୩ ମାସର ଝିଅକୁ ଛାଡ଼ି ଜେଲ୍‌ ଯିବ ପୁଲିସବାଲୀ ମାଆ; କାମ ପାଇଁ ପୁରା ଜିଲାରେ ଲଜ୍ଜିତ

ଯୋଧପୁର: ରାଜସ୍ଥାନର ଯୋଧପୁର ଜିଲାରୁ ଚଞ୍ଚଲ ବିଷ୍ଣୋଇ ନାମକ ସବ୍ ଇନ୍ସପେକ୍ଟରଙ୍କୁ ସ୍ପେଶାଲ ଅପରେସନ୍ ଗ୍ରୁପ୍(ଏସଓଜି) ଗିରଫ କରିଛି। ସେ ଗିରଫ ହୋଇଥିବା ୧୪ ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ। କିନ୍ତୁ ଚଞ୍ଚଲଙ୍କ କାହାଣୀ କିଛି ଅଲଗା, କାରଣ ତାଙ୍କର ୩ ମାସର ଗୋଟିଏ ଝିଅ ଅଛି। ଏବେ ଝିଅକୁ ଗେହ୍ଲା କରିବା ସମୟରେ ମାଆକୁ ଜେଲରେ ରହିବାକୁ ପଡ଼ିବ। ସୋମବାର ସ୍ପେଶାଲ ଅପରେସନ୍ ଗ୍ରୁପ୍ ୧୨ ଦିନର ରିମାଣ୍ଡ ଶେଷ ହେବା ପରେ ସମସ୍ତ ପୁଲିସ ଅଧିକାରୀଙ୍କୁ କୋର୍ଟରେ ହାଜର କରିଥିଲେ। ସେଠାରୁ ଆଉ ଗୋଟିଏ ଦିନର ରିମାଣ୍ଡ ମିଳିଛି। ଏବେ ଏହି ରିମାଣ୍ଡ ପରେ ମଙ୍ଗଳବାର ଅପରାହ୍ନରେ ଚଞ୍ଚଲଙ୍କୁ ଜେଲ ଯିବାକୁ ପଡ଼ିବ।

ସୂଚନା ଅନୁସାରେ, ଚଞ୍ଚଲ ବିଷ୍ଣୋଇ ସେହି ପୁଲିସ କର୍ମଚାରୀମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ସବ୍‌ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାର ପେପର ଲିକ୍‌ କରି, କପି କରି ଉତ୍ତୀର୍ଣ୍ଣ ହୋଇଥିଲେ। ଚଞ୍ଚଲ ବିଷ୍ଣୋଇଙ୍କ ପିତା ଜ​ଣେ ଅଭ୍ୟାସଗତ ଠକ। ସେ ଜେଲ୍‌ ଭିତରେ ​ପେପର୍‌ ଲିକ୍ କରୁଥିବା ମାଫିଆଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ସେହି ମାଫିଆ ସବ୍ ଇନ୍ସପେକ୍ଟର ନିଯୁକ୍ତି ପେପର୍‌ ଆଣି ଜେଲ ବାହାରେ ଚଞ୍ଚଲ ବିଷ୍ଣୋଇଙ୍କୁ ଦେଇଥିଲା। ପେପର୍‌ ପଢିବା ପରେ ଚଞ୍ଚଲ ସବ୍ ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଶାରୀରିକ ପରୀକ୍ଷା ମଧ୍ୟ ଦେଇଥିଲେ, ଯେଉଁଥିରେ ସେ ପାସ୍ କରିଥିଲେ।

ଚଞ୍ଚଲ ଏବଂ ଅନ୍ୟ ପୁଲିସ କର୍ମଚାରୀଙ୍କୁ ଗତ ମାସରେ ଏସଓଜି ଗିରଫ କରିଥିଲା ​​ଏବଂ ପରେ ସେମାନଙ୍କୁ ରିମାଣ୍ଡରେ ନେଇଥିଲା। ସେମାନଙ୍କୁ ଲଗାତର ଭାବେ ପଚରାଉଚରା କରାଯାଉଛି। ତେବେ ସୋମବାର ଯେତେବେଳେ ଏସଓଜି ଚଞ୍ଚଲଙ୍କୁ କୋର୍ଟରେ ହାଜର କରିଥିଲେ ସେତେବେଳେ ତାଙ୍କ କୋଳରେ ୩ ମାସର ଶିଶୁ କନ୍ୟାଟିଏ ଥିଲା। ପରେ ଚଞ୍ଚଲ ଝିଅକୁ ଆଈଙ୍କ ହାତକୁ ଦେଇ ପୁଲିସ ସହ ଯାଇଥିଲେ, ଆଜି ତାଙ୍କୁ ଜେଲ ଯିବାକୁ ପଡ଼ିବ।

Comments are closed.