ବେଜିଂ : କରୋନା ଭୂତାଣୁର ସ୍ରଷ୍ଟା ଭାବେ କୁଖ୍ୟାତ ଚୀନ୍ ବୈଜ୍ଞାନିକ ସି ଝେଙ୍ଗଲି ଏବେ ସତ କଥା ଖୋଲି କହିଛନ୍ତି। ଏହି ଭୂତାଣୁର ଏକାଧିକ ପ୍ରଜାତି ସୃଷ୍ଟି ହୋଇ ବିଶ୍ବରେ ଆତଙ୍କ ସୃଷ୍ଟି କରିବା ସମ୍ପର୍କରେ ଝେଙ୍ଗଲି କହିଛନ୍ତି ଯେ କରୋନା ଭୂତାଣୁର ବାରମ୍ବାର ଏଭଳି ରୂପାନ୍ତରଣ ଘଟିବ ଏବଂ ଏଥିରୁ ନୂଆ ନୂଆ ପ୍ରଜାତି ଭୂତାଣୁ ଜନ୍ମ ନେବା ସହ ସମାଜରେ ତିଷ୍ଠି ରହିବେ। ବିଶ୍ବବାସୀ ଏଥି ସହିତ ବଞ୍ଚିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ। ସଂକ୍ରମଣ ଖୁବ୍ ଅଧିକ ହେଉଥିବାରୁ ଭୂତାଣୁ ରୂପାନ୍ତରଣ ପାଇଁ ସୁଯୋଗ ପାଉଛି। ଏହାଦ୍ବାରା ନୂଆ ନୂଆ ପ୍ରଜାତିର ଭୂତାଣୁ ସୃଷ୍ଟି ହେଉଛନ୍ତି। ସମୟାନୁସାରେ ଏଭଳି ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି।
‘ଉହାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲଜି’ର ମୁଖ୍ୟ ବୈଜ୍ଞାନିକ ଥିବା ଅଣୁଜୀବ ବିଜ୍ଞାନୀ ଝେଙ୍ଗଲିକୁ ‘ବ୍ୟାଟ୍ ଓମାନ୍’ ବୋଲି କୁହାଯାଏ। କରୋନା ବ୍ୟାପିବା ପରେ ଚୀନ୍ ସରକାର ତାଙ୍କୁ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ପୁରସ୍କୃତ କରିଛନ୍ତି। ସେ ହିଁ ଉହାନ୍ସ୍ଥିତ ପରୀକ୍ଷାଗାରରେ କରୋନା ଭୂତାଣୁ ସୃଷ୍ଟି କରିଛନ୍ତି ବୋଲି କୁହାଯାଏ; କିନ୍ତୁ ଚୀନ୍ ସରକାର ଉହାନ୍ରୁ ଏହି ଭୟଙ୍କର ଭୂତାଣୁର ସୃଷ୍ଟି ଅଭିଯୋଗକୁ ଅସ୍ବୀକାର କରିଆସୁଛନ୍ତି। ସମ୍ପ୍ରତି କରୋନାର ‘ଡେଲ୍ଟା’ ପ୍ରଜାତି ବିଶ୍ବରେ ଆତଙ୍କ ସୃଷ୍ଟି କରିଛି। ଅକ୍ଟୋବରରେ ଭାରତରେ ପ୍ରଥମେ ଏହି ପ୍ରଜାତି ଠାବ ହୋଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରତୀୟ ପ୍ରଜାତିର ଭୂତାଣୁ କହିବାରେ ବିବାଦ ସୃଷ୍ଟି ହୋଇଥିଲା। ଏବେ ଚୀନ୍ରେ ମଧ୍ୟ ଏହି ଭୂତାଣୁ ସଂକ୍ରମଣ ବ୍ୟାପକ ଓ ଘାତକ ହୋଇଛି। ଏହି ସମୟ ମଧ୍ୟରେ ବିଶ୍ବର ୧୩୫ ରାଷ୍ଟ୍ରକୁ ଏହା ବ୍ୟାପିଲାଣି। ଏହି ପରିପ୍ରେକ୍ଷୀରେ ଝେଙ୍ଗଲି ବୈଜ୍ଞାନିକମାନଙ୍କୁ ଏହି ଭୂତାଣୁ ପ୍ରତିହତକାରୀ ପ୍ରଭାବଶାଳୀ ଟିକା ଓ ଔଷଧ ସହିତ ଚିକିତ୍ସା ପ୍ରଣାଳୀ ଉଦ୍ଭାବନରେ ଲାଗିପଡ଼ିବାକୁ ଆହ୍ବାନ ଦେଇଛନ୍ତି।
‘ଭୂତାଣୁ ରୂପ ବଦଳାଇବ ; ତା’ ସହ ବଞ୍ଚିବାକୁ ହେବ’
Popular Categories



