www.samajalive.in
Friday, December 12, 2025
14.1 C
Bhubaneswar

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚୌକି : ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ମିଳିପାରେ ଆର୍ଶୀବାଦ!

ବଲାଙ୍ଗିର (ପାର୍ଥ ମହାପାତ୍ର) : ଗେରୁଆ ରଙ୍ଗରୁ ସବୁଜ ରଙ୍ଗକୁ ଓହ୍ଲାଇ ଆସିଥିଲେ ସ୍ୱର୍ଗତ ସୁବାସ ଚୌହାନ। ପଦ୍ମ ବଦଳରେ ଫୁଙ୍କିଥିଲେ ଶଙ୍ଖ। ଆଉ ତାଙ୍କୁ ପୁରସ୍କାର ମିଳିଥିଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଚୌକି। କିନ୍ତୁ ଦୁର୍ଭାଗ୍ୟ ସେ ବେଶୀ ଦିନ ଏହି କ୍ଷମତା ଉପଭୋଗ କରିପାରିଲେ ନାହିଁ। ଅକାଳରେ ଓ ଅସମୟରେ ତାଙ୍କ ପରଲୋକ ହେଲା। ଯାହାକୁ ସହଜରେ ଶାସକ ଦଳ ହଜମ କରିପାରି ନଥିଲା। ସ୍ୱର୍ଗତ ଚୌହାନଙ୍କ ପରଲୋକ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଅନେକ ନେତାଙ୍କ ନାଁ ଆଲୋଚନାକୁ ଆସିଥିଲା। ତେବେ କରୋନା ଆଳରେ ଏହାକୁ ଗଡେଇ ଦିଆଯାଇଥିଲା। ଠିକଣା ସମୟରେ ସବୁକିଛି ଠିକ୍ ହେବ ଓ ଅଧ୍ୟକ୍ଷ ଚୟନ କରାଯିବ ବୋଲି ଶାସକ ଦଳ ପକ୍ଷରୁ ପଶ୍ଚିମ ଓଡ଼ିଶାର ମଙ୍ଗୁଆଳ ସାଜିଥିବା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ପ୍ରତିକ୍ରିୟାରେ କହିଥିଲେ। ମେ ଯାଇ ଜୁନ୍ ଗଲା, ଇତିମଧ୍ୟରେ ୫ ମାସ ବିତି ଗଲାଣି। ହେଲେ ବିକାଶ ପରିଷଦ ଅଧ୍ୟକ୍ଷ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଶେଷ ହେଉ ନାହିଁ। ହେଲେ ଏବେ କେବଳ ରାଜଧାନୀ, ନେତା କି ପ୍ରଶାସନିକ ଅଧିକାରୀସ୍ତରରେ ଆଲୋଚନା ଅଟକି ନାହିଁ। ଅଧ୍ୟକ୍ଷ ଚୌକିରେ ଏଥର ନେତା ନୁହେଁ, ନିକଟ ଅତୀତରେ ରାଜ୍ୟ ସରକାରଙ୍କ ପ୍ରଶାସନିକସ୍ତରର ପ୍ରମୁଖ ପଦରୁ ଅବସର ନେବାକୁ ଯାଉଥିବା ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ଚୌକିରେ ବସିବାର ସୁଯୋଗ ମିଳିବ ବୋଲି ଆଲୋଚନା ଜୋରଦାର ହେଉଛି। ଆଉ ଏହି ପ୍ରଶାସନିକ ଅଧିକାରୀ ରାଜ୍ୟ ସରକାରଙ୍କ ପ୍ରମୁଖ ପ୍ରଶାସନିକ ପଦବୀରେ ଥିଲେ ବି ପଶ୍ଚିମ ଓଡ଼ିଶାରୁ ବି ପ୍ରତିନିଧିତ୍ୱ କରୁଥିବାରୁ ଆଲୋଚନାକୁ ଅଧିକ ବଳ ମିଳିଛି।

ବରଗଡ ଲୋକସଭା ଆସନରୁ ପଦ୍ମ ଦଳରୁ ସାଂସଦ ପ୍ରାର୍ଥୀ ହୋଇଥିଲେ ଏକଦା ବିଜେପିର ବରିଷ୍ଠ ନେତା ସୁବାସ ଚୌହାନ। ସେ ପରାଜିତ ହୋଇଥିଲେ। କିନ୍ତୁ ତାଙ୍କୁ ଦଳ ପରବର୍ତ୍ତୀ ସମୟରେ ଅଣଦେଖା କରିଥିଲା ବିଜେପୁର ଉପ ନିର୍ବାଚନ ସମୟରେ। ଆଏସ୍ଏସ୍, ସଂଘ ପରିବାର ସହ ଜଡିତ ସ୍ୱର୍ଗତ ଚୌହାନ ୨୦୧୦-୧୨ ମସିହାରେ ବଜରଙ୍ଗ ଦଳର ଜାତୀୟ ଅବାହକ ଭାବେ ବି କାର୍ଯ୍ୟ ତୁଲାଇଥିଲେ। କିନ୍ତୁ ଅଣଦେଖା ହେବା ପରେ ସେ ବିଜେଡିରେ ଯୋଗଦେଲେ। ୨୦୧୯ ସେପ୍ଟେମ୍ବର ମାସରେ ତାଙ୍କୁ ବିକାଶ ପରିଷଦ ଅଧ୍ୟକ୍ଷ କରାଯାଇଥିଲା। ଅଳ୍ପ ସମୟ ମଧ୍ୟରେ ସେ ବି ବେଶ ଆଦୃତ ହୋଇଥିଲେ। କିନ୍ତୁ ଗତ ମେ ୧୦ରେ ତାଙ୍କ ମୃତ୍ୟୁ ପରେ ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ୱରୀ ପାଣିଗ୍ରାହୀ, ସମ୍ବଲପୁର ବିଜେଡି ଲୋକସଭା ପ୍ରାର୍ଥୀ ଇଂ.ନଳିନୀ ପ୍ରଧାନ, କଳାହାଣ୍ଡିରୁ ସାଂସଦ ପ୍ରାର୍ଥୀ ଭାବେ ପରାଜିତ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବରଗଡର ପୂର୍ବତନ ସାଂସଦ ପ୍ରଭାସ ସିଂ, ବଲାଙ୍ଗିରର ପୂର୍ବ ସାଂସଦ କଳିକେଶ ସିଂହଦେଓ ପ୍ରମୁଖଙ୍କ ନାଁ ଅଧ୍ୟକ୍ଷ ପଦ ପାଇଁ ଆଲୋଚନା ପରିଧିକୁ ଆସିଥିଲା। ହେଲେ ବର୍ତ୍ତମାନର ଶ୍ରମ ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ ଯେ, କରୋନା ଯୋଗୁଁ ଅଧ୍ୟକ୍ଷ ପଦ ନେଇ ସେଭଳି କୌଣସି ନିଷ୍ପତ୍ତି ହୋଇ ନାହିଁ। ମୁଖ୍ୟମନ୍ତ୍ରୀ ଏନେଇ ନିଷ୍ପତ୍ତି ଠିକଣା ସମୟରେ ନେବେ। ଆଉ ଖୁବଶୀଘ୍ର ଅଧ୍ୟକ୍ଷ କିଏ ହେବ ତାହା ଘୋଷଣା କରାଯିବ।

- Advertisement -

ଇତିମଧ୍ୟରେ ଶ୍ରୀ ଚୌହାନଙ୍କ ପରଲୋକକୁ ୫ ମାସ ବିତି ସାରିଲାଣି। ହେଲେ କୌଣସି ନେତାଙ୍କୁ ଅଧ୍ୟକ୍ଷ ପଦ ପାଇଁ ଇନ୍ଧନ ଟିକିଏ ବି ମିଳି ନାହିଁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ। କେବଳ ଆଶାୟୀ ହୋଇ ଅନେକ ନେତା ସେମାନଙ୍କ ଲବି ଜୋରଦାର କରୁଛନ୍ତି। ତେବେ ରାଜଧାନୀରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ମହଲରେ ଆଲୋଚନା ଆରମ୍ଭ ହେଲାଣି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ନେଇ। ଶ୍ରୀ ତ୍ରିପାଠୀ ମୂଳତଃ ବଲାଙ୍ଗିର ଜିଲା ଟିଟିଲାଗଡର ବାସିନ୍ଦା। ଟିଟିଲାଗଡ ଓ ବଲାଙ୍ଗିର ସହ ତାଙ୍କ ସଂପର୍କ ବେଶ ନିବିଡ। ନିଜ ଉଦ୍ୟମରେ ସେ ପ୍ରଚ୍ଛଦରେ ରହି ଅନେକ ବିକାଶ ପଦକ୍ଷେପ ହାତକୁ ନେଇଛନ୍ତି ଅତୀତରୁ ଆଜି ଯାଏ। ଚଳିତ ବର୍ଷ ଡିସେମ୍ବର ଶେଷ ମଧ୍ୟରେ ଶ୍ରୀ ତ୍ରିପାଠୀ ଅବସର ନେବାର ସମୟ ରହିଛି। ଏହା ପୂର୍ବରୁ ତାଙ୍କୁ ବିକାଶ ପରିଷଦର ଅଧ୍ୟକ୍ଷ ପଦରେ ବସାଇ ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ଶାସକ ଦଳର ଯୋଜନା ରହିଥିବା ଖୋଦ୍ ପ୍ରଶାସନିକସ୍ତରରେ ଆଲୋଚନା ହେଉଛି। କିଛି ବରିଷ୍ଠ ପ୍ରଶାସନିକ ଅଧିକାରୀ ନିଜ ନାମ ପ୍ରକାଶ ନକରିବା ସର୍ତ୍ତରେ ଏହା କହିଛନ୍ତି। ଶ୍ରୀ ତ୍ରିପାଠୀଙ୍କ ପ୍ରଶାସନିକ ଦକ୍ଷତା ସହ ରାଜନୈତିକ ଦକ୍ଷତା ବୃଦ୍ଧି କରିବାରେ ଏହା ସହାୟକ ହେବ ବୋଲି ପରିକଳ୍ପନା କରି ଏଭଳି ଏକ ନିଷ୍ପତ୍ତି ନିଆଯାଉଥିବା ବି ରାଜନୈତିକ ମହଲରେ ଆଲୋଚନା ଜୋରସୋର। ତେବେ ଆଗାମୀ ସମୟ କହିବ କେଉଁ ପାଣି କୁଆଡେ ଯାଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories