www.samajalive.in
Saturday, December 13, 2025
27.1 C
Bhubaneswar

ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ମୁକାବିଲା ଆଜି

ସାଉଥାମ୍ପଟନ୍ : ଚଳିତ ବିଶ୍ବକପ୍‌ର ବହୁ ପ୍ରତୀକ୍ଷିତ ମୁକାବିଲା ମଧ୍ୟରୁ ଅନ୍ୟତମ ଶୁକ୍ରବାର ଏଠାରେ ଖେଳାଯିବ। ଆୟୋଜକ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏହି ମ୍ୟାଚ୍ ବିଶ୍ବକପ୍‌ର ୧୯ଶ ଲିଗ୍ ମ୍ୟାଚ୍ ହେବ। ଅଦ୍ୟାବଧି ୩ଟି ମ୍ୟାଚ୍‌ରେ ଇଂଲଣ୍ଡର ବ୍ୟାଟ୍‌ସମ୍ୟାନ୍ ବି​ସ୍ଫୋରକ ପ୍ରଦର୍ଶନ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟବୋଲର ପ୍ରଭାବଶାଳୀ ପ୍ରଦର୍ଶନ କରି ପାରିଛନ୍ତି। ତେଣୁ ଶୁକ୍ରବାରର ମ୍ୟାଚ୍‌ରେ ଇଂଲଣ୍ଡର ବ୍ୟାଟିଂ ଓ ୱେଷ୍ଟଇଣ୍ଡିଜ୍‌ର ଫାଷ୍ଟବୋଲିଂ ମଧ୍ୟରେ କଡ଼ା ମୁକାବିଲା ହେବା ନିଶ୍ଚିତ ହୋଇଯାଇଛି। ଇଂଲଣ୍ଡ ୩ଟି ମ୍ୟାଚ୍‌ରୁ ୨ଟି ଜିତିଥିବା ବେଳେ ଇଣ୍ଡିଜ୍‌କୁ ହରାଇ ବିଜୟଧାରା ଜାରି ରଖିବାକୁ ନିଶ୍ଚୟ ଚାହିଁବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଥିଲେ ହେଁ ୨ୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି ଏବଂ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି।

ଏହି ମ୍ୟାଚ୍‌ରେ କ୍ରିସ୍ ଗେଲ୍‌ ଓ ଜୋଫ୍ରା ଆର୍ଚରଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ସମସ୍ତେ ଅପେକ୍ଷା କରିଛନ୍ତି। ଫେବୃୟାରୀରେ ଉଭୟ ଦଳଙ୍କ ମଧ୍ୟରେ ୫ ମ୍ୟାଚ୍‌ର ସିରିଜ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା ଏବଂ ସିରିଜ୍ ୨-୨ରେ ଶେଷ ହୋଇଥିଲା। ଗୋଟିଏ ମ୍ୟାଚ୍ ବାତିଲ ହୋଇଥିବା ବେଳେ ୪ଟି ମ୍ୟାଚ୍‌ରୁ ଗେଲ୍‌ ୩୯ଟି ଛକାମାରି ୪୨୪ ରନ୍ କରିଥିଲେ। ଇଂଲଣ୍ଡ ଆଶାରଖିଛି ଯେ କ୍ରିସ୍ ଗେଲ୍‌ଙ୍କୁ ତାଙ୍କରି ଦେଶରୁ ଆସିଥିବା ଆର୍ଚର ହିଁ ରୋକିପାରିବେ। ଇଂଲଣ୍ଡ ପାଇଁ ଖେଳିବା ଲାଗି ଯୋଗ୍ୟତା ହାସଲ ପୂର୍ବରୁ ବାର୍ବାଡୋସ୍‌ରେ ଜନ୍ମଗ୍ରହଣ କରିଥିବା ଆର୍ଚର ୱେଷ୍ଟଇଣ୍ଡିଜ୍ ପାଇଁ ଜୁନିୟର କ୍ରିକେଟ ଖେଳିଥିଲେ। ଫାଷ୍ଟବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ୧୦୫ ରନ୍‌ରେ ଅଲ୍ଆଉଟ କରି ୱେଷ୍ଟଇଣ୍ଡିଜ୍ ତା’ର ଅଭିଯାନ ଆରମ୍ଭ କରିଥିଲା। ୨ୟ ମ୍ୟାଚ୍‌ରେ ମଧ୍ୟ ୱେଷ୍ଟଇଣ୍ଡିଜ୍ ଫାଷ୍ଟବୋଲର ଏହି ପ୍ରଦର୍ଶନ ବଜାୟ ରଖିଥିଲେ। ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ ବିପକ୍ଷରେ ସେମାନେ ଘାତକ ବୋଲିଂ କରିବାରୁ ୭୯ ରନ୍‌ରେ ଅଷ୍ଟ୍ରେଲିଆ ୫ଟି ୱିକେଟ ହରାଇଥିଲା। ତେବେ ଷ୍ଟିଭେନ୍ ସ୍ମିଥ୍ ଓ ନାଥାନ୍ କୌଲ୍‌ଟର-ନାଇଲ୍‌ଙ୍କ ଲଢ଼ୁଆ ଇନିଂସ ଯୋଗୁଁ ଅଷ୍ଟ୍ରେଲିଆ ୨୮୮ ରନ୍ କରି ପାରିଥିଲା। ୩ୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୨୯ ରନ୍‌ରେ ୨ଟି ୱିକେଟ ହରାଇବା ପରେ ବର୍ଷା ହୋଇଥିଲା। ୧୦ଟି ଦଳଙ୍କ ମଧ୍ୟରୁ ଇଂଲଣ୍ଡ ହେଉଛି ଏକମାତ୍ର ଦଳ; ଯିଏ ତା’ର ୩ଟିଯାକ ମ୍ୟାଚ୍‌ରେ ୩ ଶହରୁ ଅଧିକ ରନ୍ କରିପାରିଛି। ଦଳର ସମସ୍ତ ବ୍ୟାଟ୍‌ସମ୍ୟାନ୍ ଅଦ୍ୟାବଧି ଭଲ ସ୍କୋର୍ କରିଛନ୍ତି। ପ୍ରଥମ ମ୍ୟାଚ୍‌ରେ ୪ଟି ଅର୍ଦ୍ଧଶତକ ବଳରେ ୩ ଶହରୁ ଅଧିକ ରନ୍ ସ୍କୋର୍‌କରି ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ଇଂଲଣ୍ଡ। ୨ୟ ମ୍ୟାଚ୍‌ରେ ପାକିସ୍ତାନ ୩୪୮ ରନ୍ କରିଥିଲା। ପରେ ଜୋ ରୁଟ୍ ଓ ଜୋସ୍ ବଟ୍‌ଲର ଶତକ ମାରିଥିଲେ ହେଁ ଇଂଲଣ୍ଡ ୧୪ ରନ୍ ପଛରେ ରହି ଯାଇଥିଲା। ୩ୟ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଜେସନ୍ ରୟ ଶତକ ମାରିଥିବା ବେଳେ ଜନି ବେୟାରଷ୍ଟୋ ଓ ଜୋସ୍ ବଟ୍‌ଲର ଅର୍ଦ୍ଧଶତକ ମାରିଥିଲେ। ଇଂଲଣ୍ଡର ବ୍ୟାଟ୍‌ସମ୍ୟାନଙ୍କୁ ରୋକିବାକୁ ହେଲେ ଏହାକୁ ବୋଲିଂର ମାନ ଆଉ ପାଦେ ଆଗକୁ ନେବାକୁ ପଡ଼ିବ। ଇଂଲଣ୍ଡ ଏହି ମ୍ୟାଚ୍‌ରେ ପେସ୍ ବୋଲର ଲିଆମ୍ ପ୍ଲଙ୍କେଟ୍‌ କିମ୍ବା ଲେଗ୍‌ସ୍ପିନର ଆଦିଲ ରସିଦ୍‌ଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ମୋଇନ୍ ଅଲୀଙ୍କୁ ଖେଳାଇପାରେ। ୱେଷ୍ଟଇଣ୍ଡିଜ୍ ଅପରିବର୍ତ୍ତିତ ଏକାଦଶ ନେଇ ଓହ୍ଲାଇପାରେ। ବର୍ଷା ମଧ୍ୟ ଏହି ମ୍ୟାଚ୍‌ରେ ବାଧକ ସାଜିବାର ଆଶଙ୍କା ରହିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories