କେବଳ ଶୋଇ ଶୋଇ ୯ ଲକ୍ଷ ଜିତିଲେ ମହିଳା

ସମାଜ ଡିଜିଟାଲ ଡେସ୍କ: ​ଏକ ସୁସ୍ଥ ଜୀବନ ପାଇଁ ଭଲ ନିଦ ଅତ୍ୟନ୍ତ ଜରୁରୀ। କିନ୍ତୁ ଯଦି ଶୋଇବା ଦ୍ୱାରା ଆପଣଙ୍କୁ ଟଙ୍କା ମିଳିବ, ତେବେ ନିଶ୍ଚିତ ଭାବେ ଏହା କୌତୁଳହର ବିଷୟ। ବେଙ୍ଗାଲୁରୁର ଜଣେ ମହିଳା କେବଳ ଶୋଇ ଶୋଇ ୯ ଲକ୍ଷ ଟଙ୍କା ଜିତିଛନ୍ତି। ଏକ ଷ୍ଟାର୍ଟଅପ୍ କମ୍ପାନୀ ଦ୍ୱାରା ଆୟୋଜିତ ସ୍ଲିପ୍ ଚମ୍ପିଆନସିପ୍‌ରେ ଅଂଶଗ୍ରହଣ କରି ଟାଇଟଲ୍ ଜିତିବା କାରଣରୁ ସାଇଶ୍ୱରୀ ପାଟିଲ ୯ ଲକ୍ଷ ଟଙ୍କା ଲାଭ କରିଛନ୍ତି।

​‌ଓ୍ବେ​‌କଫିଟ୍ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନୀ ବେଙ୍ଗାଲୁରୁରେ ସ୍ଲିପ୍ ଚମ୍ପିଆନସିପ୍‌ ପ୍ରତିଯୋଗିତାର ଆୟୋଜନ କରିଥିଲା। ଏହି ପ୍ରତିଯୋଗିତାରେ ସ୍ଲିପ୍ ଇଣ୍ଟର୍ନ ଭାବେ ବେଙ୍ଗାଲୁରୁର ଜଣେ ପୁଞ୍ଜି ନିବେଶ କରୁଥିବା ବ୍ୟାଙ୍କର୍‌ ସାଇଶ୍ୱରୀ ପାଟିଲଙ୍କ ବ୍ୟତୀତ ଅନ୍ୟ ୧୧ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯାଇଥିଲା। ଓ୍ବେକଫିଟ୍ ଷ୍ଟାର୍ଟ ଅପ୍‌ର ପ୍ରଥମ ସ୍ଲିପ୍‌ ଇଣ୍ଟର୍ନସିପ୍ କାର୍ଯ୍ୟକ୍ରମର ଏହା ହେଉଛି ତୃତୀୟ ସଂସ୍କରଣ, ଯାହାର ବିଜେତା ହୋଇଛନ୍ତି ସାଇଶ୍ୱରୀ ପାଟିଲ।

ଉତ୍ତମ ନିଦ୍ରା ଚାହୁଁଥିବା ବ୍ୟକ୍ତି, ଯେଉଁମାନେ କାମ ସହ ଅନ୍ୟ କେତେକ କାରଣରୁ ଶୋଇପାରୁ ନାହାନ୍ତି, ସେମାନଙ୍କୁ ପ୍ରୋତ୍ସାହିତ କରାଯାଇଥାଏ। ସମସ୍ତ ଇଣ୍ଟର୍ନମାନଙ୍କୁ ଦିନରେ ୨୦ ମିନିଟ ବିଶ୍ରାମ ନେବାକୁ ମଧ୍ୟ ପ୍ରୋତ୍ସାହିତ କରାଯାଇଥିଲା। ଦି ହିନ୍ଦୁର ରିପୋର୍ଠ ଅନୁସାରେ, ଉତ୍ତମ ନିଦ୍ରା ପାଇଁ ସମସ୍ତ ପ୍ରତିଯୋଗୀମାନଙ୍କୁ ଏକ ଭଲ ଗଦି ଏବଂ ଏକ କଣ୍ଟାକ୍ଟ-ଲେସ୍‌ ସ୍ଲିପ୍‌ ଟ୍ରାକର୍ ମଧ୍ୟ ଦିଆଯାଇଥିଲା।

ସାଇଶ୍ୱରୀ ପାଟିଲ କହିଛନ୍ତି ଯେ, କୋଭିଡ୍‌ ପରଠାରୁ ତାଙ୍କ ଜୀବନଶୈଳୀ ବିଗିଡ଼ି ଯାଇଥିଲା ଏବଂ ଜଣେ ଅଡିଟର ଭାବେ ଚାକିରି କାରଣରୁ ମଧ୍ୟ ତାଙ୍କ ନିଦ ପ୍ରଭାବିତ ହୁଏ। ସେ କହିଛନ୍ତି ଯେ, ଏହି ପ୍ରତିଯୋଗିତା ତାଙ୍କୁ କିପରି ଶୃଙ୍ଖଳିତ ନିଦ୍ରା ନେବାକୁ ହୁଏ ତାହା ଶିଖାଇଛି। ସାଇଶ୍ୱରୀ ସ୍ଵୀକାର କରିଛନ୍ତି ଯେ, ପ୍ରତିଯୋଗିତା ଜିତିବାର ଚିନ୍ତା ଏବଂ ଚାପ କାରଣରୁ ମଧ୍ୟ ନିଦ ପ୍ରଭାବିତ ହୋଇପାରେ। ସେ କହିଛନ୍ତି, ‘‘ଶୋଇବା ସ୍କୋରରେ ଉନ୍ନତି ଆଣିବାର ଚିନ୍ତା ଥିଲା। ଆପଣ ଉତ୍ତମ ନିଦ୍ରା ପାଇଁ କିପରି ପ୍ରସ୍ତୁତ ହୁଅନ୍ତି? ଫାଇନାଲ୍ ଦିନରେ ମୁଁ କେବଳ ଶାନ୍ତ ଏବଂ ଉପସ୍ଥିତ ରହିବା ଉପରେ ଧ୍ୟାନ ଦେଇଥିଲି।’’

Comments are closed.