ଇସଲାମାବାଦ: ଏପ୍ରିଲ ୨୨ରେ ଘଟିଥିବା ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଘଟଣାର ପ୍ରତିଶୋଧ ନେବାକୁ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ଏକାଧିକ କୂଟନୈତିକ କଟକଣା ଲାଗୁ କରାଯାଇଥିଲା। ତନ୍ମଧ୍ୟରୁ ସିନ୍ଧୁ ନଦୀଜଳ ଚୁକ୍ତି ସ୍ଥଗିତ ରହିଥିବା ଅନ୍ୟତମ। ଭାରତର ଏଭଳି ନିଷ୍ପତ୍ତି ପାକିସ୍ତାନକୁ ଅଡୁଆ ସ୍ଥିତିରେ ପକାଇଥିବାବେଳେ ସେଠାରେ ନାହିଁ ନଥିବା ଅସୁବିଧା ସୃଷ୍ଟି କରିଛି। ଭାରତ ବର୍ତ୍ତମାନ ସିନ୍ଧୁ ନଦୀଜଳ ଛାଡିବାରେ କଟକଣା ଲାଗୁ କରିଥିବାରୁ ପାକିସ୍ତାନରେ ଉତ୍କଟ ଜଳ ସଙ୍କଟ ଦେଖାଦେଇଛି। ପାକିସ୍ତାନର ପ୍ରମୁଖ ସମ୍ବାଦପତ୍ର ଡନ୍ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପାକିସ୍ତାନର ଦୁଇଟି ଡ୍ୟାମ୍ରେ ଜଳସ୍ତର ହ୍ରାସ ପାଇଛି। ଏହି ଦୁଇଟି ଡ୍ୟାମ ହେଲା ଝେଲମ ନଦୀ ଉପରେ ନିର୍ମିତ ମଙ୍ଗଳା ଡ୍ୟାମ ଏବଂ ସିନ୍ଧୁ ନଦୀ ଉପରେ ନିର୍ମିତ ତରବେଲା ଡ୍ୟାମ। ଦୁଇଟି ଡ୍ୟାମରେ ଜଳସ୍ତର ୨୧ ପ୍ରତିଶତ ହ୍ରାସ ପାଇଥିବାରୁ ପାକିସ୍ତାନରେ ଖରିଫ ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ପୁନଶ୍ଚ ଭାରତର କଟକଣା ଯୋଗୁଁ ଚେନାବ୍ ନଦୀର ଜଳସ୍ତର ଯଥେଷ୍ଟ ହ୍ରାସ ପାଇଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ ଉପଲବ୍ଧ ଜଳକୁ ସୁଚିନ୍ତିତ ଉପାୟରେ ବ୍ୟବହାର କରିବାକୁ ପାକ୍ ସରକାର ଡ୍ୟାମ୍ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ଦୁଇଟି ଡ୍ୟାମ୍ର ଜଳସ୍ତର ହ୍ରାସ ପାଇଥିବାରୁ ରାଜଧାନୀ ଇସଲାମାବାଦରେ ୫୦ ପ୍ରତିଶତ ଜଳ ସଙ୍କଟ ଦେଖାଦେବ ବୋଲି ଆଶଙ୍କା ଉପୁଜିଛି।
ସିନ୍ଧୁ ନଦୀଜଳ ଚୁକ୍ତିକୁ ଭାରତ ଏକତରଫା ଭାବେ ସ୍ଥଗିତ ରଖିଥିବାରୁ ପାକିସ୍ତାନ ବର୍ତ୍ତମାନ ଚିନ୍ତାରେ ପଡିଛି। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ତାଜିକିସ୍ତାନ ଗସ୍ତରେ ଯାଇଥିବାବେଳେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଶେହବାଜ କହିଛନ୍ତି ଯେ ଭାରତ ସିନ୍ଧୁ ନଦୀଜଳ ଉପରେ କଟକଣା ଲାଗୁ କରି ପାକିସ୍ତାନର ଲକ୍ଷାଧିକ ନାଗରିକଙ୍କ ଜୀବନକୁ ବିପନ୍ନ କରୁଛି। ଗତ ସପ୍ତାହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ପାକିସ୍ତାନ ଯେ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନ କରିଛି, ସେ ପର୍ଯ୍ୟନ୍ତ ସିନ୍ଧୁ ନଦୀଜଳ ଚୁକ୍ତି ସ୍ଥଗିତ ରଖାଯିବ। ପାଣି ଓ ରକ୍ତ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ ବୋଲି ମଧ୍ୟ ସେ ସ୍ପଷ୍ଟ କରିସାରିଛନ୍ତି। ପାକ୍ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ଜୁନ ୨ ସୁଦ୍ଧା ପାକିସ୍ତାନର ପଞ୍ଜାବ ପ୍ରଦେଶରେ ସିନ୍ଧୁ ନଦୀଜଳ ୧୦.୩ ପ୍ରତିଶତ ହ୍ରାସ ପାଇସାରିଛି। ମୌସୁମି ଆସିବାକୁ ଆହୁରି ଚାରି ସପ୍ତାହ ବାକି ରହିଥିବାବେଳେ ଆଗକୁ ଏହି ସଙ୍କଟ ଅଧିକ ତୀବ୍ରତର ହେବ ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଛି। ଚୁକ୍ତି ଅନୁଯାୟୀ ଜୁନ ୨ ସୁଦ୍ଧା ପଞ୍ଜାବ ପ୍ରଦେଶକୁ ୧୪,୮୮ କ୍ୟୁସେକ୍ କମ ଜଳ ମିଳିଥିବା ଜଣାପଡିଛି।
୧୯୬୦ରେ ବିଶ୍ବବ୍ୟାଙ୍କ ମଧ୍ୟସ୍ଥତାରେ ସ୍ବାକ୍ଷରିତ ଏହି ଚୁକ୍ତି ଅନୁଯାୟୀ ଭାରତ ଓ ପାକିସ୍ତାନ ସିନ୍ଧୁ ନଦୀଜଳ କିପରି ଭାଗବଣ୍ଟା କରିବେ, ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତଦନୁଯାୟୀ ପଶ୍ଚିମ ଦିଗରେ ପ୍ରବାହିତ ତିନିଟି ନଦୀ ଯଥା ସିନ୍ଧୁ, ଝେଲମ ଓ ଚେନାବ୍ ଜଳ ପାକିସ୍ତାନ ପାଇବ ଏବଂ ପୂର୍ବ ଦିଗରେ ପ୍ରବାହିତ ରବି, ବ୍ୟାସ୍ ଓ ସତ୍ଲେଜ ନଦୀର ଜଳ ଭାରତ ଭାଗରେ ପଡିବ। ଏହା ବ୍ୟତୀତ ପାକିସ୍ତାନ ଭାଗରେ ପଡିଥିବା ଜଳର ୨୦ ପ୍ରତିଶତ ଭାରତ ବ୍ୟବହାର କରିପାରିବ ବୋଲି ମଧ୍ୟ ଚୁକ୍ତିରେ ଉଲ୍ଲେଖ କରାଯାଇଛି। ତେବେ ସିନ୍ଧୁ ସମେତ ଅନ୍ୟ ନଦୀର ଡ୍ୟାମ୍ଗୁଡିକ ଭାରତରେ ଅବସ୍ଥିତ ହୋଇଥିବାରୁ ପାଣି ଛାଡିବା ପ୍ରସଙ୍ଗରେ ଭାରତ ସୁବିଧାଜନକ ସ୍ଥିତିରେ ରହିଛି।



