ଜମ୍ମୁ-କଶ୍ମୀରରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜେଇଏମ୍ ଦ୍ବାରା ହୋଇଥିବା ଆକ୍ରମଣ ଯୋଗୁ ୪୦ ଯବାନ ଶହୀଦ ହେବା ଘଟଣାକୁ ବିଶ୍ଵବ୍ୟାପୀ ନିନ୍ଦା କରାଯାଇଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହାର ଦୃଢ଼ ନିନ୍ଦା କରିଛନ୍ତି। ଶହୀଦମାନଙ୍କୁ ଜାତିସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯିବା ସହ ଆହତ ଯବାନମାନଙ୍କୁ ଦ୍ରୁତ ଆରୋଗ୍ୟ କାମନା କରାଯାଇଛି।
ଅନ୍ୟପଟେ ଆମେରିକା ଏହି ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ସହ ଦେଶକୁ ଆତଙ୍କବାଦ ମୁକ୍ତ କରିବାକୁ କହିଛି। ଆମେରିକା ହ୍ବାଇଟ ହାଉସ ପ୍ରେସ ସଚିବ ସାରା ହକାବୀ ସାଣ୍ଡର୍ସ କହିଛନ୍ତି, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଦ୍ବାରା ହୋଇଥିବା ଏହି ଆକ୍ରମଣ ସବୁଠାରୁ ବଡ଼ ଘୃଣ୍ୟ କାର୍ଯ୍ୟ। ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପ୍ରୋତ୍ସାହନ ଦେବା ତୁରନ୍ତ ବନ୍ଦ କରୁ। ଏହି ଘଟଣା ଭାରତ ଏବଂ ଆମେରିକା ମଧ୍ୟରେ ଆତଙ୍କବାଦ ବିରୋଧୀ ଅଭିଯାନ ନେଇ ରହିଥିବା ସଙ୍କଳ୍ପକୁ ଆହୁରି ମଜଭୁତ କରିଛି ବୋଲି ସେ କହିଛନ୍ତି। ସେହିପରି ଆମେରିକା ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନ ଥିଲେ ମଧ୍ୟ ଟ୍ରମ୍ଫ ପ୍ରଶାସନ ପାକିସ୍ତାନକୁ ଦେବାକୁ ଥିବା ୨ଶହ କୋଟି ଡଲାରର ଆର୍ଥିକ ସହାୟତା ବନ୍ଦ କରିଦେଇଥିବା ସୂଚନା ମିଳିଛି।



