www.samajalive.in
Friday, December 12, 2025
26.1 C
Bhubaneswar

ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ଚର୍ଚ୍ଚାରେ ରାୟଗଡ଼ାର ଆଦିବାସୀ ଯୁବକ ଶ୍ୟାମଧର

କଲ୍ୟାଣସିଂହପୁର : ନିଜର ଚେଷ୍ଟା ବଳରେ ବଡ଼ରୁ ବଡ଼ କାମ ଯେ, ଏଇ ସାଧାରଣ ଜନତା କରିପାରିବେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି ରାୟଗଡ଼ାରରେ । ଯେଉଁ କାର୍ଯ୍ୟ ନେତା ମନ୍ତ୍ରୀ ପ୍ରଶାସନ ତରଫରୁ ହେବା କଥା ସେ କାର୍ଯ୍ୟକୁ ଜଣେ ଆଦିବାସୀ ଯୁବକ କରି ଦେଖାଇବା ପରେ ଏବେ ଏହି ଯୁବକ ବେଶ୍ ଚର୍ଚ୍ଚାରେ । ଖବର  ଅନୁସାରେ ରାୟଗଡ଼ା ଜିଲ୍ଲା କାଶିପୁର ଓ କଲ୍ୟାଣସିଂହପୁର ସୀମାନ୍ତରେ ଥିବା ପଣସଗୁଡ଼ା ଓ ପୁଷଘାଟି ଗାଁର ଲୋକମାନଙ୍କ ପାଇଁ  ମୁଖ୍ୟ ରାସ୍ତାକୁ ଯୋଗାଯୋଗ ବିଚ୍ଛିନ୍ନ ରହିଥିଲା। ବଜାରରେ କିଣା ବିକା କରିବାକୁ ଏଇ ଗାଁ ଲୋକ କଲ୍ୟାଣସିଂହପୁର ବ୍ଲକର ସିକରପାଇ ଓ ମାଝିଗୁଡ଼ା ହାଟ ଉପରେ ନିର୍ଭର କରନ୍ତି। ସେହିପରି ମେଡିକାଲ୍ କାମ ହେଉ କି ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଗ୍ରହଣ କରିବାକୁ ହେଉ ଏଇ ଦୁଇଟି ଗାଁ ଲୋକଙ୍କୁ ଆସିବାକୁ ହେଲେ ଏକ ନଦୀକୁ ପାଞ୍ଚ ଥର ପାର ହୋଇ ଆସିବାକୁ ପଡ଼ୁଥିଲା, ଯାହା ଫଳରେ ବର୍ଷା ଦିନରେ ବାହାରକୁ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଉଥିଲା। ଲୋକେ ଏଥିପାଇଁ ବହୁତ ହଇରାଣ ହେଉଥିଲେ। ଏମାନଙ୍କ ଦୁଃଖ କାଳେ ପ୍ରଶାସନ କି ନେତା ମନ୍ତ୍ରୀ ବୁଝିବେ ଏଇ ଆଶାରେ ଦାବୀପତ୍ର ଦେଇ କାର୍ଯ୍ୟାଳୟରୁ କାର୍ଯ୍ୟାଳୟ ବୁଲିଲେ, ନେତା ମନ୍ତ୍ରୀଙ୍କୁ ଭେଟିଲେ ଏହାପରେ ମଧ୍ୟ ଏକ ସ୍ଥାୟୀ ପୋଲ ନିର୍ମାଣ ହେବା ସାତ ସପନ ହୋଇଗଲା ।
ଏହା ପରେ ଗାଁ ଲୋକ ଭାଙ୍ଗି ପଡିଥିଲେ। କିନ୍ତୁ ପୁଷଘାଟି ଗାଁର ଜଣେ ଶିକ୍ଷିତ ଯୁବକ ଲକି ମାଝୀଙ୍କ ପୁତ୍ର ଶ୍ୟାମଧର ମାଝୀଙ୍କ ପାଇଁ ଏହାକୁ ଗ୍ରହଣ କରିବା ଏତେ ସହଜ ହେଲା ନାହିଁ । ନିଜ ମାଟି ପାଇଁ ନିଜ ଅଞ୍ଚଳ ଲୋକଙ୍କ ସୁବିଧା ପାଇଁ ନିଜ କାନ୍ଧକୁ ଏ ଦାୟିତ୍ଵ ନେଲେ। ବର୍ତ୍ତମାନ ସେ ମାଣ୍ଡିବିଶି ପଞ୍ଚାୟତରେ କାର୍ଯ୍ୟ କରି ଆସୁଥିବା ଜିଆରଏସ ଶ୍ୟାମଧର ମାଝୀ ଆଉ ଦୃଢ଼ ସଂକଳ୍ପ ନେଲେ। କିଛି ନ ହେଲେ ମଧ୍ୟ ଏକ ଅସ୍ଥାୟୀ କାଠ ପୋଲ ତ ନିର୍ମାଣ କରି ପାରିବେ। ସେଥିପାଇଁ ଗାଁ ଲୋକଙ୍କୁ ଡାକି ଗୋଟେ ଦିନ ଗ୍ରାମ ସଭା କଲେ ଆଉ ସଭାରେ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଦେଲେ । ଅଞ୍ଚଳ ବାସୀ ମଧ୍ୟ ତାଙ୍କ କଥାରେ ରାଜି ହୋଇ ହାତରେ ହାତ, କାନ୍ଧରେ କାନ୍ଧ ମିଶାଇ ଅସ୍ଥାୟୀ କାଠ ପୋଲ ନିର୍ମାଣ କରିବା ପାଇଁ ଝାଳ ବୁହାଇ ଶ୍ରମ ଦାନ କଲେ । ଏବେ ଲୋକ ସିନା ରାଜି ହୋଇଗଲେ ହେଲେ ପୋଲ ପାଇଁ ଯେଉଁ ଜିନିଷ ଦରକାର ତାହାକୁ ତ କିଣିବାକୁ ପଡ଼ିବ ସେଥିପାଇଁ ଶ୍ୟାମଧର ମାଝୀ ନିଜର ଉପାର୍ଜିତ ଟଙ୍କା, ପରିବାର ରୁ କିଛି ମାଗି ଆଉ ବଳକା ଯାହା ଟଙ୍କା ଦରକାର ପଡ଼ିଲା ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ଟଙ୍କା ଯୋଗାଡ଼ କରି ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ । କାଠରେ ଠିଆ କରିବା ବଦଳରେ ସିମେଣ୍ଟ ବାଲି ମେଟାଲ୍ ମିଶାଇ ଶକ୍ତ ଖମ୍ବ ତିଆରି କଲେ ଆଉ ଖମ୍ବ ଉପରେ କାଠର ଛାତ ପକେଇଲେ। ଶ୍ୟାମଧର ମାଝୀଙ୍କ ଚେଷ୍ଟା ଓ ଗାଁ ଲୋକଙ୍କ ସାହାଯ୍ୟ ବଦଳରେ ଅନେକ ଦିନର ପରିଶ୍ରମ ପରେ ଶେଷକୁ ପୋଲଟି ପ୍ରସ୍ତୁତ ହୋଇଗଲା ।

ରବିବାର ଏହି ଅସ୍ଥାୟୀ କାଠ ପୋଲକୁ ଜଣେ ସାଧାରଣ ଚାଷୀ ଜାଗାମ୍ ନାୟକ ଉଦଘାଟନ କରିଥିଲେ । ଏହି ସମୟରେ ଆଖପାଖ ଅଞ୍ଚଳରୁ ପ୍ରାୟ ୫୦୦ ଲୋକ ଉପସ୍ଥିତ ରହି ଏହି ପ୍ରଶଂସନୀୟ କାର୍ଯ୍ୟର ସାକ୍ଷୀ ପାଲଟିଥିଲେ। ଏହି ବିଷୟରେ ଲୋକେ ଜାଣିଲା ପରେ ଆଦିବାସୀ ଯୁବକ ଶ୍ୟାମଧର ମାଝିଙ୍କୁ ସ୍ଥାନୀୟ ଲୋକ ଓ ବୁଦ୍ଧିଜୀବୀ ଭୂରି ଭୂରି ପ୍ରଶଂସା କରିବାକୁ ଲାଗିଛନ୍ତି । ମାଙ୍କ ଦେହାନ୍ତ ପରେ ଶ୍ୟାମଧର ମାଝୀଙ୍କ ପରିବାରରେ ତାଙ୍କ ବାପା ଲକି ମାଝୀ, ଦାଦା-ଖୁଡ଼ି, ସ୍ତ୍ରୀ ଆଉ ପୁଅ, ଝିଅ ରହିଛନ୍ତି । ମାଣ୍ଡିବିସି ପଞ୍ଚାୟତରେ ସେ ଜିଆରଏସ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଥିବା ଏହି ଆଦିବାସୀ ଯୁବକଙ୍କୁ ଢେର୍ ସାରା ଶୁଭେଚ୍ଛା ମିଳିବା ଆରମ୍ଭ ହୋଇ ସାରିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories