ଦୀପାବଳିରେ କାଳୀପୂଜା କାହିଁକି?

ଆଲୋକର ପର୍ବ ଦୀପାବଳି। ସାରା ଦେଶରେ ଏହାକୁ ଖୁବ୍‍ ଆନନ୍ଦ ସହକାରେ ଓ ଧୁମ୍‍ଧାମରେ ପାଳନ କରାଯାଏ। ଦୀପାବଳିରେ ମା’କାଳୀଙ୍କର ପୂଜାର୍ଚ୍ଚନା ହୋଇଥାଏ। ଓଡ଼ିଶାର ଅନେକ ସ୍ଥାନରେ ଏହିଦିନଠାରୁ କାଳୀ ପୂଜା ଆରମ୍ଭ ହୋଇ ୭ରୁ ୮ ଦିନ ଯାଏ ଚାଲିଥାଏ ଓ ମେଳା, ଯାତ୍ରା ଆଦି ହୋଇଥାଏ। ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ଦୀପାବଳିରେ କାହିଁକି ମା’ କାଳୀଙ୍କ ପୂଜାର୍ଚ୍ଚନା କରାଯାଏ? ଆସନ୍ତୁ ଜାଣିବା ଏ ବିଷୟରେ କ’ଣ କହେ ଶାସ୍ତ୍ର –

ଶାସ୍ତ୍ର ଅନୁସାରେ, ଯେଉଁ ସମୟରେ ସ୍ୱର୍ଗରେ ଅଶୁରମାନଙ୍କର ଉତ୍ପାତ ବଢିବାରେ ଲାଗିଥିଲା ସେହି ସମୟରେ ଦେବୀ ଦୁର୍ଗା ଆର୍ବିଭାବ ହୋଇଥିଲେ । ଏହାପରେ ସମସ୍ତ ଦେବାଦେବୀଙ୍କ ଶକ୍ତିକୁ ନେଇ ଦେବୀ ଅଶୁରମାନଙ୍କ ସହ ଲଢିଲେ । ଶେଷରେ ମହିଶାଷୁରକୁ ବଦ୍ଧ କରିବା ପରେ ଦୁର୍ଗା ଥକି ପଡିଥିଲେ। ତେଣୁ ମା’ଙ୍କର କେଶ ଅଡୁଆ ହୋଇ ପଡିଥିଲା । ଶାସ୍ତ୍ର ଅନୁସାରେ ଦୁର୍ଗାଙ୍କ କେଶରୁ ହିଁ କାଳୀଙ୍କର ଆବିର୍ଭାବ ହୋଇଥିଲା । ପରେ କାଳୀ ଭୟଙ୍କର ଭାବରେ କ୍ରୋଧାନ୍ୱିତ ହୋଇଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ କାହାରି ପାଖରେ କୌଣସି ବିଦ୍ୟା ନଥିଲା। ଗୋଟିଏ ପରେ ଗୋଟିଏ ଅଶୁରର ମୁଣ୍ଡ କାଟିବା ସହ ତାଙ୍କ ମାଳକୁ ବେକରେ ପିନ୍ଧିଥିଲେ ମା’ । ଏପରି କରାଳ ରୂପ ଦେଖି ସ୍ୱୟଂ ଭଗବାନ ଶିବ ମଧ୍ୟ କିଛି ସମୟ ପାଇଁ ସ୍ତମ୍ଭୀଭୂତ ହୋଇଥିଲେ । ଶେଷରେ ମା’ଙ୍କୁ ଶାନ୍ତ କରିବା ପାଇଁ ଅନ୍ଧାରରେ ଶିବ ଏକ ସ୍ଥାନରେ ଶୋଇ ରହିଥିଲେ । ପରେ ମା’ ଉଗ୍ରମୁଖା ହୋଇ ଗଲା ବେଳେ ଅନ୍ଧାର ହୋଇଥିବା କାରଣରୁ ସ୍ୱାମୀଙ୍କ ଉପରେ ଚଢିଯାଇଥିଲେ । ପରେ ଯେତେବେଳେ ଦେଖିଲେ ନିଜ ସ୍ୱାମୀର ଛାତି ଉପରେ ଗୋଡ ରଖିଛନ୍ତି ତାହା ପରେ ଜିଭ କାମୁଡି ଦେବା ସହ ଶାନ୍ତ ହୋଇପଡିଥିଲେ ।

ଏହାପରେ ସେହି ସମୟରେ ମା’ଙ୍କୁ ଅନେକ ବିଦ୍ଧିବିଧାନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାପରେ ସେହି ଦିନଠାରୁ ହିଁ ମା’ଙ୍କର ପୂଜାର୍ଚ୍ଚନା କାର୍ତିକ ମାସ ଆମାବାସ୍ୟାରେ କରାଯିବାର ବିଧି ରହିଛି। ସେହି ଦିନ ରାବଣକୁ ବଦ୍ଧ କରି ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ପ୍ରତ୍ୟାବର୍ତନ କରିଥିଲେ। ତେବେ ରାମଙ୍କୁ ସ୍ୱାଗତ କରିବା ସ୍ଥାନୀୟ ଲୋକମାନେ ନିଜ ନିଜ ଦ୍ୱାର ସମ୍ମୁଖରେ ଦୀପଦାନ କରିଥିଲେ । ସେହି ଦିନ କାଳୀ ମଧ୍ୟ ଶାନ୍ତ ହୋଇଥିଲେ। ତେଣୁ ଏପରି ପୂଜା କରିବାର ବିଦ୍ଧି ରହିଥିବା ଜଣାଯାଏ । ବର୍ତମାନ ସମୟରେ ଭାରତରେ ଅନେକ ସ୍ଥାନରେ କାଳୀପୂଜା ବଡ ଧୁମଧାମରେ ପାଳନ କରାଯାଉଛି ।

Comments are closed.