ଅହମ୍ମଦାବାଦ : ସ୍ଥାନୀୟ ନାରଣପୁରା କ୍ରୀଡ଼ାଙ୍ଗନରେ ଚାଲିଥିବା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ଭାରତ ପାଇଁ ଆଉ ଦୁଇ ପଦକ ଜିତିଛନ୍ତି ଓଡ଼ିଆ ଝିଅ ମୀନା ଶାନ୍ତା ଓ ସ୍ନେହା ସୋରେନ। ଜୁନିୟର ମହିଳା ୫୮ କିଗ୍ରା ବର୍ଗରେ ମୀନା ଶାନ୍ତା ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମୀନା ସ୍ନାଚରେ ୮୪ ଓ କ୍ଲିନ ଆଣ୍ଡ ଜର୍କରେ ୧୦୧ କିଗ୍ରା ସହ ମୋଟ୍ ୧୮୫ କିଗ୍ରା ଭାରୋତ୍ତୋନଳ କରି ପ୍ରଥମ ସ୍ଥାନ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନବରଙ୍ଗପୁର ଜିଲା ଉମକୋଟର ମୀନା ୨୦୨୩ ଉତ୍ତରପ୍ରଦେଶର ନୋଏଡାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ୫୫ କିଗ୍ରା ବର୍ଗରେ ସ୍ବର୍ଣ୍ଣ , ୨୦୨୪ରେ ଫିଜିରେ ଆୟୋଜିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପରେ ୨ଟି ସ୍ବର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଥିଲେ। ମୀନା ଏବେ କଳିଙ୍ଗ ଷ୍ଟାଡ଼ିୟମସ୍ଥ ଭାରୋତ୍ତୋଳନ ଉତ୍କର୍ଷ କେନ୍ଦ୍ରରେପ୍ରଶିକ୍ଷଣ ହାସଲ କରୁଛନ୍ତି। ମୀନା ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପ ଲାଗି ଜାତୀୟ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ହାସଲ କରୁଥିଲେ। ସେହିପରି ବରିଷ୍ଠ ମହିଳା ୫୩ କିଗ୍ରା ବର୍ଗରେ ସ୍ନେହା ସୋରେନ ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ସ୍ନେହା ସ୍ନାଚରେ ୮୧ ଓ କ୍ଲିନ ଆଣ୍ଡ ଜର୍କରେ ୧୦୫ କିଗ୍ରା ସହ ମୋଟ୍ ୧୮୬ କିଗ୍ରା ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ସହ ରୌପ୍ୟ ପଦକ ଜିତିଛନ୍ତି। ମୟୂରଭଞ୍ଜର ସ୍ନେହା ୨୦୧୯ ଦକ୍ଷୀଣ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ, ୨୦୧୭ରେ ୟୁଥ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚମ୍ପିଆନସିପର ୪୮ କିଗ୍ରାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପୂର୍ବରୁ ସୋମବାର ମହିଳା ୪୪ କିଗ୍ରା ବର୍ଗରେ ପ୍ରିତିସ୍ମିତା ଭୋଇ ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ସଫଳତା ଲାଗି ମୀନା ଓ ସ୍ନେହାଙ୍କୁ ଓଡ଼ିଶା ଭାରୋତ୍ତୋଳନ ସଂଘ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।
Popular Categories



