୨୦୫୦ ସୁଦ୍ଧା ଭାରତରେ ଜଳ ସଙ୍କଟ ତୀବ୍ର ହେବ : ଜାତିସଂଘ ରିପୋର୍ଟ

0

ନୂଆଦିଲ୍ଲୀ : ୨୦୫୦ ମସିହା ସୁଦ୍ଧା ଭାରତରେ ଜଳ ସଙ୍କଟ ତୀବ୍ର ରୂପ ଧାରଣ କରିବ ବୋଲି ଜାତିସଂଘ ରିପୋର୍ଟରୁ ଜଣାପଡିଛି। ଜାତିସଂଘ ବିଶ୍ୱ ଜଳ ବିକାଶ ରିପୋର୍ଟ ୨୦୧୮ ଅନୁଯାୟୀ ଉତ୍ତର ଭାରତ ତୁଳନାରେ କେନ୍ଦ୍ର ଓ ଦକ୍ଷିଣ ଭାରତରେ ଏହି ସମସ୍ୟା ଉତ୍କଟ ହେବ ବୋଲି ଚେତାବନୀ ଦିଆଯାଇଛି। ନଦୀ ଅବବାହିକାରୁ ମିଳୁଥିବା ଜଳର ମାନ ଅତ୍ୟନ୍ତ ବିପଜ୍ଜନକ ହୋଇପଡିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜଳ ସଙ୍କଟ ଦୂର କରିବା ପାଇଁ ଆମକୁ ପ୍ରାକୃତିକ ଉତ୍ସକୁ ବଞ୍ଚାଇ ରଖିବାକୁ ପଡିବ। ଫଳରେ ଆଗାମୀ ଦିନରେ ଲୋକେ ମରୁଡି ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟରୁ ଆଶ୍ୱସ୍ତି ପାଇପାରିବେ ବୋଲି କୁହାଯାଇଛି। ବିଶ୍ୱରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହ ପୃଥିବୀର ଉଷ୍ମତା ମଧ୍ୟ ବୃଦ୍ଧି ପାଉଥିବାରୁ ଜଳର ଚାହିଦା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ତେବେ ଭାରତରେ ଜଳର ମାନ ଓ ଜଳଯୋଗାଣ ବ୍ୟବସ୍ଥା ନିମ୍ନଗାମୀ ହେଉଥିବାରୁ ସରକାର ଓ ଲୋକେ ଏ ଦିଗରେ ଯତ୍ନବାନ ହେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଜଳର ରିସାଇକ୍ଲିଂ ପାଇଁ ପରିବେଶର ସୁରକ୍ଷା ଜରୁରୀ ହୋଇପଡିଛି। ବନ୍ୟାପାଣି ରୋକିବାକୁ କଂକ୍ରିଟ ବନ୍ଧ ନିର୍ମାଣ ଏବଂ ବର୍ଜ୍ୟଜଳ ବିଶୋଧନାଗାର ଉପରେ ଅଧିକ ଅର୍ଥ ଖର୍ଚ୍ଚ ନ କରି ଜଳମଗ୍ନ ଜମି ଓ ପନିପରିବା ଚାଷ ଉପରେ ଗୁରୁତ୍ୱ ଦେବାକୁ ରିପୋର୍ଟରେ ଦର୍ଶାଯାଇଛି। ୨୦୫୦ ସୁଦ୍ଧା ଭାରତରେ ଜଳର ଚାହିଦା ଏକ ତୃତୀୟାଂଶ ବୃଦ୍ଧି ପାଇବ ବୋଲି ଜାତିସଂଘ ଜଳ ବିକାଶ ସଂଗଠନର ମୁଖ୍ୟ ଗିଲବର୍ଟ ହାଉଙ୍ଗ୍‌ବୋ କହିଛନ୍ତି। ନିର୍ମଳ ଜଳର ଚାହିଦା ପୂରଣ କରିବାକୁ ପ୍ରକୃତି ସହ ସଂଘର୍ଷ ନ କରି ପ୍ରକୃତି ସହ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଜଳ ପରିଚାଳନା ବର୍ତ୍ତମାନ ସବୁ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି। ତେଣୁ ପ୍ରକୃତିର ବିଶେଷ କ୍ଷତି ନ ଘଟାଇ କିପରି ସଫଳ ଭାବେ ଚାଷକାର୍ଯ୍ୟ କରାଯାଇପାରିବ, ପାନୀୟ ଜଳ ବ୍ୟବହାର କରାଯିବ ଏବଂ ବିଦ୍ୟୁତ ଶକ୍ତି ଉତ୍ପାଦିତ ହୋଇପାରିବ, ସେ ସମ୍ପର୍କରେ ନିର୍ଦିଷ୍ଟ ନୀତି ଅବଲମ୍ବନ କରିବାକୁ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଛି।

Leave A Reply