମେରିକା ଏବଂ ଚୀନକୁ ପଛରେ ପକାଇ ଉର୍ଜାର ପ୍ରମୁଖ ଉପଭୋକ୍ତା ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି। ଭାରତର ଉର୍ଜା ବ୍ୟବହାର ୨୦୩୫ ସୁଦ୍ଧା ୪.୨ ପ୍ରତିଶତର ସିଏଜିଆରରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଦେଶର ଭବିଷ୍ୟତର ଉର୍ଜା କ୍ଷେତ୍ର ନୂଆ ଟେକ୍ନୋଲୋଜି ଏବଂ ବ୍ୟବସାୟିକ ମଡେଲ୍ ଦ୍ୱାରା ପରିଚାଳିତ ହେବ। ଶ୍ରୀ ପ୍ରଧାନ କହିଛନ୍ତି ଯେ, ଉର୍ଜାର ବିଭିନ୍ନ ସ୍ରୋତକୁ ସାମିଲ କରିବା ତଥା ଉର୍ଜାର ପରିବର୍ତନ ମାଧ୍ୟମରେ ଭାରତକୁ ୨୦୨୪ ସୁଦ୍ଧା ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥା କରିବା ଆମର ଲକ୍ଷ୍ୟ ରହିଛି।
ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତିକୁ ପରିବର୍ତନ କରିବାରେ ଅନେକ ପଦକ୍ଷେପ ନିଆଯାଇଛି। ନିକଟରେ ହୋଇଥିବା ୧୦ମ ସିଜିଡି ବିଡିଂ ପ୍ରକ୍ରିୟା ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଏବଂ ୪୦୦ରୁ ଅଧିକ ଜିଲ୍ଲାରେ ପ୍ରାକୃତିକ ଗ୍ୟାସ ପହଁଚାଇବାରେ ସହାୟକ ହେବ। ସେହିପରି ଦେଶରେ ଗ୍ୟାସ ଭିତ୍ତିଭୂମିକୁ ଆହୁରି ସଦୃଢ କରିବା ପାଇଁ ୬୦ ବିଲିୟନ ଡଲାର ପୁଞ୍ଜିନିବେଶ କରାଯିବାର ଆକଳନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ‘ଗୋଟିଏ ଦେଶ ଗୋଟିଏ ଗ୍ରୀଡ’ ସିଦ୍ଧାନ୍ତରେ କାର୍ଯ୍ୟ କରୁଛି। ୨୦୨୪ ସୁଦ୍ଧା ଭାରତ ସମଗ୍ର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ, ଯାହା ଦେଶର ଉର୍ଜା ଦୃଶ୍ୟପଟ୍ଟକୁ ପରିବର୍ତନ କରିବ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ତୈଳ କମ୍ପାନୀମାନେ ଗବେଷଣା ଓ ବିକାଶ କ୍ଷମତା ନିର୍ମାଣରେ ବହୁତ ସକ୍ରିୟ ଅଛନ୍ତି। ସେ ଆହୁରି କହିଛନ୍ତି ଯେ ଆମେ ଯେତେ ଶିଳ୍ପ ବିପ୍ଳବ ୪.୦ର ନିକଟତର ହେଉଛେ, ଡିଜିଟାଲ ଟେକ୍ନୋଲୋଜି ସେତେ ମାତ୍ରାରେ ଉର୍ଜା କ୍ଷେତ୍ରକୁ ଅଧିକ ପରିବର୍ତନ କରୁଛି। ଅଧୁନା ଉନ୍ନତମାନର ଆନାଲେଟିକ୍, ରୋବୋକ୍ଟିକ୍ସ, ଅଟୋମେସନ, କ୍ଲାଉଡ କମ୍ପ୍ୟୁଟିଂ ଏବଂ ଟେକ୍ନୋଲୋଜି ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ମୂଲ୍ୟ ଶୃଙ୍ଖଳାରେ ବଡ ପ୍ରଭାବ ପକାଉଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ସରକାର ଉର୍ଜାର ପରିବର୍ତ୍ତନ ପାଇଁ କ୍ରମାଗତ ଭାବେ ସଂସ୍କାର(ରିଫର୍ମ), ପ୍ରଦର୍ଶନ(ଫରଫମ୍) ଏବଂ ପରିବର୍ତ୍ତନ(ଟ୍ରାନ୍ସଫର୍ମ)ର ମନ୍ତ୍ର ଉପରେ ଗୁରୁତ୍ୱ ଦେଉଥିବା ଶ୍ରୀ ପ୍ରଧାନ କହିଛନ୍ତି।



