ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ଦୁଇଦିନିଆ ସମ୍ବଲପୁର ଗସ୍ତ

ସମ୍ବଲପୁର : ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ ଦୁଇ ଦିନିଆ  ସମ୍ବଲପୁର ଗସ୍ତରେ ଆସିଛନ୍ତି । ଏହି ଅବସରରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ସେ କହିଛନ୍ତି ଯେ, ଗତ ୧୫ ତାରିଖରୁ ମୁଁ ଗସ୍ତରେ ବାହାରି ବଲାଙ୍ଗୀର, ବୌଦ୍ଧ, ବରଗଡ, ସୋନପୁର ଜିଲା ଗସ୍ତ କରିବା ପରେ ସମ୍ବଲପୁରକୁ ଆସିଛି। ବଲାଙ୍ଗୀର ଗସ୍ତ ସମୟରେ ଚାଷୀ ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ କୃଷି ଯୋଜନା ସମସ୍ତଙ୍କ ନିକଟରେ କିଭଳି ପହଞ୍ଚାଯାଇ ପାରିବ ସେଥିପାଇଁ ​ସେ ଉଦ୍ୟମ କରିଥିଲେ। ସମ୍ବଲପୁରକୁ ଆସି ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ପଶ୍ଚିମ ଓଡିଶା ବିକାଶ ପରିଷଦ ମାଧ୍ୟମରେ ଏବେ ବଡ ବଡ ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେବ। ୨୦୨୦ ମସିହା ପୂର୍ବରୁ ଯେଭଳି ଭାବରେ ପ୍ରକଳ୍ପ ଗୁଡିକୁ ହାତକୁ ନିଆଯାଇଥିଲା, ସେହିଭଳି ବଡ ବଡ ପ୍ରକଳ୍ପ ଗୁଡିକୁ ଏବେ ହାତକୁ ନିଆଯାଉଛି । ରାଜ୍ୟର ପ୍ରତି ଜିଲା ମୁଖ୍ୟାଳୟ କିମ୍ବା ଉପଖଣ୍ଡରେ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ କରିବାର ଯୋଜନା ହାତକୁ ନେଇଛୁ । ସମ୍ବଲପୁରରେ ୧୨ କୋଟି ଟଙ୍କା ବ୍ୟୟରେ ଏକ ବଡ ଅଡିଟୋରିୟମ ନିର୍ମାଣ ପାଇଁ ପାଣ୍ଠି ପ୍ରଦାନ କରାଯାଇଛି । ଜନହିତଙ୍କ ପାଇଁ ପଶ୍ଚିମ ଓଡିଶାର ବିଭିନ୍ନ ଜିଲା ମୁଖ୍ୟାଳୟ ଗୁଡିକରେ ଯେତେ ବଡ ପ୍ରକଳ୍ପ ହେଲେ ସୁଦ୍ଧା ସେଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେଉଛୁ। ଆଗାମୀ ଦିନରେ ବଲାଙ୍ଗୀର ଲୋକସଭାର ପ୍ରାର୍ଥୀ ହେବା ପ୍ରଶ୍ନର ଉତ୍ତରରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସେ ପଶ୍ଚିମ ଓଡିଶା ବିକାଶ ପରିଷର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ରୂପେ ବିଗତ ୨ ବର୍ଷରୁ ଉର୍ଦ୍ଧ ହେବ ନିୟମିତ ବିଭିନ୍ନ କାର୍ଯ୍ୟ ସଂକ୍ରାନ୍ତରେ ବୁଲି ବୁଲି ତଦାରଖ କରୁଛି । ଏବେ ବିଭିନ୍ନ ନାନୋ ପ୍ରକଳ୍ପ ଗୁଡିକରେ ଯୁବ ଉଦ୍ୟମୀମାନେ ଭଲ କାମ କରୁଛନ୍ତି ବୋଲି କହି ନିର୍ବାଚନ ପ୍ରାର୍ଥୀ ପ୍ରସଙ୍ଗକୁ ଶ୍ରୀ ତ୍ରିପାଠୀ ଏଡାଇ ଯାଇଥିଲେ।

 

Comments are closed.