www.samajalive.in
Tuesday, December 9, 2025
15.1 C
Bhubaneswar

ଜଙ୍ଗଲୀ ବାବୁ ଅଭୟକାନ୍ତଙ୍କ ସମ୍ପତ୍ତି; ୧୦ କୋଟି ଟପିଲା, ଚାଲିଛି ହିସାବ

ଭୁବନେଶ୍ବର : ରାଜ୍ୟରେ ଜଙ୍ଗଲ କମୁଛି, ବନ୍ୟଜନ୍ତୁ ବି କମୁଛନ୍ତି; ହେଲେ ଜଙ୍ଗଲୀବାବୁଙ୍କର ସମ୍ପତ୍ତି ବଢୁଛି। ପୂର୍ବରୁ ଦୁର୍ନୀତି ଅଭିଯୋଗ ଥାଇ ଛତ୍ରଛାୟାରେ ଥିବା ରାଜ୍ୟର ଅତିରିକ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ଏପିସିସିଏଫ୍) ଅଭୟକାନ୍ତ ପାଠକ ଏବେ ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି। ଭିଜିଲାନ୍ସ ଇତିହାସରେ ଏତେବଡ଼ ଦୁର୍ନୀତି କେବେ ପଦାକୁ ଆସି ନ ଥିଲା। ଜଙ୍ଗଲୀବାବୁ ଅଭୟକାନ୍ତ ଲୁଟିଛନ୍ତି ସରକାରୀ ସମ୍ପତ୍ତି। କେବଳ ପୁଅ ଆକାଶ ପାଠକ ନାମରେ ଥିବା ଏକାଧିକ ଆକାଉଣ୍ଟରେ ସେ ଜମା କରିଛନ୍ତି ୯ କୋଟି ୪୦ ଲକ୍ଷ ଟଙ୍କା। ଭୁବନେଶ୍ବରର ସହିଦନଗର ଏବଂ ନୂଆପଲ୍ଲୀ ଅଞ୍ଚଳରେ ଥିବା ଏଟିଏମ୍‌ ମାଧ୍ୟମରେ କେବଳ ୮ କୋଟି ୪୦ ଲକ୍ଷ ଟଙ୍କା ଜମା କରାଯାଇଛି। ଏହାବାଦ୍‌ ତାଙ୍କ ପରିବାରର ଅନ୍ୟ ସଦସ୍ୟ, ସମ୍ପର୍କୀୟ ଓ ଗାଡି ଡ୍ରାଇଭରଙ୍କ ନିକଟରେ ମଧ୍ୟ ସେ କୋଟି କୋଟି ଟଙ୍କା ଲୁଚାଇଥିବା ତଦନ୍ତ ଅଧିକାରୀଙ୍କ ସୂତ୍ରରୁ ସୂଚନା ମିଳିଛି। ଦୁଇ ଦିନ ଧରି ଓଡ଼ିଶା ଭିଜିଲାନ୍ସର ୧୫୦ ଜଣ ଅଫିସର ଦିନ ରାତି ଖୋଳତାଡ କରୁଥିଲେ ସୁଦ୍ଧା ଆଇଏଫ୍ଏସ୍‌ ଅଭୟକାନ୍ତଙ୍କ ଅମାପ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି। ପ୍ରାଥମିକ ହିସାବରେ ତାଙ୍କ ନିଜ ନାଁରେ ୧୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ସମ୍ପତ୍ତି ଥିବା ଜଣାପଡିଛି। ତେବେ ଏହାର ପରିମାଣ ଆହୁରି ଢ଼େର ଅଧିକ ହେବ ବୋଲି ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସମ୍ପତ୍ତି ତାଲିକାର ହିସାବ ଲାଗି ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କର ସହାୟତା ନିଆଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)ର ନଜର ଏବେ ଅଭୟକାନ୍ତଙ୍କ ସମ୍ପତ୍ତି ଉପରେ ପଡିଛି।
ଅଭୟକାନ୍ତଙ୍କ କାର୍ଯ୍ୟାଳୟ, ସରକାରୀ ବାସଭବନକୁ ମିଶାଇ ଭୁବନେଶ୍ବରରେ ୫ଟି ସ୍ଥାନ, ମହାରାଷ୍ଟ୍ରର ପୁଣେ ଓ ମୁମ୍ବଇର ୭ଟି ସ୍ଥାନ ଓ ବିହାର ପାଟନାସ୍ଥିତ ପୈତୃକ ବାସଭବନକୁ ମିଶାଇ ୧୩ଟି ସ୍ଥାନରେ ଚଢ଼ଉ କରାଯାଇଥିଲା ବୋଲି ଭିଜିଲାନ୍ସ ବିଭାଗ ଗୁରୁବାର ସ୍ପଷ୍ଟ କରିଛି। ଅଭୟକାନ୍ତଙ୍କର ପୁଅ ନାମରେ ମର୍ସିଡିଜ୍‌, ବିଏମ୍‌ଡବ୍ଲ୍ୟୁ, ଟାଟା ହାରିଅର୍‌ ଭଳି ୩ଟି ଦାମୀ କାର ଓ ୩ଟି ୟାମାହା ଏମ୍‌ଜେଡ୍‌ ବାଇକ୍‌ ରହିଛି। ଏସବୁ କେବଳ ନିଜର ଥିବାବେଳେ ଆକାଶ ଦାମୀ କାର୍‌ ଭଡ଼ାରେ ନେଇ ବ୍ୟବହାର କରୁଥିଲେ। ପୁଣେରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିବା ବେଳେ ସେ ରହୁଥିବା ସୌଖୀନ ଫାର୍ମ ହାଉସ୍‌ ପରିସରରେ ୨ଟି ମର୍ସିଡିଜ୍‌ କାର୍‌ ଥିଲା। ଏସବୁ କାର୍‌ ଭଡା ବାବଦରେ ସେ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ପୁଣେରେ ସେ ରହୁଥିବା ଫାର୍ମ ହାଉସ୍‌ ଓ ଫ୍ଲାଟ୍‌ର ଭଡ଼ା ବାବଦରେ ସେ କୋଟିଏ ଟଙ୍କା ଦେଇଥିବା ଭିଜିଲାନ୍ସ ଅଧିକାରୀମାନେ ତଦନ୍ତ ବେଳେ ଜାଣିବାକୁ ପାଇଛନ୍ତି। ମୁମ୍ବାଇର ତାଜ୍‌ ପ୍ୟାଲେସ୍‌ ହୋଟେଲ୍‌ର ୯୦ ଲକ୍ଷ ଟଙ୍କାର ବିଲ୍ ଏବଂ ରାଜସ୍ଥାନର ଉଦୟପୁର ତାଜ୍‌ ଲେକ୍‌ ପ୍ୟାଲେସ୍‌ ପାଇଁ ୨୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ଜଣାପଡିଛି।
କେବଳ ଅଭୟକାନ୍ତ ଦୁର୍ନୀତି‌େ‌ର ଜଡିତ ଅଛନ୍ତି ତାହା ନୁହେଁ ତାଙ୍କ ପୁଅ ଆକାଶ ପାଠକ ଟାଟା ମୋଟର୍ସ ଲିମିଟେଡ୍‌(ଟିଏମ୍‌ଏଲ୍‌)ର ଜଣେ ଉପରିସ୍ଥ କର୍ମଚାରୀ ବୋଲି ପରିଚୟ ଦେଇ ସେଠାରେ ଚାକିରି କରାଇ ଦେବା ନାମରେ ଅନେକ ବେକାର ଯୁବକଙ୍କଠାରୁ ଠକେଇ କରିଥିବା ଜଣାପଡିଛି। ଟାଟା ମୋଟର୍ସ ଲିମିଟେଡ ପକ୍ଷରୁ ତାଙ୍କ ବିରୋଧରେ ଗତ ମେ ମାସରେ କ୍ରାଇମ୍‌ବ୍ରାଞ୍ଚ ନିକଟରେ ଅଭିଯୋଗ ହୋଇଛି; ହେଲେ ଏପର୍ଯ୍ୟନ୍ତ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଅଗ୍ରସର ହୋଇ ନ ଥିଲା। ସେହିପରି ଆୟବହିର୍ଭୂତ ସମ୍ପତ୍ତିରେ ପୂଣ୍ୟ ଅର୍ଜନ କରିବା ଏବଂ ସରକାରଙ୍କ ନିକଟତର ହେବାରେ ବାପପୁଅ ପ୍ରୟାସ କରିଥିଲେ। ତାଙ୍କ ପୁଅ କୋଭିଡ୍‌-୧୯ରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ଦେଇଥିବା ନିଜେ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ପୁଣେରେ ଟାଟା ମୋଟର୍ସର ଜଣେ ଉପସଭାପତି ଥିବା ନେଇ ଜାଲ୍‌ ପରିଚୟପତ୍ର ଧରି ଏକ ଫାର୍ମହାଉସ୍‌ରେ ରହୁଥିଲେ।
ପରିବାର ଲୋକଙ୍କ ସହିତ ଅଭୟକାନ୍ତ ମାଲେସିଆ, ହଂକଂ, ୟୁକେ, ୟୁଏଇ, ମାଳଦ୍ବୀପ ଆଦି ବିଦେଶ ଭ୍ରମଣ କରିବା ସହିତ ଚାର୍ଟର୍ଡ ପ୍ଲେନ୍‌ରେ ଦେଶର ପୁଣେ, ପାଟଣା, ଜୁୁହୁ, ମୁମ୍ବଇ, ଜାମ୍‌ସେଦ୍‌ପୁର ଓ ଦିଲ୍ଲୀକୁ ଲକ୍‌ଡାଉନ୍‌ ଓ ଅନ୍ୟ ସମୟରେ ଏକାଧିକ ବାର ଯାତ୍ରା କରିଛନ୍ତି। ଏସବୁ ବାବଦରେ ସେ ୩ କୋଟି ଟଙ୍କା ବ୍ୟୟ କରିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ବାସଭବନରୁ ବିଲ୍‌ ଜବତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories