ଭୁବନେଶ୍ୱର: ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ।
ଟ୍ୱିଟ୍ କରି ସେ ଲେଖିଛନ୍ତି, “ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଓଡ଼ିଶାର ପୁରୀରେ ଅନୁଷ୍ଠିତ ହେଉଥିବା ପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ରଥଯାତ୍ରା ସ୍ଥାନୀୟ ତଥା ସମ୍ପୂର୍ଣ୍ଣ ଭାରତର ଶ୍ରଦ୍ଧାଳୁମାନଙ୍କ ପାଇଁ ବହୁ ପ୍ରତୀକ୍ଷିତ ଓ ଭାବପୂର୍ଣ୍ଣ ପର୍ବ। ରଥଯାତ୍ରା ହେଉଛି ଆମ ବିବିଧ ଓ ବିସ୍ତୃତ ଭାବଧାରାର ପ୍ରତୀକ ଏବଂ ପ୍ରଭୁ ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ଏହାର ଗଭୀର ଆଧ୍ୟାତ୍ମକ ମହତ୍ୱ ରହିଛି। ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ଶୁଭଦ୍ରାଙ୍କ ମହାନ ରଥ, ଅଖିଳ ବ୍ରହ୍ମାଣ୍ଡରେ ଇଶ୍ୱରୀୟ ଦିବ୍ୟତାର ପ୍ରତୀକ।
ଚଳିତ ବର୍ଷ ମଧ୍ୟ ଦେଶ ତଥା ବିଶ୍ୱ କୋଭିଡ଼-୧୯ କାରଣରୁ କଠିନ ସ୍ଥିତିକୁ ସାମ୍ନା କରୁଛି। ତେଣୁ ମୁଁ ସମସ୍ତ ନାଗରିକଙ୍କୁ ନିବେଦନ କରୁଛି ଯେ, ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀକୁ ପାଳନ କରି ରଥଯାତ୍ରା ଉତ୍ସବକୁ ଅତ୍ୟନ୍ତ ସାବଧାନତାର ସହ ପାଳନ କରନ୍ତୁ। ରଥଯାତ୍ରାର ପବିତ୍ର ତଥା ଉତ୍ତମ ଆଦର୍ଶ ଆମ ଜୀବନକୁ ଶାନ୍ତି, ସୌହାର୍ଦ୍ଦ୍ୟ, ସ୍ୱାସ୍ଥ୍ୟ ଏବଂ ସୁଖରେ ସମୃଦ୍ଧ କରୁ”।



