ନୂଆଦିଲ୍ଲୀ : ସ୍ବାଧୀନତା ଦିବସର ପୂର୍ବଦିନ; ଅର୍ଥାତ୍ ଅଗଷ୍ଟ ୧୪କୁ ଏଣିକି ପ୍ରତିବର୍ଷ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏହି ଘୋଷଣା କରିଛନ୍ତି। ଏହା ଦେଶବାସୀଙ୍କୁ ବିଭାଜନ ଜନିତ ଯନ୍ତ୍ରଣାକୁ ସ୍ମରଣ କରାଇଦେବା ସହ ଏକତାର ସୂତ୍ରରେ ବାନ୍ଧି ରଖିବାରେ ସହାୟକ ହେବ ବୋଲି ମୋଦୀ କହିଛନ୍ତି। ଏହି ଦିବସ ଆମକୁ ଭେଦଭାବ, ବିଦ୍ବେଷ ଓ ଦୁର୍ଭାବନାର ବିଷକୁ ସମାପ୍ତ କରିବା ଲାଗି କେବଳ ଅନୁପ୍ରାଣିତ କରିବ ନାହିଁ; ବରଂ ଏହା ଏକତା, ସାମାଜିକ ସଦ୍ଭାବ ଓ ମାନବୀୟ ସମ୍ବେଦନଶୀଳତାକୁ ମଧ୍ୟ ସୁଦୃଢ଼ କରିବ ବୋଲି ମୋଦୀ କହିଛନ୍ତି। ବିଭାଜନ ଜନିତ ଘୃଣା ଓ ହିଂସା ହେତୁ ଦେଶର ଲକ୍ଷ ଲକ୍ଷ ଭଉଣୀ-ଭାଇ ବିସ୍ଥାପିତ ହେଲେ ଓ ଅନେକଙ୍କୁ ପ୍ରାଣ ଦେବାକୁ ପଡ଼ିଲା। ସେତେବେଳର ଯନ୍ତ୍ରଣା ଭୁଲିହେବ ନାହିଁ ବୋଲି ମୋଦୀ କହିଛନ୍ତି। ୧୯୪୭ ଅଗଷ୍ଟ ୧୪ ରାତିରେ ଦେଶ ବିଭାଜନ ସହିତ ସ୍ବାଧୀନ ଘୋଷିତ ହୋଇଥିଲା। ଏଥିପାଇଁ ଭୟଙ୍କର ଦଙ୍ଗା ଓ ରକ୍ତପାତ ଘଟିଥିଲା। ଅନେକ ଭାରତ ପଳାଇଆସିବା ସହ ଆହୁରି ଅନେକ ପାକିସ୍ତାନ ଚାଲିଯାଇଥିଲେ। ଏହାର ଦୃଶ୍ୟ, ଦୁଃଖ ଓ କ୍ଷତ ଅଦ୍ୟାବଧି ଅନେକଙ୍କୁ ମର୍ମାହତ କରୁଛି। ଏହାର ସ୍ମୃତି ଜାଗରଣ ସ୍ବରୂପ ଦେଶବାସୀ ଅଗଷ୍ଟ ୧୪କୁ ପ୍ରତିବର୍ଷ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୪ରେ ସୃଷ୍ଟି ହୋଇଥିବା ପାକିସ୍ତାନ ଏହି ଦିନକୁ ସ୍ବାଧୀନତା ଦିବସ ଭାବେ ପାଳନ କରୁଛି।
Popular Categories



