ଭୁବନେଶ୍ୱର : ପ୍ରତିଟି ଜୀବନ ମୂଲ୍ୟବାନ। ଏହି ଉକ୍ତିକୁ ଆଧାର କରି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ତମାଖୁ ବର୍ଜନ ଓ ସଚେତନତା କ୍ଷେତ୍ରେର ମଧ୍ୟ ଅନେକ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ହେଲେ ଏସବୁ ଏବେ ଶିଥିଳ ପଡ଼ିଯାଇଛି। ରାତି ପାହିଲେ ବିଶ୍ବ ପାଳିବ ତମାଖୁ ନିଷେଧ ଦିବସ। ସରକାରୀ ଅନୁଷ୍ଠାନରୁ ଆରମ୍ଭ କରି ସ୍ବେଚ୍ଛାସେବୀ ସଂସ୍ଥା, ସଙ୍ଗଠନ ସଚେତନତା ବାର୍ତ୍ତା ପ୍ରଦାନ କରିବେ। ହେଲେ ଏସବୁ କାର୍ୟ୍ୟକ୍ରମ ଗୋଟିଏ ଦିନରେ ହିଁ ସୀମିତ ରହିଯାଉଛି।
ତମାଖୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ଲେଖା ଥିବା ସତ୍ତ୍ବେ ବହୁଳ ଭାବରେ ବିକ୍ରି ହେଉଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତମାଖୁ ସେବନ କର୍କଟର ମୁଖ୍ୟ କାରଣ। ଏବେ ଅଧିକରୁ ଅଧିକ ଯୁବପିଢ଼ି ତମାଖୁ ସେବନ କରୁଥିବା ଜଣାପଡ଼ିଛି। ବିଶେଷ କରି ୭୮ ପ୍ରତିଶତରୁ ଅଧିକ ଲୋକ ତମାଖୁ ବ୍ୟବହାର କରୁଛନ୍ତି। ଏବେ ବିଭିନ୍ନ ଛକ ବଜାର, ଶିକ୍ଷାନୁଷ୍ଠାନ ନିକଟ ତଥା ଷ୍ଟଲ୍ରେ ଖୋଲାଖୋଲି ନିଶା ଦ୍ରବ୍ୟ ବିକ୍ରି ହେଉଛି। ସର୍ବସାଧାରଣ ସ୍ଥାନରେ ଅନେକ ଧୂମପାନ କରୁଥିବା ଦେଖିବାକୁ ମିଳୁଛି। ଏଥିପାଇଁ ଥିବା କୋଟପା ଆଇନ ଏବେ ଏହା ଶୀତଳଭଣ୍ଡାରରେ ପଡ଼ିରହିଛି। ଏହାଛଡ଼ା ତମାଖୁମୁକ୍ତ ଗାଁ ଅଭିଯାନ ଏବେ ବାଟବଣା ହୋଇଛି। ଗ୍ରାମାଞ୍ଚଳରୁ ନେଇ ସହରାଞ୍ଚଳ ପର୍ୟ୍ୟନ୍ତ ଏବେ ନିଶାଦ୍ରବ୍ୟ ବିକ୍ରି ଏବଂ ସେବନ ବଢ଼ିଚାଲିଛି। ଗ୍ଲୋବାଲ ୟୁଥ୍ ଟବାକୋ ସର୍ଭେ (ଜିୱାଇଟିଏସ୍) ତଥ୍ୟ ଅନୁସାରେ, ୨୦ ବର୍ଷରୁ କମ୍ ୫୫ଧ ତମାଖୁ ସେବନ ଆରମ୍ଭ କରିଥାନ୍ତି। ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନ୍ଟିସିପି)ର ଅଂଶସ୍ବରୂପ ଯୁବପିଢ଼ିଙ୍କୁ ତମାଖୁଠାରୁ ଦୂରେଇ ରଖିବା ପାଇଁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ମାର୍ଗଦର୍ଶିକା ଜାରି କରାଯାଇଛି। ହେଲେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତମାଖୁ ସାମଗ୍ରୀ ଉପରେ ବୈଧାନିକ ସତର୍କତା ସତ୍ତ୍ବେ ଏହାକୁ କେହି ଗୁରୁତ୍ବ ଦେଉନାହାନ୍ତି।
ନିଶା ସେବନ ଯୋଗୁଁ ପାକସ୍ଥଳି କର୍କଟ, ମୁଖ କର୍କଟ, ଗଳା କର୍କଟ, ଯକୃତ କର୍କଟ ଆଦି ହୋଇଥାଏ। ହୃଦ୍ରୋଗର ମଧ୍ୟ ଏହା ଅନ୍ୟତମ କାରଣ। ତଥ୍ୟ ଅନୁସାରେ କେବଳ ତମାଖୁ ସେବନ ଯୋଗୁଁ ବର୍ଷକୁ ୧୦ ହଜାରରୁ ଅଧିକ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ସରକାର ତମାଖୁଜନିତ ରୋଗ ନିରାକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ବିକ୍ରି ଓ ସେବନ ଉପରେ ଅଙ୍କୁଶ ଲାଗି ପାରୁନି। ଶିକ୍ଷାନୁଷ୍ଠାନର ଶହେ ମିଟର ପରିଧି ମଧ୍ୟରେ ନିଶା ସାମଗ୍ରୀ ବିକ୍ରି ଦଣ୍ଡନୀୟ ଅପରାଧ ହୋଇଥିବାବେଳେ ଏକ୍ଷେତ୍ରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସେହିପରି ବିଭିନ୍ନ ଷ୍ଟଲ୍ରେ ମଧ୍ୟ ମାଦକ ଦ୍ରବ୍ୟ ବିକ୍ରି ହେଉଛି। କୋଟପା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯଦ୍ବାରା ଉଭୟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ କୌଣସି ରୋକ ଲାଗିପାରୁନାହିଁ। ଅନେକ ସମୟରେ ଲୋକଦେଖାଣିଆ ଭାବେ ଚଢ଼ଉ କରାଯାଉଛି। କମିସନରେଟ ପୁଲିସ ପକ୍ଷରୁ ନିଶା ଦ୍ରବ୍ୟ ସେବନ ଓ ବେଆଇନ ବିକ୍ରି ଉପରେ ଧରପଗଡ଼ ଜାରି ରହିଥିବାବେଳେ ପରବର୍ତ୍ତୀ ସମୟରେ ପୁନଃ ଏହି କାର୍ଯ୍ୟ ଆରମ୍ଭ ହେଉଛି। କାର୍ୟ୍ୟାନୁଷ୍ଠାନ ପାଇଁ ଜିଲାସ୍ତରୀୟ ତମାଖୁ ନିୟନ୍ତ୍ରଣ କମିଟି ଓ ବ୍ଲକ୍ସ୍ତରୀୟ କମିଟି ବ୍ୟବସ୍ଥା ରହିଥିଲେ ହେଁ ଏହା ଏବେ ଅକାମୀ। ଖାଲି ଦିବସ ପାଳନ କଲେ ହେବନାହିଁ ଏହାର ତଦାରଖ କରିବା ସହିତ ନିୟମିତ ବ୍ୟବଧାନରେ ଯାଞ୍ଚ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ମତ ରଖିଛନ୍ତି।



