ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୫ରୁ ପୂର୍ବତନ ଚମ୍ପିଆନ ଗୁଜରାଟ ଟାଇଟାନ୍ସ ବିଦାୟ ନେଇଛି। ଲିଗ୍ ପର୍ୟ୍ୟାୟରେ ୩ୟ ସ୍ଥାନ ହାସଲ କରି ପ୍ଳେଅଫରେ ପ୍ରବେଶ କରିଥିବା ଗୁଜରାଟ ଟାଇଟାନ୍ସ ଏଲିମିନେଟର ମ୍ୟାଚରେ ପରାଜିତ ହୋଇଛି। ଶୁକ୍ରବାର ମୁଲାନପୁରରେ ଖେଳାଯାଇଥିବା ଏଲିମିନେଟର ମ୍ୟାଚରେ ମୁମ୍ବଇ ଇଣ୍ଡିଆନ୍ସ ୨୦.ରନରେ ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରିଛି। ବିଜୟ ସହ ମୁମ୍ବଇ ଇଣ୍ଡିଆନ୍ସ କ୍ବାଲିଫାୟ-୨ ଖେଳିବାକୁ ଯୋଗ୍ୟତା ହାସଲ କରିଛି। ଜୁନ୍ ୧ରେ ଅହମ୍ମଦାବାଦରେ ପଞ୍ଜାବ କିଙ୍ଗ୍ସ ଓ ମୁମ୍ବଇ ଇଣ୍ଡିଆନ୍ସ ମଧ୍ୟରେ ଦ୍ବିତୀୟ କ୍ବାଲିଫାୟର ଖେଳାଯିବ। ମୁମ୍ବଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ୮୧ରନ ବଳରେ ୨୨୮ରନ କରିଥିଲା। ଜବାବରେ ଗୁଜରାଟ ଟାଇଟାନ୍ସ ସାଇ ସୁଦର୍ଶନଙ୍କ ୮୦ରନ ସତ୍ତ୍ବେ ୨୦୮ରନ କରିବାକୁ ସକ୍ଷମ ହୋଇଥିଲା।
୨୨୯ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଗୁଜରାଟ ପ୍ରାରମ୍ଭରୁ ବିପର୍ୟ୍ୟୟ ଭୋଗିଥିଲା। ସ୍କୋର ମାତ୍ର ୩ରନ ଥିବାବେଳେ ଇନଫର୍ମ ବ୍ୟାଟ୍ସମ୍ୟାନ ଅଧିନାୟକ ଶୁଭମନ ଗିଲ୍ ୧ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ସାଇ ସୁଦର୍ଶନ ଓ କୁଶଳ ମେଣ୍ଡିସ ୬୪ରନ ସଂଗ୍ରହ କରିଥିଲେ। ୬୭ରନ ସ୍କୋର ଥିବାବେଳେ ମେଣ୍ଡିସ ୨୦ରନ କରି ଆଉଟ୍ ହୋଇଥିଲେ। ଦଳ ୧୦ ଓଭରରୁ ୧୦୬ରନ ସଂଗ୍ରହ କରିଥିଲା। ତୃୃତୀୟ ୱିକେଟରେ ସୁଦର୍ଶନ ୱାଶିଂଟନ ସୁନ୍ଦର ୮୪ରନ ଭାଗିଦାରୀ କରିଥିଲେ। ସ୍କୋର ୧୫୧ରନ ଥିବାବେଳେ ୱାଶିଂଟନ ୨୪ଟି ବଲରୁ ୪୮ରନ କରି ଆଉଟ୍ ହୋଇଥିଲେ। ସୁଦର୍ଶନଙ୍କ ସହ ସିରିଫାନେ ରଦରଫୋର୍ଡ ୧୯ରନ ସଂଗ୍ରହ କରିଥିଲେ। ସ୍କୋର ୧୭୦ରନ ଥିବାବେଳେ ସୁଦର୍ଶନ ୮୦ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ସିରିଫାନେ ରଦରଫୋର୍ଡ ଓ ରାହୁଲ ତିୱାତିଆ ୨୩ରନ ସଂଗ୍ରହ କରିଥିଲେ। ୧୯୩ରନ ସ୍କୋର ଥିବାବେଳେ ରଦରଫୋର୍ଡ ୨୪ରନ କରି ଆଉଟ୍ ହୋଇଥିଲେ। ଶେଷରେ ଦଳ ୬ ୱିକେଟରେ ୨୦୮ରନ କରିବାକୁ ସକ୍ଷମ ହୋଇଥିଲା। ସାହାରୁଖ ଖାନ ୧୩ ରନ କରି ଆଊଟ୍ ହୋଇଥିବାବେଳେ ରାହୁଲ ତିୱାତିଆ ୧୬ରନ କରି ଅପରାଜିତ ରହିଥିଲେ। ମୁମ୍ବଇ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ୨ଟି, ଯଶପ୍ରୀତ ବୁମ୍ରା, ମିଚେଲ ସାଣ୍ଟନର , ରିଚାର୍ଡ ଗ୍ଲିସନ ଓ ମିଚେଲ ସାଣ୍ଟନର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ମୁମ୍ବଇ ଇଣ୍ଡିଆନ୍ସ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପନର ରୋହିତ ଶର୍ମା ଓ ଜନି ବେୟାରଷ୍ଟୋ ଦ୍ରୁତ ଗତିରେ ରନ ସଂଗ୍ରହ କରିଥିଲେ। ଉଭୟେ ପାୱାର ପ୍ଲେ ୬ ଓଭରରୁ ୭୯ରନ ସଂଗ୍ରହ କରି ବଡ଼ ସ୍କୋରର ମୂଳଦୁଆ ପକାଇଥିଲେ। ଉଭୟେ ୪୪ଟି ବଲରୁ ୮୪ରନ ଭାଗିଦାରୀ କରିଥିଲେ। ବେୟାରଷ୍ଟୋ ୨୨ଟି ବଲରୁ ୪୭ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ରୋହିତ ଓ ସୂର୍ୟ୍ୟକୁମାର ଯାଦବ ରନ ସଂଗ୍ରହ ଗତିକୁ ବଜାୟ ରଖିଥିଲେ। ଦଳ ୧୦ ଓଭରରୁ ୧୧୩ରନ ସଂଗ୍ରହ କରିଥିଲା। ଉଭୟେ ଦ୍ବିତୀୟ ୱିକେଟ ପାଇଁ ୫୯ରନ ସଂଗ୍ରହ କରିିଥିଲେ। ୧୪୩ରନ ସ୍କୋର ଥିବାବେଳେ ସୂର୍ୟ୍ୟକୁମାର ୩୩ରନ କରି ଆଉଟ୍ ହୋଇଥିଲେ। ରୋହିତଙ୍କ ସହ ତିଳକ ବର୍ମା ତୃତୀୟ ୱିକେଟ ପାଇଁ ୪୩ରନ ସଂଗ୍ରହ କରିଥିଲେ। ସ୍କୋର ୧୮୬ରନ ଥିବାବେଳେ ରୋହିତ ୫୦ଟି ବଲରୁ ୯ଟି ଚୌକା ଓ ୪ଟି ଛକା ସହ ୮୧ରନ କରି ଆଉଟ୍ ହୋଇଥିଲେ। ଚତୁର୍ଥ ୱିକେଟର ପତନ ୧୯୪ରନରେ ଘଟିଥିଲା। ତିଳକ ୨୫ରନ କରି ଆଉଟ୍ ହୋଇଥିଲେ। ପଞ୍ଚମ ୱିକେଟରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଓ ନମନ ଧିର ୧୨ରନ ସଂଗ୍ରହ କରିଥିଲେ। ୨୦୬ରନ ସ୍କୋର ଥିବାବେଳେ ନମନ ୯ରନ କରି ଆଉଟ୍ ହୋଇଥିଲେ। ଶେଷରେ ହାର୍ଦିକଙ୍କ ୯ଟି ବଲରୁ ଅପରାଜିତ ୨୨ରନ ବଳରେ ଦଳ ୫ ୱିକେଟରେ ୨୨୮ରନ କରିବାକୁ ସକ୍ଷମ ହୋଇଥିଲା। ଗୁଜରାଟ ଟାଇଟାନ୍ସ ପକ୍ଷରୁ ଆର ସାଇ କିଶୋର ଓ ପ୍ରସିଦ୍ଧ କୃଷ୍ଣ ୨ଟି ଲେଖାଏଁ ଓ ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।
କ୍ବାଲିଫାୟର-୨ ଖେଳିବା ଲକ୍ଷ୍ୟରେ ଗିଲ୍-ହାର୍ଦିକ, ଗୁଜରାଟ-ମୁମ୍ବଇ ଏଲିମିନେଟର ଆଜି



