ବାଣୀବିହାର ଛାତ୍ରଙ୍କୁ ଅପହରଣ, ୩ ଗିରଫ

0

ଭୁବନେଶ୍ୱର:ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କୁ ମଙ୍ଗଳବାର ମଧ୍ୟାହ୍ନରେ ଅପହରଣ କରାଯିବା ଘଟଣାକୁ ନେଇ ବାଣୀବିହାର ପରିସର ଅଶାନ୍ତ ହୋଇପଡ଼ିଥିଲା। ଅପହୃତ ଛାତ୍ରଙ୍କୁ ତୁରନ୍ତ ମୁକୁଳାଇବା ଦାବିରେ ଶତାଧିକ ଛାତ୍ରଛାତ୍ରୀ ଜାତୀୟ ରାଜପଥ ୧୬ ଅବରୋଧ କରିଥିଲେ। ପ୍ରାୟ ଦେଢ଼ ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବ୍ୟାହାତ ହୋଇଥିଲା। ସହିଦନଗର ଥାନା ପୁଲିସ ଅପହୃତ ଛାତ୍ରଙ୍କୁ ଉଦ୍ଧାର ଲାଗି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଅପରାହ୍ଣରେ ଅପହୃତ ଛାତ୍ର କ୍ୟାମ୍ପସ୍‍ରେ ପହଞ୍ଚିବା ପରେ ପରିସ୍ଥିତ ନିୟନ୍ତ୍ରଣାଧୀନ ହୋଇଥିଲା। ଅପହୃତ ଛାତ୍ରଙ୍କୁ ପୁଲିସ ଉଦ୍ଧାର କରିବା ସହିତ ୩ ଜଣ ଅପହର୍ତ୍ତାଙ୍କୁ ପୁଲିସ ଗିରଫ କରିଥିଲା। ୩ ଅପହର୍ତ୍ତାଙ୍କୁ ଛାଡ଼ିବା ଦାବିରେ ବିଜେବି କଲେଜ୍‍ ସାମ୍‍ନାରେ ରାସ୍ତାରୋକ କରାଯାଇଥିଲା। କିଛି ସମୟ ଲାଗି ଭୁବନେଶ୍ୱର-ପୁରୀ ରାସ୍ତାରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା। ଏହି ଘଟଣାକୁ ନେଇ ବାଣୀବିହାର ସାମ୍‍ନା ରାସ୍ତା ଜାତୀୟ ରାଜପଥ ପ୍ରାୟ ଦେଢ଼ ଘଣ୍ଟା ଧରି ଛାତ୍ରମାନେ ଅବରୋଧ କରି ରଖିଥିଲେ। କ୍ୟାମ୍ପସ୍‍ରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପହରଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ଦାବିରେ କୁଳପତି ଓ ଡିସିପିଙ୍କ କାର୍ଯ୍ୟାଳୟକୁ ଶତାଧିକ ଛାତ୍ର ଘେରାଉ କରିଥିଲେ। ଏନେଇ କର୍ତ୍ତୃପକ୍ଷଙ୍କଠାରୁ ପ୍ରତିଶ୍ରୁତି ମିଳିବା ପରେ ବିକ୍ଷୋଭକାରୀ ଛାତ୍ରମାନେ ଆନ୍ଦୋଳନରୁ ଓହରିଥିଲେ।
ସୋମବାର ରାତିରେ ମୋବାଇଲ୍‍ ଫୋନ୍‍ ଏବଂ ବାଇକ୍‍ ଚୋରି ଘଟଣାକୁ କେନ୍ଦ୍ରକରି ବାଣୀବିହାର ପରିସରରେ କିଛି ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ କଥା କଟାକଟି ଓ ଗଣ୍ଡଗୋଳ ହୋଇଥିଲା। ଏହି ଦୁଇଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗତକାଲି ରାତିରୁ ମଙ୍ଗଳବାର ମଧ୍ୟାହ୍ନ ପର୍ଯ୍ୟନ୍ତ ଛକାପଞ୍ଝା ଲାଗି ରହିଥିଲା। ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ୧୬ରୁ ୧୮ଜଣ ଅଣଛାତ୍ର ବାଇକ୍‍ରେ ଆସି ଗ୍ଲାସ କ୍ୟାଣ୍ଟିନ୍‍ ନିକଟରେ ପହଞ୍ଚିଥିଲେ। ସେଠାରେ ସେମାନଙ୍କ ସହିତ ଗଣ୍ଡଗୋଳ ଭିଆଇଥିବା କିଛି ବାଣୀବିହାର ଛାତ୍ରଙ୍କୁ ଖୋଜାଖୋଜି କରିଥିଲେ। ହେଲେ ସେମାନଙ୍କୁ ପାଇ ନ ଥିଲେ। ସ୍ଥାନୀୟ ମାର୍କେଟ୍‍ କମ୍ପେ୍ଲକ୍ସକୁ ଯାଇ ସେଠାରେ ଜଣେ ଛାତ୍ରଙ୍କୁ ଏକାକୀ ପାଇ ତାଙ୍କୁ ମାଡ଼ମାରି ଅପହରଣ କରି ନେଇଥିଲେ। ଏହି ଖବର ଜଣାପଡ଼ିବା ପରେ ପ୍ରାୟ ଶତାଧିକ ଛାତ୍ର ବାଣୀବିହାର ମୁଖ୍ୟଫାଟକକୁ ବନ୍ଦ କରି ସାମ୍‍ନା ଜାତୀୟ ରାଜପଥ ନଂ-୧୬ର ଉଭୟ ପାଶ୍ୱର୍ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛି ସମୟ ପରେ ଛାତ୍ରମାନେ ଶନିମନ୍ଦିର ସାମ୍‍ନା ରାସ୍ତାର ଅବରୋଧରୁ ହଟି ଯାଇଥିଲେ। ଛାତ୍ର ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ସାଙ୍ଗ ମନୋରଞ୍ଜନ ସ୍ୱାଇଁ ସହିଦନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଥିଲା ବୋଲି ଥାନା ଅଧିକାରୀ ଏସିପି କିଶୋର ଚନ୍ଦ୍ର ମୁଣ୍ଡ୍‍ କହିଛନ୍ତି। ଅପହରଣ ଘଟଣାରେ ପୁଲିସ କଳ୍ପତରୁ ଓଝା, ଅଜିତ ବେହେରା ଓ ଜ୍ୟୋତିରଞ୍ଜନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ଆଉ ୨ ଜଣଙ୍କୁ ଖୋଜୁଛି।
ଅପରାହ୍ଣରେ ଉତ୍ତ୍ୟକ୍ତ ଛାତ୍ରମାନେ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏବଂ ଡିସିପି ଅନୁପ କୁମାର ସାହୁଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। କ୍ୟାମ୍ପସ୍‍ରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପହରଣ କରିଥିବା ଅଣଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସେମାନେ ଦାବି କରିଥିଲେ। ବାଣୀବିହାର ଛାତ୍ରଙ୍କ ସମସ୍ୟା ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Leave A Reply