nua o banner

ଆଜି ବିଶ୍ବ ହାତୀ ଦିବସ, ଦଶନ୍ଧିରେ ଗଲାଣି ୮୬୦ ହାତୀ ଓ ୯୨୧ ମଣିଷ ଜୀବନ

BSKY banner  750×100

ଭୁବନେଶ୍ୱର: ଓଡ଼ିଶାରେ ଦିନକୁ ଦିନ ହାତୀ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଖଣି ଓ ଶିଳ୍ପ ପାଇଁ ବ୍ୟାପକ ଜଙ୍ଗଲ କ୍ଷୟ, ସହରୀକରଣ ସହ ଶିକାର ଯୋଗୁ ହାତୀସଂଖ୍ୟା କ୍ରମାଗତ ହ୍ରାସ ପାଇବାରେ ଲାଗିଛି। ୧୯୭୯ ମସିହାରେ ଓଡିଶାରେ ୨,୦୪୪ ହାତୀ ଥିଲା। ୨୦୧୭ ଗଣନା ଅନୁସାରେ ୧୯୭୬ରେ ପହଞ୍ଚିଛି। ରାଜ୍ୟର ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର, ଅନୁଗୁଳ, ସୁନ୍ଦରଗଡ ଏବଂ କଟକ ଜିଲାରେ ହାତୀ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥାଏ। ଜଙ୍ଗଲ କ୍ଷୟ ସାଙ୍ଗକୁ ଖାଦ୍ୟାଭାବ ସେମାନଙ୍କୁ ଅନ୍ୟତ୍ର ଯିବାକୁ ବାଧ୍ୟ କରୁଛି। ହାତୀ ପଲ ଛୋଟ ଛୋଟ ଦଳରେ ବିଭକ୍ତ ହୋଇ ଅନ୍ୟସ୍ଥାନକୁ ଖାଦ୍ୟ ଅନ୍ବେଷଣରେ ପଳାଉଛନ୍ତି। ଖାଦ୍ୟ ପାଇଁ ଜନବସତି ଭିତରେ ପ୍ରବେଶ କରି ବ୍ୟାପକ ଧନଜୀବନ ନଷ୍ଟ କରୁଛନ୍ତି। ୬ ଜିଲାରେ ଚଳପ୍ରଚଳ କରୁଥିବା ହାତୀପଲ ଏବେ ୨୬ଟି ଜିଲାରେ ଦେଖିବାକୁ ମିଳୁଛନ୍ତି। ଗତ ଦୁଇ ଦଶନ୍ଧି ମଧ୍ୟରେ ହାତୀ ସଂଖ୍ୟା ବ୍ୟାପକ ହ୍ରାସ ଘଟିଛ। ୨୦୦୨ ମସିହାରେ କେନ୍ଦୁଝର ବନଖଣ୍ଡରେ ୧୧୨ଟି ହାତୀ ଥିଲା ବେଳେ ବର୍ତ୍ତମାନ ୪୦ ଅଛନ୍ତି। ଖଣି ଖନନ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ସେହିପରି ଢେଙ୍କାନାଳ ଜିଲାରେ ୮୧ଟି ହାତୀ ଥିଲା ବେଳେ ଏବେ ୧୬୯ ଅଛନ୍ତି। ରେଙ୍ଗାଲି କେନାଲ ଖନନଯୋଗୁ ଏଠାକାର ହାତୀମାନେ ଅନ୍ୟ ଜଙ୍ଗଲକୁ ଯାଇପାରୁନାହାନ୍ତି। ଚନ୍ଦକା ଅଭୟାରଣ୍ୟରୁ ପ୍ରାୟ ୭୦ଟି ହାତୀ ଗଞ୍ଜାମ, ନୟାଗଡ଼ ଏବଂ କଟକ ଜିଲାକୁ ପଳାଇଛନ୍ତି। ଗତ ଏକ ଦଶନ୍ଧି ମଧ୍ୟରେ ୮୬୦ ହାତୀ ଓ ୯୨୧ ମଣିଷଙ୍କ ଜୀବନ ହାନି ଘଟିଥିଲା ବେଳେ ୬୯୨ ଜଣ ଆହତ ହୋଇଛନ୍ତି। ସେହିପରି ବର୍ଷକ ମଧ୍ୟରେ ୩୪ଟି ହାତୀଦାନ୍ତ ଜବତ ହୋଇଥିବା ବେଳେ ୧୨ଜଣଙ୍କୁ ଗିରଫ କରାଯାଇଛି।

କାଗଜ କଲମରେ ସଂରକ୍ଷଣ ଓ ହାତୀ କରିଡର

ହାତୀଙ୍କ ସୁରକ୍ଷା ଓ ଅବାଧ ଚଳପ୍ରଚଳ ଲାଗି ରାଜ୍ୟ ସରକାର ସ୍ବତନ୍ତ୍ର ହାତୀ କରିଡର କରିବା ସହ ପାରମ୍ପରିକ କରିଡରର ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ମଧ୍ୟ ତାହା କାଗଜକଲମରେ ସୀମିତ ରହିଛି। ୨୦୧୦ ଜାନୁୟାରୀ ମାସରେ ରାଜ୍ୟ ସରକାର ୧୪ଟି ହାତୀ କରିଡରକୁ ଚିହ୍ନଟ କରିଥିଲେ। ପ୍ରାୟ ୮୭୦ ବର୍ଗ କିଲୋମିଟରରୁ ଓ ୪୨୦.୮ କିଲୋମିଟର ଲମ୍ବ ଏହି କରିଡରର ସୁରକ୍ଷା ଓ ବିକାଶ ପାଇଁ ୫୫.୨୨ କୋଟି ଟଙ୍କା ବ୍ୟୟବରାଦ ହୋଇଥିଲା। ମାତ୍ର ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ଏହା ପୂର୍ବରୁ ୨୦୦୭ରେ ମହାନଦୀ ସଂରକ୍ଷିତ ଜଙ୍ଗଲ, ମୟୂରଭଞ୍ଜ, ସମ୍ବଲପୁର, ଦକ୍ଷିଣ ଓଡ଼ିଶା ଏବଂ ବୈତରଣୀ ସଂରକ୍ଷିତ ଜଙ୍ଗଲକୁ ଚିହ୍ନଟ କରାଯାଇଥିଲା। ତେବେ ଖଣି ମାଲିକଙ୍କ ଚାପରେ ଏହା କାର୍ଯ୍ୟକାରୀ କରାଯାଇପାରୁ ନାହିଁ ବୋଲି ଅଭିେଯାଗ ହେଉଛି। ଅନେକ ସମୟରେ ରେଳପଥ, ବିଦ୍ୟୁତ ପ୍ରକଳ୍ପ, ସଡକ ପଥ ଯୋଗୁ ହାତୀଙ୍କ ଜୀବନ ସଙ୍କଟାପନ୍ନ ହେଉଛି। ଗତ ୧୧ ବର୍ଷ ୪ ମାସ ମଧ୍ୟରେ ରେଳ ଦୁର୍ଘଟଣାରେ ୩୧ ଓ ସଡ଼କ ଦୁର୍ଘଟଣାରେ ୬ ହାତୀଙ୍କ ମୃତ୍ୟୁ ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୧୩୫ଟି ହାତୀଙ୍କ ମୃତ୍ୟୁ ଘଟିଥିଲା ବେଳେ ଶିକାରୀଙ୍କ ଦ୍ବାରା ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୮୭ଟି ହାତୀଙ୍କ ମୃତ୍ୟୁ ଘଟିଛି।

ଦାନ୍ତ ପାଇଁ ଶିକାର

୨୦୧୭ ଗଣନା ଅନୁସାରେ ୧୯୭୬ହାତୀ ମଧ୍ୟରୁ ୩୪୪ ପୁରୁଷ ହାତୀ ଥିଲେ। ସେମାନଙ୍କ ମଧ୍ୟରୁ ୨୦ବର୍ଷ ବୟସରୁ ଅଧିକ ହାତୀଙ୍କ ସଂଖ୍ୟା ଥିଲା ୧୫୦। ତଥ୍ୟ ଅନୁସାରେ ପ୍ରତିବର୍ଷ ଶିକାରୀଙ୍କ ଦ୍ବାରା ୨୦ରୁ ଅଧିକ ବୟସ୍କ ଦନ୍ତା ହାତୀ ଶିକାର କରାଯାଉଛି। ଗତବର୍ଷ ଫେବ୍ରୁଆରୀରେ ୨ଟି ହାତୀଦାନ୍ତ ଜବତ ହୋଇଥିଲା ବେଳେ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ଅଗଷ୍ଟରେ ୧୪ଟି ହାତୀଦାନ୍ତ ଜବତ ସହ ୩ଜଣ ଗିରଫ ହୋଇଥିଲେ। ଅକ୍ଟୋବରରେ ଏକାଧିକ ଶିକାରୀ ଗିରଫ ହେବା ସହ ସେମାନଙ୍କ ପାଖରୁ ୨ଟି ହାତୀଦାନ୍ତ ଜବତ ହୋଇଥିଲା। ଚଳିତବର୍ଷ ଜାନୁୟାରୀ ୧୪ ତାରିଖରେ ପୁଲିସର ସ୍ବତନ୍ତ୍ର କାର୍ଯ୍ୟବଳ ସମ୍ବଲପୁର ସହରର ଅଇଁଠାପାଲିରୁ ୨ଟି ହାତୀଦାନ୍ତ ଜବତ କରିଥିଲେ। ଫେବ୍ରୁଆରୀ ୭ରେ କେନ୍ଦୁଝରରୁ ୩ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୨ଟି ହାତୀଦାନ୍ତ ଜବତ କରିଥିଲା। ସେହିମାସ ୨୪ ତାରିଖରେ ପ୍ରାୟ ୪୪ କିଲୋଗ୍ରାମର ଦୁଇଟି ହାତୀଦାନ୍ତ କପ୍ତିପଦାରୁ ଜବତ ହୋଇଥିଲା। ମାର୍ଚ୍ଚ ୨୬ ତାରିଖରେ ଖମାର ରେଞ୍ଜରୁ ଦୁଇଟି ହାତୀଦାନ୍ତ ଜବତ ହେବା ସହ ଦୁଇଜଣ ଗିରଫ ହୋଇଥିଲେ। ଏପ୍ରିଲ ୨୪ ତାରିଖରେ ନୟାଗଡ ଗଣିଆ ରେଞ୍ଜରୁ ସ୍ବତନ୍ତ୍ର କାର୍ଯ୍ୟବଳ ଦୁଇଜଣ ବେପାରୀଙ୍କୁ ଗିରଫ କରିବା ସହ ଦୁଇଟି ଦାନ୍ତ ଜବତ କରିଥିଲା।

ହାତୀ-ମଣିଷ ଲଢ଼େଇ

ଜଙ୍ଗଲ କ୍ଷୟ ଯୋଗୁ ଖାଦ୍ୟ ଅନ୍ବେଷଣରେ ହାତୀପଲ ଜନବସତିକୁ ମୁହାଁଇବା ଫଳରେ ମନୁଷ୍ୟ-ହାତୀ ସଂଘର୍ଷର ସୂତ୍ରପାତ ହେଉଛି। ଦାନ୍ତ ପାଇଁ ହାତୀ ଶିକାର ଯୋଗୁ ପ୍ରତିବର୍ଷ ମୃତ୍ୟୁସଂଖ୍ୟା ବଢିଚାଲିଛି। ୧୯୯୦ରୁ ୨୦୦୦ ମସିହା ମଧ୍ୟରେ ବାର୍ଷିକ ହାତୀ ମୃତ୍ୟୁ ସଂଖ୍ୟା ୩୩ ଥିଲା ବେଳେ ୨୦୧୦ ସୁଦ୍ଧା ଏହା ୪୬କୁ ବୃଦ୍ଧି ପାଇଥିଲା। ୨୦୧୦ରୁ ଏ ପର୍ଯ୍ୟନ୍ତ ବର୍ଷକୁ ହାରାହାରି ୭୬ଟି ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୦ରୁ ୨୦୧୪ମସିହା ମଧ୍ୟରେ ହାତୀ ଆକ୍ରମଣରେ ୬୧ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୨୦୧୪-୧୫ ମଧ୍ୟରେ ୯୨, ୨୦୧୯-୨୦ରେ ୧୧୫ ଓ ୨୦୨୦-୨୧ରେ ୧୦୬ଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୦ ଏପ୍ରିଲ ମାସରୁ ୨୦୨୧ ଅଗଷ୍ଟ ୬ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୮୬୦ଟି ହାତୀଙ୍କ ମୃତ୍ୟୁ ଘଟିଥିଲା ବେଳେ ୯୨୧ ମଣିଷଙ୍କ ମୃତ୍ୟୁ ଘଟିଥିଲା ଓ ୬୯୨ଜଣ ଆହତ ହୋଇଛନ୍ତି। ଏହି ଦଶନ୍ଧି ମଧ୍ୟରେ ୩୮୯ ହାତୀଙ୍କ ସ୍ବାଭାବିକ ମୃତ୍ୟୁ ଘଟିଥିଲା ବେଳେ ୧୭୬ଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଶିକାରୀଙ୍କ ଦ୍ବାରା ୮୬, ବିଷ ଦେଇ ୩୭ହାତୀଙ୍କୁ ମାରି ଦିଆଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୧୩୫ଟି ହାତୀଙ୍କ ମୃତ୍ୟୁ ଘଟିଛି। ସେହିପରି ରେଳ ଦୁର୍ଘଟଣାରେ ୩୧ ଓ ସଡ଼କ ଦୁର୍ଘଟଣାରେ ୬ ହାତୀଙ୍କ ମୃତ୍ୟୁ ଘଟିଛି। ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତି, ହାତୀଙ୍କୁ ସୁରକ୍ଷା ଦେବାରେ ଅବହେଳା, ଲୋକଙ୍କ ମଧ୍ୟରେ ସଚେତନତା ଓ ସତର୍କତାର ଅଭାବ ହାତୀ ମୃତ୍ୟୁର ପ୍ରମୁଖ କାରଣ ବୋଲି ଜଣାପଡିଛି।

Comments are closed.