ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳ ଡକ୍ଟର. ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଇଛି। ମାତ୍ର ରାଜନୈତିକ ମହଲରେ ସାକ୍ଷାତକାରକୁ ନେଇ ଭିନ୍ନଭିନ୍ନ ଚର୍ଚ୍ଚା ହେଉଛି। ନିକଟରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ସେଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ବିଜେପିର ବହୁ ତୁଙ୍ଗ ନେତାଙ୍କୁ ସାକ୍ଷାତ କରିଥିଲେ। ଏହା ପରେ ରାଜ୍ୟରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଜେପି ସରକାର ଯେତେବେଳେ ରାଜ୍ୟରେ ଏକବର୍ଷ ପୂରଣ କଲା ତାହାର ଅବ୍ୟବହତି ପୂର୍ବରୁ ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଖୁବ ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ନେଇ ସୂଚନା ଦେଇଥିଲେ। ଏବେ ମୁଖ୍ୟମନ୍ତ୍ରୀଙ୍କ ସୂଚନାକୁ ମାସେରୁ ଅଧିକ ସମୟ ବିତିଗଲାଣି। ସେହି ଦୃଷ୍ଟିରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ମୁଖ୍ୟମନ୍ତ୍ରୀ ନିଜେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସମୟ ମାଗିଥାଇପାରନ୍ତି ବୋଲି ଆଲୋଚନା ହେଉଛି।
ଅନ୍ୟ ପକ୍ଷରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ଏବେ ରାଜନୀତି ଜୋର ଧରିଛି। ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମଦାହ ଘଟଣା ଠାରୁ ଆରମ୍ଭ କରି ପୁରୀ ଜିଲ୍ଲା ବଳଙ୍ଗା ଛାତ୍ରୀଙ୍କୁ ନିଆଁରେ ପୋଡ଼ିଦେବା ପର୍ଯ୍ୟନ୍ତ ପ୍ରତିଟି କଥାରେ ବିରୋଧୀ ସରକାରକୁ ଆକ୍ଷେପ କରୁଛନ୍ତି। ନିତିଦିନ ରାଜରାସ୍ତାରେ ଏନେଇ କଂଗ୍ରେସ ଓ ବିଜେଡି ଆନ୍ଦୋଳନ କରୁଛନ୍ତି। ରଥଯାତ୍ରା ଦଳାଚକଟା ଘଟଣାକୁ ନେଇ ମୋହନ ସରକାରକୁ କିଛି କମ୍ ବଦନାମ ହେବାକୁ ପଡ଼ିନାହିଁ। ପ୍ରତି 15 ଦିନରେ ଥରେ ରାଜ୍ୟପାଳ ରାଷ୍ଟ୍ରପତିଙ୍କ ନିକଟକୁ ରାଜ୍ୟରେ ଚାଲୁଥିବା ଘଟଣାବଳୀଗୁଡ଼ିକ ବିଷୟରେ ଏକ ଗୁପ୍ତ ରିପୋର୍ଟ ପଠାଇଥାନ୍ତି। ଅବଶ୍ୟ ଏଥର ଉଭୟ କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ଶାସନ ଥିବା କାରଣରୁ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ସମନ୍ୱୟ ନେଇ କୌଣସି ଅସୁବିଧା ନାହିଁ। ତଥାପି ବି ମୁଖ୍ୟମନ୍ତ୍ରୀ ତାଙ୍କ ଏହି ଆଲୋଚନା ସମୟରେ ରାଜ୍ୟପାଳଙ୍କୁ ଆଇନଶୃଙ୍ଖଳା ବିଷୟରେ ଅବଗତ କରାଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି।



