୫-ଟି ସଚିବଙ୍କ ହରଭଙ୍ଗା ଗସ୍ତ; ୭ଦିନ ମଧ୍ୟରେ ଘୋଷଣା ହେବ ପ୍ୟାକେଜ୍‌‌

ଚାଷ, ମନ୍ଦିର, ମସଜିଦ୍‌‌, ଚର୍ଚ୍ଚ, ଗୋଷ୍ଠି ସାଧନ କେନ୍ଦ୍ରକୁ ପ୍ରାଥମିକତା

ହରଭଙ୍ଗା: ୫-ଟି ସଚିବ ଭି.କେ ପାଣ୍ଡିଆନ ବୁଧବାର ହରଭଙ୍ଗା ଗସ୍ତରେ ଆସି ବ୍ଲକର ବାମଣ୍ଡା ଡିଗ୍ରୀ କଲେଜ, ବଡ଼ବନ୍ଧ ସରକାରୀ କନ୍ୟାଶ୍ରମ ଭଳି ଦୁଇଟି ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଛନ୍ତି। ଶେଷରେ ଭୈରବୀ ମନ୍ଦିର ପହଞ୍ଚି ମା’ଙ୍କ ଆଶୀର୍ବାଦ ଭିକ୍ଷାକରି ସଭାସ୍ଥଳରେ ପହଞ୍ଚିଥିଲେ। ବୌଦ୍ଧରୁ ହରଭଙ୍ଗା ବ୍ଲକ ଗସ୍ତ ସମୟରେ ପ୍ରଥମେ ବାମଣ୍ଡାସ୍ଥିତ ମଡେଲ ଡିଗ୍ରୀ କଲେଜ ପହଞ୍ଚି ପିଲାଙ୍କ ସହିତ ମତ ବିନିମୟ କରିଥିଲେ। ମଡେଲ ଡିଗ୍ରୀ କଲେଜ ପିଲାଙ୍କୁ ୫-ଟି ସୂତ୍ର ବିଷୟରେ ଅବଗତ କରାଇଥିଲେ। ପିଲାଙ୍କୁ ଭଲ ପାଠପଢ଼ି ଓଡ଼ିଶାର ସୁନାମ ଅର୍ଜ୍ଜନ କରିବାକୁ ଉପଦେଶ ଦେଇଥିଲେ। ପ୍ରତ୍ୟେକ ଯୁକ୍ତ ଦୁଇ ଏବଂ ଡିଗ୍ରୀ କଲେଜକୁ ଛାତ୍ରଛାତ୍ରୀ ସଂଖ୍ୟା ଅନୁପାତରେ ୨୫ଲକ୍ଷରୁ ୧.୨୫କୋଟି ଟଙ୍କା ଅନୁଦାନ ଘୋଷଣା ସହିତ ୫-ଟିରେ ସାମିଲ କରାଯିବା କଥା ଘୋଷଣା କରିଥିଲେ। ଅପରାହ୍ନ ପ୍ରାୟ ୨ଟା ସମୟରେ ବଡବନ୍ଧ କନ୍ୟାଶ୍ରମରେ ପହଞ୍ଚି ପିଲାଙ୍କ ସହିତ ଗୋଟିଏ ଟେବୁଲରେ ବସି ମଧ୍ୟାହ୍ନଭୋଜନ ଖାଇଥିଲେ। ପିଲାମାନଙ୍କ ଭଲମନ୍ଦ ପଚାରିବୁଝିବା ସହିତ କେତେଜଣ ପିଲାଙ୍କୁ ଘର ଠିକଣା ପଚାରିଥିଲେ। ମଧ୍ୟାହ୍ନଭୋଜନ ଖାଦ୍ୟ କିପରି ଲାଗୁଛି ମଧ୍ୟ ପଚାରିଥିଲେ। ଡାଇନିଂ ହଲରେ ପ୍ରାୟ ୨୦ମିନିଟ ସମୟ ପିଲାଙ୍କ ସହ ବସି କଥାବାର୍ତ୍ତା ହୋଇଥିଲେ।

ମଧ୍ୟାହ୍ନଭୋଜନ ପରେ କନ୍ୟାଶ୍ରମର ଏକ ଶ୍ରେଣୀଗୃହକୁ ପହଞ୍ଚି ଛାତ୍ରୀମାନଙ୍କ ସହ ମତବିନିମୟ କରିଥିଲେ। ୫-ଟିରେ ସାମିଲ ହେଲାପରେ ଡିଜିଟାଲ କ୍ଲାସରୁମରେ ପାଠପଢ଼ା କେମିତି ଲାଗୁଛି ପଚାରିଥିଲେ। ଛାତ୍ରୀମାନଙ୍କୁ ସ୍କୁଲ ୟୁନିଫର୍ମ କଥା ସାଙ୍ଗକୁ ଖବରକାଗଜ ସ୍କୁଲକୁ ଆସୁଛି କି ନାହିଁ ପଚାରିଥିଲେ। କେତେବେଳେ ତମେମାନେ ଖବରକାଗଜ ପଢ଼ୁଛ ସେ କଥା ମଧ୍ୟ ପଚାରିଥିଲେ। ଟିଭି ଦେଖୁଛ କି ନାହିଁ ପଚାରିବାରୁ ଡାଇନିଂ ହଲରେ ଟିଭି ଦେଖୁଥିବା ପିଲାମାନେ କହିଥିଲେ। ସ୍କୁଲର ଅସୁବିଧା ବିଷୟରେ ପଚାରିବାରୁ ବିଦ୍ୟୁତ୍‌‌ କଟିଗଲେ ପାଣି ସମସ୍ୟା ହେଉଥିବା ଜଣେ ଛାତ୍ରୀ ଦୃଷ୍ଟି ଆକର୍ଷଣ କରିବାସହିତ ନଳକୂପ ଖୋଳିବା ପାଇଁ କହିଥିଲେ। ଆସନ୍ତାକାଲିସୁଦ୍ଧା ନଳକୂପ ଖୋଳିବାକି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ସଚିବ। ଆଉଗୋଟିଏ ଛାତ୍ରୀନିବାସ ଆବଶ୍ୟକ ସାଙ୍ଗକୁ ଧନ୍ଦାମୂଳକ ଶିକ୍ଷା ପାଇଁ ପିଲାମାନେ ସଚିବଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। କ୍ଲାସରୁମରେ ଅଧିକ ଗରମକୁ ଦୃଷ୍ଟିରେ ରଖି ପିଲାମାନେ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ଲଗାଇବା ପାଇଁ କହିଥିଲେ। ଏ ଦିଗରେ ଆଗକୁ ଦୃଷ୍ଟିଦେବାକୁ ସଚିବ ପିଲାଙ୍କୁ ବୁଝାଇଥିଲେ। ଭୈରବୀ ମନ୍ଦିରରରୁ ମା’ଙ୍କ ଦର୍ଶନସାରି ସିଧାସଳଖ ପୁରୁଣାକଟକ ମିନିଷ୍ଟାଡିୟମ ସଭାସ୍ଥଳରେ ପହଞ୍ଚିଥିଲେ। ସଭାସ୍ଥଳରେ ସମବେତ ଲୋକଙ୍କ ପାଖକୁ ଯାଇ ହାତ ମିଶାଇବା ସହ ସମସ୍ତଙ୍କ ପାଖରୁ ଗୋଟି ଗୋଟି କରି ଦରଖାସ୍ତ ଗ୍ରହଣ କରିଥିଲେ।

ମଞ୍ଚ ଉପରେ ନିଜ ଅଭିଭାଷଣ ‘ଜୟ ଜଗନ୍ନାଥ’ କହି ବଉଦିଆ ଭାଷାରେ ଶୁଭାରମ୍ଭ କରିଥିଲେ। ସଂଗ୍ରହ କରିଥିବା ଏତେ ପରିମାଣର ଅଭିଯୋଗପତ୍ରକୁ ଲୋକଙ୍କୁ ଦେଖାଇଥିଲେ। ଚାଷ ସମ୍ପର୍କିତ ଅଭିଯୋଗକୁ ପ୍ରାଥମିକତା ଦିଆଯିବା ପାଇଁ କହିଥିଲେ। ଅନ୍ୟସବୁ ଅଭିଯୋଗ ମଧ୍ୟରୁ ଯେଉଁସବୁ ଅଭିଯୋଗ ବ୍ଲକ ଏବଂ ଜିଲ୍ଲାସ୍ତରରେ ସମାଧାନ ହୋଇପାରିବ ସେ ଦିଗରେ ବିଡିଓ ଏବଂ ଜିଲ୍ଲାପାଳ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୭ ଦିନ ମଧ୍ୟରେ ମନ୍ଦିର, ମସଜିଦ୍‌‌, ଚର୍ଚ୍ଚ ଏବଂ କମ୍ୟୁନିଟି ସେଣ୍ଟରଗୁଡିକର ଅନୁଦାନ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ।

ସରକାରଙ୍କ କାମକୁ ନିଜ କାମ ଭାବି କାର୍ଯ୍ୟ କଲେ ଓଡ଼ିଶା ଆଗେଇପାରିବ ବୋଲି ମତବ୍ୟକ୍ତ କରିଥିଲେ ଆଣ୍ଡିଆନ୍। ମିଶନଶକ୍ତି ମାଆମାନଙ୍କ କଥା ମନେପକାଇବା ସହିତ ସେମାନଙ୍କୁ ବିନାସୁଧରେ ଦିଆଯାଉଥିବା ଋଣ କଥା ମନେ ପକାଇଥିଲେ। ଅଙ୍ଗନବାଡ଼ି, ସି.ଆର.ପି.ଏମ.ବିକେ.ଆଶାମାନଙ୍କ ବହୁ ସଂଖ୍ୟାରେ ଯୋଗଦାନ ଦେଖି ଖୁସିବ୍ୟକ୍ତ କରିଥିଲେ। ସରକାରଙ୍କ ବିଜୁ ସ୍ୱାସ୍ଥ୍ୟକାର୍ଡ ଲୋକଙ୍କୁ କିପରି କାମରେ ଆସୁଛି ସେ କଥା ଲୋକଙ୍କୁ ବୁଝାଇଥିଲେ। ଭାରତ ସରକାର ତ୍ରିରଙ୍ଗା ନିର୍ମାଣପାଇଁ ଦେଇଥିବା କାମକୁ ମିଶନଶକ୍ତି ମାଆମାନେ କରି ନିଜର ଦକ୍ଷତା ପ୍ରତିପାଦନ କରିଥିବାରୁ ସେମାନଙ୍କ ପ୍ରଂଶସା କରିଥିଲେ। ପ୍ରତ୍ୟେକ ଯୁକ୍ତ ଦୁଇ ଏବଂ ଡିଗ୍ରୀ କଲେଜଗୁଡିକୁ ୫-ଟିରେ ସାମିଲ କରିବା କଥା କହିଥିଲେ। ଜଣେ ଆଶା ଦିଦିଙ୍କ ଝିଅ ଏବଂ ଜଣେ ଅଙ୍ଗନବାଡ଼ି ଦିଦିଙ୍କ ପୁଅ ନିଟ୍ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ କୃତକାର୍ଯ୍ୟ କଥା କହି ଶିକ୍ଷାର ମୂଲ୍ୟବୋଧକୁ ବୁଝାଇଥିଲେ।

ଶେଷରେ ହ୍ୟାଲିପ୍ୟାଡକୁ ଗଲା ସମୟରେ ପ୍ରଶାସନିକ କର୍ମଚାରୀ, ପୁଲିସ କର୍ମଚାରୀ ଏବଂ ମିଡିଆବନ୍ଧୁଙ୍କ ସହିତ ଫଟୋ ଉଠାଇ ରାଜଧାନୀ ଅଭିମୁଖେ ଯାତ୍ରା କରିଥିଲେ। ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମରେ ସଭାସ୍ଥଳରେ ପ୍ରାୟ ୧୦ହଜାର ମହିଳା/ପୁରୁଷ ଜମା ହୋଇଥିଲେ।

Comments are closed.