ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ଶଂକରପୁରସ୍ଥିତ ଡ୍ରିମ୍ ସେଣ୍ଟର ଫାଉଣ୍ଡେସନ୍ ହଷ୍ଟେଲ ନାମକ ଏକ ସଂସ୍ଥାରେ ରହି ପାଠ ପଢ଼଼ୁଥିବା ଜଣେ ନାବାଳିକାକୁ ସଂସ୍ଥାର ମୁଖ୍ୟ ପରିଚାଳକ ଦୁର୍ବ୍ୟବହାର କରିବା ଓ କର୍ମଚାରୀଙ୍କୁ ଲଗାଇ ମାଡ଼ ମାରିଥିବା ନାବାଳିକା ଜଣକ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଡ୍ରିମ୍ ସେଣ୍ଟର ନାମକ ଉକ୍ତ ସଂସ୍ଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପିଲା ମାନଙ୍କୁ ଆଣି ଶଂକରପୁରସ୍ଥିତ ଏହାର କେନ୍ଦ୍ରରେ ରଖି ସେମାନଙ୍କ ସମସ୍ତ ଦାୟିତ୍ୱ ବୁଝିବା ସହିତ ଆଖପାଖର ବିଦ୍ୟାଳୟ ଓ କଲେଜରେ ସେମାନଙ୍କୁ ପାଠ ପଢ଼଼ାଉଛି। ଉକ୍ତ କେନ୍ଦ୍ରଟି ସରକାରୀ ନିୟମାବଳୀ ଅନୁଯାୟୀ ଶିଶୁ ସୁରକ୍ଷା ଧାରାରେ ପଞ୍ଜିକୃତ ହୋଇ ନଥିବା ଜଣାପଡ଼ିଛି। ଉକ୍ତ ସଂସ୍ଥାରେ ରହି କଲେଜରେ ପାଠ ପଢ଼଼ୁଥିବା ଜଣେ ନାବାଳିକା ସଂସ୍ଥା ମଧ୍ୟରେ ଏକୁଟିଆ ଥିବାବେଳେ ସଂସ୍ଥାର ପରିଚାଳକ ତା ପ୍ରତି ଦୁର୍ବ୍ୟବହାର କରିଥିବା ଏବଂ ସେ ଏହାର ପ୍ରତିବାଦ କରିବାରୁ ଅନ୍ୟ ପିଲା ଓ କର୍ମଚାରୀ ମାନଙ୍କୁ ଲଗାଇ ତାକୁ ମାଡ଼ ମାରିଥିବା ନାବାଳିକା ଜଣକ ଚୌଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ କଟକ ଶିଶୁ ମଙ୍ଗଳ ସମିତି ଓ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି। ଉକ୍ତ ନାବାଳିକାକୁ ମାଡ଼ ମରାଯାଉଥିବା ବେଳେ ସଂସ୍ଥାରେ କାର୍ଯ୍ୟରତ ଜଣେ ମହିଳା ରୋଷେୟା ଏହାର ପ୍ରତିବାଦ କରିବାରୁ ତାଙ୍କୁ, ସଂସ୍ଥାରେ କାର୍ଯ୍ୟ କରୁଥିବା ତାଙ୍କ ସ୍ୱାମୀ ଓ ସେହି ସଂସ୍ଥାରେ ରହି ପାଠ ପଢ଼଼ୁଥିବା ତାଙ୍କର ଦୁଇ ପୁଅଙ୍କୁ ସଂସ୍ଥାରୁ ବାହାର କରି ଦିଆ ଯାଇଥିବା ରୋଷେୟା ପତିପତ୍ନୀ ମଧ୍ୟ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ପ୍ରମୋଦ ଆଚାର୍ଯ୍ୟ, ସଦସ୍ୟ ହରିହର ନାୟକ, ଡିସିପିଓ ପ୍ରଗତି ମହାନ୍ତି ନିଜ ନିଜ ସଂଗଠନର ସଦସ୍ୟ ଓ କର୍ମଚାରୀ ମାନଙ୍କୁ ଧରି ବୁଧବାର ଦିନ ଉକ୍ତ ସଂସ୍ଥାରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ କରି ଯାଇଛନ୍ତି। ଚୌଦ୍ୱାର ଥାନା ତରଫରୁ ମଧ୍ୟ ଘଟଣାର ସତ୍ୟାସତ୍ୟ ଉପରେ ତଦନ୍ତ ଜାରୀ ରହିଛି। ତେବେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଏହାର ତଦନ୍ତ କରାଯାଇ ପ୍ରକୃତ ସତ୍ୟ ବାହାର କରାଯାଉ ବୋଲି ସଂସ୍ଥାର ପରିଚାଳକ ଡେଭିଡ଼ ନାୟକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟଯେ ସଂସ୍ଥାଟି ଶିଶୁ ସୁରକ୍ଷା ଧାରାରେ ପଞ୍ଜିକୃତ ହୋଇ ନଥିବା ଏବଂ ସଂସ୍ଥାରେ ବିଭିନ୍ନ ପ୍ରକାରର ଅନିୟମିତ କାର୍ଯ୍ୟ ଚାଲିଥିବା ଅଭିଯୋଗରେ ଗତ ୨ବର୍ଷ ତଳେ ଜିଲା ଶିଶୁ ସୁରକ୍ଷା ବିଭାଗ ଓ ଜିଲା ଶିଶୁ ମଙ୍ଗଳ ସମିତି ତରଫରୁ ମିଳିତ ଚଢ଼ଉ କରାଯାଇ ସଂସ୍ଥାକୁ ସିଲ କରା ଯାଇଥିଲା।
Popular Categories



