ଥିରୁଭାନନ୍ଥପୁରମ୍: ଶେଷରେ ସବୁ କଟକଣା ଓ ବିରୋଧକୁ ପ୍ରତିହତ କରି ସାବରୀମାଳା ମନ୍ଦିରରେ ୫୦ ବର୍ଷରୁ କମ୍ ବର୍ଗର ଦୁଇ ଜଣ ମହିଳା ପ୍ରବେଶ କରିଛନ୍ତି। ମହିଳାଙ୍କ ପ୍ରବେଶ ଯୋଗୁଁ ଅପବିତ୍ର ହୋଇଯାଇଥିବା ବିଶ୍ୱାସରେ ଶୋଧ ପାଇଁ ମନ୍ଦିରକୁ ବନ୍ଦ କରି ଦିଆଯାଇଛି। ଉକ୍ତ ଧର୍ମସ୍ଥଳରେ ୧୦ ରୁ ୫୦ ବର୍ଗର ମହିଳାଙ୍କ ପ୍ରବେଶ ଉପରେ ଥିବା କଟକଣାକୁ ସୁପ୍ରିମକୋର୍ଟ ଗତ ବର୍ଷ ଉଠାଇ ସମସ୍ତଙ୍କୁ ମନ୍ଦିର ପ୍ରବେଶ ଅଧିକାର ଦେଇଥିଲେ। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ସ୍ଥାନୀୟ ସଂଗଠନ ଓ ଜନସାଧାରଣ ବିରୋଧ କରି ଆସୁଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପରେ ଏହା ପ୍ରଥମ ଘଟଣା।
ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ ୪୦ ବର୍ଷ ପାଖାପାଖି ବିନ୍ଦୁ ଓ କନକ ଦୁର୍ଗା ନାମକ ଦୁଇ ମହିଳା ବୁଧବାର ଭୋର ୩.୪୫ ମିିନିଟରେ ମନ୍ଦିରରେ ପ୍ରବେଶ କରିଥିଲେ। ଦୁଇ ମହିଳା କଳା ପୋଷାକରେ ସେମାନଙ୍କ ଶରୀରକୁ ପୂର୍ଣ୍ଣ ଆବୃତ୍ତ କରି ରଖିଥିଲେ। ସେମାନଙ୍କୁ ପୁଲିସର ଏକ ଛୋଟ ଟିମ୍ ସୁରକ୍ଷା ଦେଇ ମନ୍ଦିର ଭିତରକୁ ନେଇଯାଇଥିଲେ। ସିସିଟିଭି ଫୁଟେଜ୍ରୁ ଏହା ଜଣାପଡ଼ିବା ପରେ ମନ୍ଦିର ପ୍ରଶାସନ ତତ୍ପର ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପି ବିଜୟନ ମହିଳାଙ୍କ ମନ୍ଦିର ପ୍ରବେଶକୁ ସମର୍ଥନ କରିଛନ୍ତି। ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ଭକ୍ତଙ୍କୁ ପୁଲିସ ସମସ୍ତ ପ୍ରକାର ସୁରକ୍ଷା ଓ ସହାୟତା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅପରପକ୍ଷରେ ଆୟାପ୍ପା ଧର୍ମ ସେନାର ନେତା ରାହୁଲ୍ ଈଶ୍ୱର କହିଛନ୍ତି ଯେ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରାଯାଇଛି। ଯେଉଁମାନେ ଏଥିପାଇଁ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପିଟିଆଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ସିପିଆଇ(ଏମ୍ଏଲ୍)ର କର୍ମୀ ଥିବା ୪୪ ବର୍ଷ ବୟସ୍କ ବିନ୍ଦୁ କଲେଜରେ ଅଧ୍ୟାପନା କରୁଛନ୍ତି ଏବଂ ୪୨ ବର୍ଷ ବୟସ୍କ କନକଦୁର୍ଗା ସାଧାରଣ ବଣ୍ଟନ ବିଭାଗରେ କର୍ମଚାରୀ ଅଛନ୍ତି।
ସାବରୀମାଳା ମନ୍ଦିରରେ ପଶିଲେ ମହିଳା
Popular Categories



