ସଫା ହେଉଛି କିର୍ରିବାଞ୍ଜି ସଂରକ୍ଷିତ ଜଙ୍ଗଲ,ରାୟପୁରକୁ କାଠ ଚୋରାଚାଲାଣ 

ଜଙ୍ଗଲ ଭିତରେ ଡ଼ିଏଫ୍‌ଓଙ୍କ ଚଢ଼ାଉ ,ପଦାରେ ପଡ଼ିଲା ମାଫିଆ-ଫରେଷ୍ଟରଙ୍କ ମଧୁଚନ୍ଦ୍ରିକା 

ଦେଓଗାଁ : ଦେଓଗାଁ ବ୍ଲକର ଶେଷ ସୀମା ତଥା ପାଟଣାଗଡ଼ ରେଞ୍ଜର କିର୍ରିବାଞ୍ଜି ସଂରକ୍ଷିତ ଜଙ୍ଗଲରେ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି । ଜଙ୍ଗଲ ମାଫିଆମାନେ ସ୍ଥାନୀୟ ଫରେଷ୍ଟରଙ୍କୁ ହାତ କରି ସଂରକ୍ଷିତ ଜଙ୍ଗଲକୁ ସଫା କରୁଥିବା ବେଳେ ଗାଁଲୋକଙ୍କଠାରୁ ଖବର ପାଇ ବଲାଙ୍ଗୀର ଜିଲ୍ଲା ଜଙ୍ଗଲ ଅଧିକାରୀ ନିତିଶ କୁମାର କାଠ ମାଫିଆଙ୍କ ଉପରେ ଚଢ଼ାଉ କରି କାଠକୁ ଜବତ କରିଛନ୍ତି । ଟିକ୍ରାପଡ଼ା ଓ ଛନ୍‌ଛଡ଼ା ଫରେଷ୍ଟରଙ୍କ ଅଧିନରେ ଥିବା ଗମ୍ବେରମାଲ ଓ ଡ଼ୁକୁରିଚର୍ଚ୍ଚରା ମଧ୍ୟ ଭାଗରେ ଥିବା କିର୍ରିବାଞ୍ଜି ସଂରକ୍ଷିତ ଜଙ୍ଗଲକୁ ସଫା କରୁଛନ୍ତି ଜଙ୍ଗଲ ମାଫିଆ । ଏହି ଜଙ୍ଗଲ ଭିତରେ ଥିବା କେନ୍ଦୁ ଗଣ୍ଡି, କୁଡ୍ଡୁ ଓ ଗମ୍ଭାରୀ ଗଛକୁ କଟର ଯୋଗେ କାଟି କଣ୍ଟାବାଞ୍ଜି ଦେଇ ରାୟପୁରକୁ ଟ୍ରକ ସାହାଯ୍ୟରେ ଚାଳାଣ କରୁଛନ୍ତି । ହେଲେ ଜଙ୍ଗଲ ଅଧିକାରୀଙ୍କ କାନରେ କାଠ ଚୋରା ଜାଳାଣ କଥା ପଡ଼ିବା ପରେ ଜିଲ୍ଲା ଫରେଷ୍ଟ ୟୁନିଟର ମୋବାଇଲ ସ୍କ୍ବାର୍ଡ ଚଢ଼ାଉ କରି କାଠକୁ ଜଗି ରହିଛନ୍ତି । ଏନେଇ ବଲାଙ୍ଗୀର ଜଙ୍ଗଲ ଅଧିକାରୀଙ୍କୁ ପଚାରିବାରୁ କିର୍ରିବାଞ୍ଜି ସଂରକ୍ଷିତ କାଠକୁ ଜବତ କରାଯାଇଛି, ପାଖାପାଖି ୨ଟ୍ରକ କାଠ ସେଠାରେ ଥିଲା । ଆସନ୍ତା କାଲି ଲୋଡ଼ କରି ଅଣାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଜଙ୍ଗଲ ଭିତରେ ଗଛ କାଟୁଥିବା ନେଇ ସ୍ଥାନୀୟ ଫରେଷ୍ଟର ଆଗୁଆ ସୂଚନା ପାଇଥିଲେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନେଇ ନ ଥିବାରୁ କାଠ ମାଫିଆ ଓ ଫରେଷ୍ଟରଙ୍କ ଭିତିରି ସମ୍ପର୍କ ରହିଥିବା ବାରି ହେଉଛି । ଗତ ନଭେମ୍ବର ୪ତାରିଖ ମଧ୍ୟ ଖର୍ସେଲବାଞ୍ଜିରୁ ଯାଇଥିବା ଏକ  ଟ୍ରାକ୍ଟରକୁ ଟିକ୍ରାପଡ଼ା ଫରେଷ୍ଟର ପ୍ରଦିପ ସାହୁ, ଟ୍ରାକଟରେ ଥିବା ଶାଗୁଆନ ଗଣ୍ଡି ସହ ସଂରକ୍ଷିତ ଜଙ୍ଗଲର ସାଇମରା ନିକଟରେ ଗାଡ଼ିକୁ ଜବତ କରିଥିଲେ । କିନ୍ତୁ ଗଣ୍ଡିକୁ ଜବତ କରି ଟ୍ରାକ୍ଟରକୁ ଛାଡ଼ି ଦେଇଥିବାରୁ ଜଙ୍ଗଲ ମଧ୍ୟରେ ମାଫିଆଙ୍କ ରାଜ ବୃଦ୍ଧି ପାଇବାରେ ଲାଗିଛି।
ସୂଚନା ଯୋଗ୍ୟ ଯେ, କିର୍ରିବାଞ୍ଜି ସଂରକ୍ଷିତ ଜଙ୍ଗଲଟି ପାଟଣାଗଡ଼ ଓ ସଇଁନ୍ତଲା ରେଞ୍ଜର ୩ଟି ଫରେଷ୍ଟ ସେକ୍ସନ ଅଧିନରେ ରହିଛି । ରାମଚନ୍ଦ୍ରପୁର, କୁବରୀମହୁଲ ଅଞ୍ଚଳରୁ ସାଗୁଆନ କାଠ ପାଟଣାଗଡ଼ ଦେଇ ଚୋରାଚାଳାଣ ହେଉଥିବା ବେଳେ ବନ୍ଧପଡ଼ା, ଗମ୍ଭାରୀମାଲ, ଦେଷଣ୍ଢ, ଡ଼ୁକେରଚର୍ଚ୍ଚରା, ବେଲଘାଟି, ଜୁରାବନ୍ଧ, କେଓମାଲକୁ ଲାଗିକି ଥିବା ସଂରକ୍ଷିତ ଜଙ୍ଗଲରୁ କନ୍ଦୁ ଓ କୁଡ୍ଡୁ କାଠ ମାସକୁ ୨ଥର ଚୋରାଚାଳାଣ ହେଉଥିବାର ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏହି କାଠ ମାଫିଆଙ୍କ ପାଦୁର୍ଭାବ ଯୋଗୁଁ ଜଙ୍ଗଲ ଭିତରେ ଥିବା ଜାତୀୟ ପକ୍ଷୀ ମୟୁରକୁ ଶିକାର କରି ରାଜ୍ୟ ବାହାରକୁ ଚାଳାଣ ହେଉଥିବା ମଧ୍ୟ ବିଶ୍ବସ୍ଥ ସୂତ୍ରରୁ ଖବର ମିଳିଛି। ମୟୁର ଚାଳାଣକୁ ନେଇ ପୂର୍ବରୁ ଖବର ପ୍ରକାଶ ପାଇଥିଲେ ମଧ୍ୟ ବନବିଭାଗ ହାଲୁକା ଭାବେ ନେଇଥିବାରୁ ଏବେ ଏହା ଅଧିକ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଲାଣି । ଆଗକୁ ଜଙ୍ଗଲ ମାଫିଆମାନଙ୍କୁ ସାବାଡ଼ ନ କଲେ ଜଙ୍ଗଲରେ ବନ୍ୟଜନ୍ତୁ ମଧ୍ୟ ଲୋପ ପାଇଯିବେ ବୋଲି ବୁଦ୍ଧିଜୀବି ମହଳରେ ମତ ପ୍ରକାଶ ପାଉଛି।

Comments are closed.