ଅଧ୍ୟାପକରୁ ନିଯୁକ୍ତି ଦଲାଲ!

ବ୍ରହ୍ମପୁର/ଗୋପାଳପୁର: ଟାଟାରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ବର ରାଓ ଗିରଫ ହୋଇଛନ୍ତି । ଗୁରୁବାର ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଛି । ନିଯୁକ୍ତି ଠକେଇ ରାକେଟ୍‌ର ଅନ୍ୟତମ କିଙ୍ଗ୍‌ପିନ୍‌ କୁହାଯାଉଥିବା ସର୍ବେଶ୍ବର ଥିଲେ ଗୋପାଳପୁର ବିଧାୟକ ପ୍ରଦୀପଙ୍କ ସର୍ବେସର୍ବା । ବିଧାୟକ ପ୍ରଦୀପଙ୍କ ବେପାର ଠାରୁ ଆରମ୍ଭ କରି ରାଜନୈତିକ ନୀତି ନିଷ୍ପତ୍ତିର କେନ୍ଦ୍ରରେ ରହୁଥିଲେ ସର୍ବେଶ୍ବର । ଅଧ୍ୟାପନାରୁ କେମିତି ସେ ସାଜିଲେ ନିଯୁକ୍ତି ଦଲାଲ୍‌, ତାହାକୁ ନେଇ ଏବେ ସାରା ଗଞ୍ଜାମ ଜିଲାରେ ଚର୍ଚ୍ଚା।
ଗୋପାଳପୁର ବିଧାୟକ ପ୍ରଦୀପଙ୍କ ଅଘୋଷିତ ପରାମର୍ଶଦାତା ଥିଲେ ସର୍ବେଶ୍ବର । ଛତ୍ରପୁର ନିକଟ ତ୍ରିପତିରାଓ ପେଟା ଅଞ୍ଚଳର ମୂଳ ବାସିନ୍ଦା ଭି.ସର୍ବେଶ୍ବର ରାଓ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ମହାବିଦ୍ୟାଳୟରେ ୧୯୮୦ ମସିହାରେ ଇଂରାଜୀ ଅଧ୍ୟାପକ ଭାବେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ । ୧୯୯୨ ମସିହାରେ କିଛି ଦିନ ପାଇଁ ନୂଆପଡ଼ା କଲେଜକୁ ତାଙ୍କର ବଦଳି ହୋଇଥିଲା । କିିନ୍ତୁ ଅଳ୍ପ ଦିନ ମଧ୍ୟରେ ସେ ପୁଣି ଖେମୁଣ୍ଡି ମହାବିଦ୍ୟାଳକୁ ଫେରିଥିଲେ । ପରେ ବ୍ରହ୍ମପୁର ସିଟି କଲେଜର ଅଧ୍ୟକ୍ଷ ଭାବେ ୨୦୧୧ଜାନୁୟାରୀ ୨୮ ତାରିଖରୁ ୨୦୧୧ ସେପ୍ଟେମ୍ବର ୩୦ ତାରିଖ ପର୍ୟ୍ୟନ୍ତ କାର୍ୟ୍ୟ କରିଥିଲେ । ଆଉ ସେଠାରୁ ହିଁ ଅବସର ଗ୍ରହଣ କରିଥିଲେ । କୁହାଯାଏ, ସିଟି କଲେଜର ଅଧ୍ୟକ୍ଷ ଥିବା ସମୟରୁ ହିଁ ସର୍ବେଶ୍ବର ଏବଂ ବିଧାୟକ ପ୍ରଦୀପଙ୍କ ମଧ୍ୟରେ ଘନିଷ୍ଠତା ଆରମ୍ଭ ହୋଇଯାଇଥିଲା । କାରଣ ଏହି କଲେଜର ପରିଚାଳନା କମିଟିର ଅଧ୍ୟକ୍ଷ ଥିଲେ ବିଧାୟକ ପ୍ରଦୀପ । ଏଥିସହ ପରବର୍ତ୍ତୀ ସମୟରେ ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ରୀଡ଼ା ପରିଷଦର ଏକ୍‌ଜିକ୍ୟୁଟିଭ୍‌ ମେମ୍ବର ରହିଥିଲେ । ସିଟି କଲେଜରେ ଅଧ୍ୟକ୍ଷ ଥିବା ବେଳେ ପ୍ରଦୀପଙ୍କ ରାଜନୈତିକ ନିଷ୍ପତ୍ତି ଏବଂ କାର୍ୟ୍ୟକ୍ରମରେ ସର୍ବେଶ୍ବରଙ୍କ ପ୍ରଭାବ ରହୁଥିଲା । ପରଦା ପଛରୁ ସେ ମୁଖ୍ୟ ଭୂମିକା ନେଉଥିଲେ । ହେଲେ ଅବସର ପରେ ଖୋଲାଖୋଲି ଭାବେ ପ୍ରଦୀପଙ୍କ ସମର୍ଥକ ପାଲଟିଯାଇଥିଲେ । ଶାସକ ବିଜୁ ଜନତା ଦଳରେ ମଧ୍ୟ ତାଙ୍କର ପ୍ରଭାବ ବୃଦ୍ଧି ପାଇଥିଲା । ବିଶେଷକରି ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ରାଜନୀତିରେ ସେ ଶକ୍ତିଶାଳୀ ହୋଇପଡ଼ିଥିଲେ । ୨୦୧୪ ମସିହାରେ ପ୍ରଦୀପ ଉଚ୍ଚଶିକ୍ଷାମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ପରାମର୍ଶଦାତା ଭାବେ ସର୍ବେଶ୍ବରଙ୍କ କ୍ଷମତା ବି ବଢ଼ିଥିଲା । ଜିଲାରେ ସେ ପ୍ରଦୀପଙ୍କ ଖାସ୍‌ ଲୋକ ବୋଲି ବେଶ୍ ଜଣାଶୁଣା ଥିଲେ । ବର୍ତ୍ତମାନ ପରିବାର ସହ ବ୍ରହ୍ମପୁର କୋର୍ଟପେଟା ଛକ ନିକଟସ୍ଥ ବିଦ୍ୟାନଗରରେ ରହିଆସୁଥିଲେ । ତାଙ୍କର ପୁଅ ଟାଟା କମ୍ପାନୀ ଅନ୍ତର୍ଗତ ଏକ ଶାଖାରେ ଚାକିରି କରୁଥିବା ଜଣାପଡ଼ିଛି ।
ସବୁ କିଛି ଠିକ୍‌ଠାକ୍‌ ଚାଲିଥିବା ବେଳେ ପଦାକୁ ଆସିଥିଲା ନିଯୁକ୍ତି ଜାଲିଆତି । ପ୍ରଥମେ ଆକାଶ ପାଠକ ଏବଂ ପରେ ବିଧାୟକ ପ୍ରଦୀପ ଗିରଫ ହୋଇଥିଲେ । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ବ୍ୟାପକ କରିବା ପରେ ସର୍ବେଶ୍ବରଙ୍କ ନାଁ ସମ୍ମୁଖକୁ ଆସିଥିଲା । ବିଶେଷକରି ଆକାଶଙ୍କ ବ୍ୟକ୍ତିଗତ ସହାୟକ ଡେଭିଡ୍‌ ପିଟର୍‌ଙ୍କୁ କ୍ରାଇମ୍‌ବ୍ରାଞ୍ଚ ବେଳେ ସେ ନିଯୁକ୍ତି ଜାଲିଆତିର ସିଣ୍ଡିକେଟ୍‌ ବିଷୟରେ ବିସ୍ଫୋରକ ତଥ୍ୟ ଦେଇଥିଲେ । କିଭଳି ସର୍ବେଶ୍ବରଙ୍କ ଜରିଆରେ ଠକେଇ ଚାଲିଥିଲା, ସେନେଇ ସବୁ ଗୁମର ଖୋଲିଦେଇଥିଲେ ଡେଭିଡ୍‌ । ଗୋପାଳପୁର ଏବଂ ଅନ୍ୟ ଅଞ୍ଚଳର ବେକାର ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରୁଥିଲେ ସର୍ବେଶ୍ବର । ସେମାନଙ୍କୁ ନିଯୁକ୍ତି ଫାସରେ ପକାଇବା ସହ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ସିଣ୍ଡିକେଟ୍‌ରେ ଥିଲେ ଆକାଶ, ପ୍ରଦୀପ ଏବଂ ସର୍ବେଶ୍ବରଙ୍କ ସହ ଅନ୍ୟ କିଛି ବ୍ୟକ୍ତି । ଡେଭିଡ୍‌ଙ୍କ ବୟାନ ପରେ ସର୍ବେଶ୍ବର ଗିରଫ ହେବେ ବୋଲି କୁହାଯାଉଥିଲା । ବ୍ରହ୍ମପୁରକୁ କ୍ରାଇମ୍‌ବ୍ରାଞ୍ଚ ପହଞ୍ଚି ତଦନ୍ତ ଆରମ୍ଭ କରିବା ପରେ ଏହି ଆଶଙ୍କା ବଢ଼ିଯାଇଥିଲା । ନଭେମ୍ବର ୩୦ ତାରିଖରେ ସର୍ବେଶ୍ବରଙ୍କୁ ପ୍ରଥମେ ଜେରା କରାଯାଇଥିଲା । ଧିରେ ଧିରେ ଠକାମୀର ଶିକାର ହୋଇଥିବା ଯୁବକଙ୍କୁ ପଚରାଉଚରା ବେଳେ ବାରମ୍ବାର ସର୍ବେଶ୍ବରଙ୍କ ନାଁ ଶୁଣିବାକୁ ମିଳିଥିଲା । ଗିରଫ ଭୟରେ ରାଜ୍ୟ ଛାଡ଼ି ଦେଇଥିଲେ ସର୍ବେଶ୍ବର । ବୁଧବାର ତାଙ୍କୁ ଆନ୍ଧ୍ରପ୍ରଦେଶରୁ ଧରି ନେଇଥିଲା କ୍ରାଇମ ବ୍ରାଞ୍ଚ।

Comments are closed.