www.samajalive.in
Friday, December 12, 2025
14.1 C
Bhubaneswar

ଦାରିଦ୍ର୍ୟର କରୁଣ ରୂପ; ରୋଗରେ ୨ ପୁଅ ମୃତ, ଝିଅର ଚିକିତ୍ସା ପାଇଁ ଦାଦନ ଗଲା ବାପା

ଖଲ୍ଲିକୋଟ: ଗରିବଙ୍କ କଲ୍ୟାଣ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ବହୁବିଧ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ସେ ସବୁ ଯୋଜନାରେ ପ୍ରକୃତ ଗରିବ ପରିବାର ଉପକୃତ ହୋଇପାରୁନଥିବା କେତେକ ଘଟଣାରୁ ସ୍ପଷ୍ଟ ଅନୁମିତ। ଅର୍ଥାଭାବରୁ ଚିକିତ୍ସା ସେବା ପାଇନପାରି ରୋଗରେ ଘାଣ୍ଟି ହୋଇ ଗୋଟିଏ ପରିବାରର ଦୁଇପୁଅଙ୍କ ମୃତ୍ୟୁ ହେବା ଏବଂ ଯୁବତୀ ଝିଅ ରୋଗରେ ପଡି ଶାଯ୍ୟାଶାୟୀ ରହିବା ପରେ ବାପା ଦାଦାନ ଚାଲିଯିବା ଭଳି ଦୁଃଖଦ ଘଟଣା ଖଲ୍ଲିକୋଟ ବ୍ଲକ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
କିଛିଦିନ ହେଲା ଖଲ୍ଲିକୋଟ ବ୍ଲକର କେତେକ ଗ୍ରାମର ବିଭିନ୍ନ ପରିବାରରେ ରୋଗାଗ୍ରସ୍ତ ପିଲାଙ୍କୁ ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ସେବା ଦେଇନପାରି ବାପା-ମା’ ମ୍ରିୟମାଣ ଅବସ୍ଥାରେ ରହିଥିବା ନଜରକୁ ଆସିଛି। ଆବଶ୍ୟକ ସରକାରୀ ସହାୟତା ଅଭାବରୁ ବହୁ ପିଲାଙ୍କ ଜୀବନ ଚାଲି ଯାଇଛି। ସରକାରୀ ସହାୟତାକୁ ଚାହିଁଚାହିଁ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଲୋଙ୍ଘର ଗ୍ରାମର ବଳରାମ ତରେଇ ଆଖି ବୁଜିଥିବା ବେଳେ ହରିଡାମୂଳ ଗ୍ରାମର ଧନୁଶର ମୁନି ରୋଗ ଯନ୍ତ୍ରଣାରେ ଦୀର୍ଘଦିନ ହେଲା ଛଟପଟ ହୋଇ ପଡ଼ି ରହିଛନ୍ତି। ସେହିପରି ଅଜଣା ରୋଗରେ ୨ ପୁଅର ମୃତ୍ୟୁ ଘଟିଥିବା ବେଳେ ସାନଝିଅ ସେହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଣେ କନ୍ୟାର ଚିକିତ୍ସା ପାଇଁ କୌଣସି ଉପାୟ ନପାଇ ଶେଷରେ ବାପା ଦାଦନ ଖଟିବାକୁ ବାହାରକୁ ଚାଲି ଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଖାରିଆପଲ୍ଲୀ ଗ୍ରାମର ଧୋବା ପ୍ରଧାନଙ୍କ ବଡ ପୁଅ ଲିଟୁନକୁ ୨୨ ବର୍ଷ ହୋଇଥିବା ବେଳେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ସେହି ରୋଗରେ ୧୮ ବର୍ଷୀୟ ସାନ ପୁଅ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେହି ପରିବାରର ସାନଝିଅ ରଶ୍ମିତା ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ସେହି ଏକା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ର୍ବତ୍ତମାନ ରଶ୍ମିତାଙ୍କୁ ୨୫ ବର୍ଷ। ସେ ଚଳପ୍ରଚଳ କରି ପାରୁ ନାହାଁନ୍ତି। ଏପରିକି ବସିବା ସ୍ଥାନରୁ ଉଠି ବି ପାରୁନାହାଁନ୍ତି। ବ୍ରହ୍ମପୁର , ଭୁବନେଶ୍ୱର , କଟକ , ହାଇଦରାବାଦ , ମୁମ୍ବାଇ ଆଦି ସ୍ଥାନରେ ରଶ୍ମିତାକୁ ପରିବାର ଲୋକେ ଚିକିତ୍ସା କରାଇବା ସତ୍ତ୍ବେ କୌଣସି ଫଳ ପାଇ ନାହାଁନ୍ତି। ଝିଅର ଚିକିତ୍ସା ପାଇଁ ଧୋବା ସର୍ବସ୍ବ ହରାଇବା ସହ ବିପୁଳ ଅର୍ଥ ଧାରଉଧାର କରିଛନ୍ତି। ବର୍ତ୍ତମାନ ଉଧାର ଟଙ୍କା ଶୁଝି ପାରୁ ନାହାଁନ୍ତି କି ପିଲାଟିକୁ ଠିକ କରି ପାରୁ ନାହାଁନ୍ତି। ଏପଟେ ପରିବାର ଚଳାଇବା ଚିନ୍ତାରେ ସେ ଦାଦନ ଖଟିବାକୁ ବାହାରକୁ ଚାଲି ଯାଇଛନ୍ତି। ଝିଅର ଚିକିତ୍ସା ଖର୍ଚ୍ଚ ଭରଣା ଓ ବକେୟା ଅର୍ଥ ପରିଶୋଧ ପାଇଁ ଧୋବା ଦାଦନ ଖଟିବା ପାଇଁ ମାସକ ତଳେ ହାଇଦରାବାଦ ଚାଲିଯାଇଛନ୍ତି। ମା’ ପୂର୍ଣ୍ଣବାସୀ ଦୈନନ୍ଦିନ ଗୁଜରାଣ ମେଣ୍ଟାଇବା ସହ ରୋଗୀଣା ଝିଅକୁ ନେଇ ଗୁମୁରି ଗୁମୁରି କାନ୍ଦୁଛନ୍ତି। ଏଭଳି ଏକ ଗରିବ ପରିବାର ପ୍ରତି ରାଜ୍ୟ ସରକାର ସଦୟ ହେବାକୁ ଗ୍ରାମବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ଗଞ୍ଜାମ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories