କାବୁଲ..- ଆମେରିକାର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ପାଟ୍ରିକ ଶାନାହାନ ହଠାତ୍ ଆଫଗାନିସ୍ତାନ ଗସ୍ତ କରିଛନ୍ତି । ପାଟ୍ରିକ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘାନୀଙ୍କୁ ଭେଟିଛନ୍ତି । ଆତଙ୍କବାଦ ବିରୁଦ୍ଧରେ ଆଫଗାନୀସ୍ତାନରେ ଲଢୁଥିବା ଆମେରିକାର ସୈନ୍ୟଙ୍କ ସଂଖ୍ୟା ହ୍ରାସ କରିବା ପାଇଁ ତାଙ୍କୁ କୌଣସି ନିର୍ଦେଶ ଦିଆଯାଇ ନ ଥିବା ସେ କହିଛନ୍ତି । ଆଫଗାନିସ୍ତାନରେ ଏବେ ଆମେରାକିର ୧୪ ହଜାର ସୈନ୍ୟ ରହିଛନ୍ତି ।
ପାଟ୍ରିକ ଗତ ଡିସେମ୍ବରରେ ରକ୍ଷା ବିଭାଗର ଦାୟୀତ୍ୱ ସମ୍ଭାଳିଥିଲେ । ପୂର୍ବ ରକ୍ଷା ସଚିବ ଜିମ୍ ମାଟିସ୍ଙ୍କର ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ମତାନ୍ତର ହେବାରୁ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ଆମେରିକାର ସୈନ୍ୟ ବିଭାଗ ଏହି ଅଞ୍ଚଳରେ ସୁରକ୍ଷା ପାଇଁ ପ୍ରତିଶୃତି ବଦ୍ଧ । ଆମେରିକାର ସୈନ୍ୟ ଏଠାରେ ଉପସ୍ଥିତ ରହି ଏହି ଶାନ୍ତି ଓ ସୁରକ୍ଷାକୁ ଆହୁରି ମଜବୁତ କରିବେ ବୋଲି ପାଟ୍ରିକ ପ୍ରତିଶୃତି ଦେଇଛନ୍ତି ।
ଗତ ବର୍ଷ ଆଫଗାନିସ୍ତାନରେ ଶାନ୍ତ ପ୍ରତିଷ୍ଠା ପାଇଁ ଆମେରିକାର ଅଧିକାରିମାନେ ତାଲିବାନର ସଦସ୍ୟଙ୍କ ସହ କଥାବାର୍ତ୍ତା କରିଥିଲେ । କତାରରେ ଏହି ଆଲୋଚନା ଅନୁଷ୍ଠିତ ହୋଇଥିଲା । ଏହି କଥାବାର୍ତ୍ତାରୁ ଯୁକ୍ତାତ୍ମକ ଫଳାଫଳ ମିଳଥିବା ଉଭୟ ପକ୍ଷ ପ୍ରକାଶ କରିଛନ୍ତି । ଫେବ୍ରୁଆରୀ ୨୫ ତାରିଖରେ ଆଉ ଏକ ବୈଠକ ଅନୁଷ୍ଠିତ ହେବାର ଅଛି ।



