ଡେସ୍କ: ଦିଲ୍ଲୀ ପରିବହନ ନିଗମର ଜଣେ ବସ କଣ୍ଡକ୍ଟର ଓ ତାର ବନ୍ଧୁ ଜଣେ ମହିଳାଙ୍କୁ ଚାକିରୀ ଦେବା ଲୋଭ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ପୁଲିସ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ଜଣାପଡିଛି। ଏ ନେଇ ତିମାରପୁର ଥାନାରେ ଏତଲା ଦାୟର ହୋଇଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ତିମାରପୁରରେ ୨୦୨୧ ମସିହାରୁ ରହି ଆସୁଛନ୍ତି। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ସେ ଦିଲ୍ଲୀ ପରିବହନ ବିଭାଗରେ ଟାଇପିଷ୍ଟ ଭାବରେ କାର୍ଯ୍ୟ କରୁଥିଲେ ଏବଂ ୨୦୧୭ରେ ସନ୍ତାନ ପ୍ରସବ ନିମନ୍ତେ ଚାକିରୀ ଛାଡି ଦେଇଥିଲେ। ସେହି ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଜଣଙ୍କ ତାଙ୍କ ଘରକୁ ଭୋଗ ପ୍ରସାଦ ନେଇ ଆସିଥିଲେ ଓ ତାଙ୍କୁ ଦିଲ୍ଲୀ ପରିବହନ ନିଗମରେ ପୁଣି ଚାକିରୀ କରାଇ ଦେବେ ବୋଲି କହିଥିଲେ। ତେବେ ପ୍ରସାଦ ଖାଇବା ପରେ ମହିଳା ଜଣଙ୍କ ବେହୋସ ହୋଇ ପଡିବା ପରେ ଅଭିଯୁକ୍ତ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ। ପରେ ସେହି ଭିଡିଓ ଦେଖାଇ ବ୍ଲାକମେଲ କରୁଥିଲେ।
ଦୁଷ୍କର୍ମ ଶିକାର ମହିଳା କହିଛନ୍ତି, ସେହି ଭିଡିଓ ଡିଲିଟ କରିବା ବାହାନାରେ ପ୍ରଥମ ଅଭିଯୁକ୍ତର ବନ୍ଧୁ ମଧ୍ୟ ତାଙ୍କ ସହ ପୁଣି ଦୁଷ୍କର୍ମ କରିଛନ୍ତି। ଏହି ଘଟଣାରେ ପୁଲିସ ଯାଞ୍ଚ କରୁଥିବା ଜଣାପଡିଛି।



