ଶିଶୁ ପାଇଁ ମା’କ୍ଷୀର ସର୍ବୋତ୍ତମ ସନ୍ତୁଳିତ ଆହାର

ବିଶ୍ୱ ସ୍ତନ୍ୟପାନ ସପ୍ତାହ

ଆଠଗଡ: ଆଠଗଡ ଉପଖଣ୍ଡ ଡାକ୍ତରଖାନା ପକ୍ଷରୁ ପୁଷ୍ଟିସାଧନ କେନ୍ଦ୍ର ମଧ୍ୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗଷ୍ଟ ୧ତାରିଖରୁ ୭ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଥିବାବେଳେ ଚଳିତ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବାର୍ତ୍ତା ରହିଛି ‘ସ୍ତନ୍ୟପାନ ପାଇଁ ପ୍ରସ୍ତୁତ ହେବା, ନିଜେ ଶିକ୍ଷିବା, ଅନ୍ୟକୁ ଶିକ୍ଷାଇବା ଓ ଉତ୍ସାହିତ କରିବା’। ଏହି ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ଅଧ୍ୟକ୍ଷତା କରି ଡାକ୍ତରଖାନା ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର ନିଜ ବକ୍ତବ୍ୟରେ ମା’କ୍ଷୀର ନବଜାତ ଶିଶୁ ପାଇଁ ସର୍ବଶେଷ୍ଠ ସନ୍ତୁଳିତ ଆହାର ଏବଂ ଶିଶୁର ଶାରୀରିକ ଓ ମାନସିକ ଅଭିବୃଦ୍ଧିରେ ଏହା ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ଗର୍ଭଧାରଣ ବ୍ୟବଧାନ ରହିବ, ସ୍ତନ ଓ ଜରାୟୁ କର୍କଟ, ନିମୋନିଆ ଆଦି ରୋଗରୁ ରକ୍ଷା ମିଳିବ ଏବଂ ସର୍ବୋପରି ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ଡାକ୍ତର ମିଶ୍ର ପ୍ରକାଶ କରିଥିଲେ । ଏଥିରେ ସମ୍ମାନିତ ବକ୍ତା ଭାବେ ଶିଶୁରୋଗ ବିଶେଷଜ୍ଞ ମାନସ ରଞ୍ଜନ ପାଣି ଯୋଗଦେଇ ସ୍ତନ୍ୟପାନ କରାଇବାର ଉପକାରିତା ସଂପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସଦ୍ୟଜାତ ଶିଶୁକୁ ଜନ୍ମହେବାର ୧ଘଣ୍ଟା ମଧ୍ୟରେ ଓ ଅତିକମରେ ୬ ମାସ ପର୍ଯ୍ୟନ୍ତ ମା’କ୍ଷୀର ଦେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ପ୍ରସୂତୀ ମହିଳାଙ୍କର ରୋଗ ଥିଲେ ମଧ୍ୟ ଶିଶୁକୁ ସ୍ତନ୍ୟପାନ କରାଇବାରେ କୌଣସି ସମସ୍ୟା ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ ଅନ୍ୟତମ ସମ୍ମାନିତ ବକ୍ତା ଭାବେ ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ପ୍ରତାପ ଚନ୍ଦ୍ର ମହାନ୍ତି ଶିଶୁ ପାଇଁ ମା’କ୍ଷୀର ଅମୃତ ସମାନ ବୋଲି ମତବ୍ୟକ୍ତ କରି କରୋନା ଆକ୍ରାନ୍ତ ମା’ମାନେ ସତର୍କତାମୂଳକ ପଦକ୍ଷେପ ନେଇ ଶିଶୁକୁ ସ୍ତନ୍ୟପାନ କରାଇ ପାରିବେ ବୋଲି ମତବ୍ୟକ୍ତ କରିବା ସହ ମା’ମାନେ ଯଥାଶୀଘ୍ର କୋଭିଡ ପ୍ରତିରୋଧକ ଟୀକା ନେବା ପାଇଁ ପରାମର୍ଶ ଦେଇଥିଲେ । ପୁଷ୍ଟି ସାଧନ କେନ୍ଦ୍ରର ପରାମର୍ଶଦାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅଭିନନ୍ଦିତା ପରିଜା, ନର୍ସିଂ ଅଧିକାରୀ ମେହରୁନ ନିଶା, ଫର୍ମାସିଷ୍ଟ ଜୟଦେବ ପାତ୍ର ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଡାକ୍ତରଖାନା ପରିଚାଳକ ପୂଜାଲିନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଆଠଗଡ ଏନଏସି ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ, ସ୍ୱାସ୍ଥ୍ୟକର୍ମୀ ଏବଂ ବହୁ ପ୍ରସୂତୀ ମହିଳା ଯୋଗଦାନ କରିଥିଲେ।

kalyan agarbati

Comments are closed.