ଯେଉଁଠି ୪୩% ସାଂସଦଙ୍କ ଉପରେ ଅପରାଧ ମାମଲା; ସେଠି ବିକାଶ ଦୁବେକୁ ରୋକିବ କିଏ?

ବିକାଶ ଦୁବେ ଏନକାଉଣ୍ଟର ଘଟଣା ପରେ ଆରମ୍ଭ ହୋଇଛି ଆରୋପ-ପ୍ରତ୍ୟାରୋପର ପର୍ବ । ଅପରାଧୀ-ରାଜନେତା-ପୁଲିସ ସମ୍ପର୍କକୁ ନେଇ ପୁଣି ଉଠିଛି ପ୍ରଶ୍ନ । ଯଦିଓ ଏହି ତିନି ଖମ୍ବର ସମ୍ପର୍କ ବହୁକାଳର ଓ ବହୁ ପରିଚିତ, ତଥାପି ବିକାଶ ଦୁବେ ପରି ଅପରାଧୀକୁ ରାଜନୈତିକ ସୁରକ୍ଷା ଦେବା ପୁଣିଥରେ ନେତାମାନଙ୍କ ନୈତିକତା ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି । ଏହା ନିଶ୍ଚିତ ଯେ ବିକାଶ ପରି ଅପରାଧୀକୁ କୌଣସି ପ୍ରକାରେ ରାଜନୈତିକ ସୁରକ୍ଷା ମିଳୁଥିଲା ନିଶ୍ଚୟ । ଏହାବ୍ୟତୀତ ତାକୁ ପୁଲିସ ବିଭାଗର ଭିତିରି କଥା ଜଣାଇବାକୁ ବି ଲୋକ ଥିଲେ । ଯେଉଁମାନେ ତାକୁ ପୁଲିସ ଚଢ଼ଉ ସମ୍ପର୍କରେ ଆଗୁଆ ସୂଚନା ମଧ୍ୟ ଦେଇଥିଲେ ।

ତେବେ ରାଜନେତାମାନେ ଅପରାଧୀଙ୍କ ଉପରେ ଲଗାମ ଲଗାଇବାରେ ବ୍ୟର୍ଥ ହେବା ପଛରେ କେଉଁ କାରଣ ଅଛି? ରାଜନୈତିକ ଦଳ ଅପରାଧ କାର୍ଯ୍ୟକଳାପରେ ଲିପ୍ତ ଲୋକଙ୍କୁ କାହିଁକି ପ୍ରୋତ୍ସାହିତ କରୁଛନ୍ତି ? ବୋଲି ଅନେକ ପ୍ରଶ୍ନ କରୁଛନ୍ତି । ମାତ୍ର ଏହି ସବୁ ପ୍ରଶ୍ନର ଉତ୍ତରର ଗୋଟିଏ ସରଳ ଓ ସଳଖ ଉତ୍ତର ରହିଛି । ଯେଉଁଠି ଆମ ଦେଶର ସାଂସଦମାନଙ୍କ ମଧ୍ୟରୁ ୪୩% ଅପରାଧିକ ମାମଲାରେ ଅଭିଯୁକ୍ତ ସେଠି ଅପରାଧ ଲୋପ ପାଇଁ ସ୍ବର କିଏ ଉଠାଇବ ? ବିଡ଼ମ୍ବନା ତ ହେଉଛି ଦେଶର ସାଂସଦମାନଙ୍କ ମଧ୍ୟରୁ ୨୯%ଙ୍କ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ବଳାତ୍କାର, ଅପହରଣ ପରି ଗୁରୁତର ଦଫାରେ ମାମଲା ମଧ୍ୟ ଚାଲିଛି ।

ବିଡ଼ମ୍ବନା ହେଉଛି ରାଷ୍ଟ୍ରୀୟ ଓ ରାଜ୍ୟସ୍ତରରେ ୨୫ ଦଳ ମଧ୍ୟରୁ ୬ଟି ଦଳ ଏମିତି ଅଛନ୍ତି ଯେଉଁମାନଙ୍କର ସବୁ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏହାମଧ୍ୟରେ ଲୋକ ଜନଶକ୍ତି ପାର୍ଟି, ଓୱେସୀଙ୍କ ଏଆଇଏମ୍ଆଇଏମ୍ ସାମିଲା । ସେହିପରି କେରଳର ୯୦%, ବିହାରର ୮୨% ସାଂସଦଙ୍କ ନାମରେ ଅପରାଧ ମାମଲା ଥିବାବେଳେ ପଶ୍ଚିମବଙ୍ଗର ୫୫%, ଉତ୍ତରପ୍ରଦେଶର ୫୬%, ମହାରାଷ୍ଟ୍ରର ୫୮% ସାଂସଦ ବିଭିନ୍ନ ମାମଲାରେ ସମ୍ପୃକ୍ତ ଥିବା ସୂଚନା ମିଳିଛି ।

ବରିଷ୍ଠ ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟ ରାଜନୀତିରୁ ଅପରାଧୀକରଣ ଲୋପ କରିବା ନିମନ୍ତେ ୨୦୧୬ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଅପରାଧ ମାମଲାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇବା ନିମନ୍ତେ ସେ ପ୍ରାର୍ଥନା କରିଥିଲେ । ଏହା ସହ ଲୋକପ୍ରତିନିଧି ଓ ଲୋକସେବକମାନଙ୍କ ଉପରେ ରୁଜୁ ହେଉଥିବା ମାମଲାଗୁଡ଼ିକ ଶୁଣାଣି ନିମନ୍ତେ ଜିଲାସ୍ତରରେ ବିଶେଷ ଅଦାଲତ ସ୍ଥାପନ କରାଯିବା ଓ ୨ ବର୍ଷରୁ ଅଧିକ ଜେଲ୍ ଭୋଗିଥିବା ବ୍ୟକ୍ତିଙ୍କୁ ଆଜୀବନ ନିର୍ବାଚନ ଲଢ଼ିବାରୁ ବଞ୍ଚିତ କରିବାକୁ ଅଦାଲତଙ୍କୁ ପ୍ରାର୍ଥନା କରିଥିଲେ । ସେହିପରି ସମ୍ପୃକ୍ତ ବ୍ୟକ୍ତି କୌଣସି ରାଜନୈତିକ ଦଳ ଗଠନ କରିପାରିବେ ନାହିଁ କିମ୍ବା ପଦରେ ରହି ପାରି​‌ବେ ନାହିଁ ବୋଲି ଆଦେଶ ଦେବାକୁ ଅଦାଲତରେ ଯାଚିକା ଦାୟର କରିଥିଲେ ।

ମାତ୍ର ନିର୍ବାଚନ କମିଶନଙ୍କ ସହମତି ପରେ ଏହି ପ୍ରସଙ୍ଗରେ ବିଶେଷ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । କୌଣସି କୌଣସି ରାଜ୍ୟ ଗୋଟିଏ ଦୁଇଟି ଅଦାଲତଗଠନ କଲେ, ମାତ୍ର ଯେଉଁଠି ଅଦାଲତ ଗଠନ କରାଗଲା ସେଠାରେ ମାମଲା ଶୁଣାଣିର ଗତି ମନ୍ଥର କରି ଦିଆଗଲା । ଗତ ଜାନୁଆରୀ ମାସରେ ଏକ ଆଦେଶରେ ସୁପ୍ରିମକୋର୍ଟ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ଟିକେଟ ଦେବାର ଆବଶ୍ୟକତା ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକୁ ତଥ୍ୟ ରଖିବାକୁ ବାଧ୍ୟତାମୂଳକ କରି ଦେଇଛନ୍ତି । ଏହାପରେ ଅବଶ୍ୟ କୌଣସି ନିର୍ବାଚନ ହୋଇନାହିଁ । ବିହାର ବିଧାନସଭା ନିର୍ବାଚନରେ ଏହାର କ’ଣ ପ୍ରଭାବ ପଡ଼ିବ ତାହା ଆଗକୁ ଦେଖିବାକୁ ବାକି ଅଛି ।

prayash

ସାଂସଦଙ୍କ ନାମରେ ଅପରାଧ ମାମଲା

ଏନଡ଼ିଆରର ୨୦୧୯ ମେ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ତମାନ ସପ୍ତଦଶ ଲୋକସଭାରେ ୫୪୨ ସାଂସଦଙ୍କ ମଧ୍ୟରୁ ୨୩୩ ଜଣ (୪୩%)ଙ୍କ ନାମରେ କୌଣସି ନା କୌଣସି ମାମଲା ରହିଛି । ନବନିର୍ବାଚିତ ସାଂସଦମାନେ ଦାଖଲ କରିଥିବା ସତ୍ୟପାଠ ଯାଞ୍ଚ ପରେ ୧୫୯ (୨୯%) ସାଂସଦଙ୍କ ନାମରେ ଗୁରୁତର ଅପରାଧିକ ମାମଲା ଚାଲିଥିବା ଜଣାପଡ଼ିଛି। ଏହା ମଧ୍ୟରେ ଅପହରଣ, ଦୁଷ୍କର୍ମ, ହତ୍ୟା ଉଦ୍ୟମ, ହତ୍ୟା ଷଡ଼ଯନ୍ତ୍ର, ହତ୍ୟା ପରି ଗୁରୁତର ମାମଲା ରହିଛି ।

ବିଜେପିର ୩୦୩ ସାଂସଦଙ୍କ ମଧ୍ୟରୁ ୩୦୧ ସାଂସଦଙ୍କ ସତ୍ୟପାଠରୁ ମିଳିଥିବା ସୂଚନା ଅନୁସାରେ ୧୧୬ (୩୯%)ଙ୍କ ନାମରେ ଅପରାଧ କାର୍ଯ୍ୟକଳାପ ସଂକ୍ରାନ୍ତ ମାମଲା ଅଛି । ଅନୁରୂପ ଭାବରେ କଂଗ୍ରେସର ୫୨ ସାଂସଦଙ୍କ ମଧ୍ୟରୁ ୨୯ (୫୭%), ବସପାର ୧୦ରୁ ୫ (୫୦%), ଜେଡ଼ିୟୁର ୧୬ରୁ ୧୩ (୭୮%), ତୃଣମୂଳ କଂଗ୍ରେସର ୨୨ରୁ ୯, ସିପିଏମର ୩ ସାଂସଦଙ୍କ ମଧ୍ୟରୁ ୨ ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ୧ ଦଶନ୍ଧି ମଧ୍ୟରେ ଅପରାଧରେ ଲିପ୍ତ (ଦାଗୀ) ସାଂସଦଙ୍କ ସଂଖ୍ୟା ୪୩% ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ୨୦୦୯ରେ ଏହି ସଂଖ୍ୟା ୩୦% ରହିଥିଲା । ୨୦୧୪ରେ ୩୪% ସାଂସଦଙ୍କ ନାମରେ ମାମଲା ଥିଲା । ମାତ୍ର ଏବେ ତାହା ୪୩%ରେ ପହଞ୍ଚି ଯାଇଛି । ୨୦୦୯ରେ ଗୁରୁତର ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ସାଂସଦଙ୍କ ସଂଖ୍ୟା ୧୪%, ୨୦୧୪ରେ ୨୧% ଥିବାବେଳେ ଏବେ ତାହା ୨୯%ରେ ପହଞ୍ଚି ଯାଇଛି ।

(ସୌ:ଅମର ଉଜାଲା)

 

kalyan agarbati

Comments are closed.