ମୟୁରଭଞ୍ଜ : ହାତୀ ଆକ୍ରମଣରେ ଚାଲିଗଲା ମହିଳାଙ୍କ ଜୀବନ। ଅଳ୍ପକେ ବଞ୍ଚିଲା ଶିଶୁ ପୁତ୍ର । ଏଭଳି ଏକ ଅଭାବନୀୟ ଘଟଣା ମୟୁରଭଞ୍ଜର ରାଇରଙ୍ଗପୁର ବନଖଣ୍ଡ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳର ଗାରଗାଡି ସେକ୍ସନ ଓ ବିଟ ଅନ୍ତର୍ଗତ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲ ସନ୍ନିକଟ ଏକ ଡୁଙ୍ଗୁରି ଅଞ୍ଚଳରେ ଘଟିଛି । ଏଠାରେ ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏକ ବର୍ଷ ଶିଶୁପୁତ୍ର ହାତୀ ଆକ୍ରମଣରୁ ବର୍ତ୍ତି ଯାଇଛି।
ସୂଚନାନୁଯାୟୀ, ଗାରଗାଡି ବିଟ ଅନ୍ତର୍ଗତ ଯୋଡ଼ିଆ ପଂଚାୟତ ଅଧିନ ଗାରଗାଡି ଗ୍ରାମର ଜଣେ ମହିଳା ନିଜ ଏକ ବର୍ଷର ଶିଶୁପୁତ୍ରକୁ ଧରି ଜଙ୍ଗଲରୁ ମିଳୁଥିବା ଲତା ବା ଦଉଡି ସଂଗ୍ରହ ପାଇଁ ଗାଁ ସନ୍ନିକଟ ଜଙ୍ଗଲକୁ ଯାଇଥିଲେ। ଜଙ୍ଗଲ ମଧ୍ୟରେ ଯାଇଥିବା ଏକ ରାସ୍ତା କଡରେ ଶିଶୁ ପୁତ୍ରକୁ ଶୁଆଇ ଜଙ୍ଗଲ ଉପର ମୁଣ୍ଡକୁ ଦୌଡ଼ି ସଂଗ୍ରହ କରିବାକୁ ଯାଇଥିଲେ। ହଠାତ ସେଠାରେ ଏକ ହାତୀ ହାବୁଡ଼ରେ ପଡି ଯାଇଥିଲେ। ମହିଳାଙ୍କୁ ହାତୀଟି ଆକ୍ରମଣ କରି ତଳେ ପକାଇ ଦେବା ସହ ତାଙ୍କ ମୁଣ୍ଡରେ ଆଘାତ ହେବା ଫଳରେ ପ୍ରଚୁର ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ମୃତକ ମହିଳା ଜଣକ ଗାରଗାଡି ଗ୍ରାମର ବାଟା ନାଏକଙ୍କ ଝିଅ ଚାରମେଇ ଓରଫ କିକିଡି ନାଏକ(୨୭) ବୋଲି ଜଣାପଡିଛି । ଏହି ଅଘଟଣ ଶନିବାର ପ୍ରାୟ ସକାଳ ୮ଟା ମଧ୍ୟରେ ଘଟିଥିଲା। ଘଟଣାସ୍ଥଳରେ ଶିଶୁପୁତ୍ରର କାନ୍ଦ ଶୁଣି ଗ୍ରାମବାସୀ ଉଦ୍ଧାର କରିବା ପରେ ମୃତ ଚାରମେଇଙ୍କ ମୃତଦେହ ଉଦ୍ଧାର କରିଥିଲେ। ପରେ ବନ ବିଭାଗ ଖବର ପାଇ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂଙ୍କ ନେତୃତ୍ୱରେ ବନପାଳ ପ୍ରଭାତ ରଞ୍ଜନ ମହାନ୍ତ, ତରଙ୍ଗିନୀ ମହାନ୍ତ, ଶୋଭାଲକ୍ଷ୍ମୀ ପାତ୍ର, ଛିତା ଟୁଡୁ ସମେତ କର୍ମଚାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ କାରମେଇ ନାଏକଙ୍କ ମୃତଦେହକୁ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି। ସରକାରଙ୍କ ନିୟମ ଅନୁଯାୟୀ ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବାର ରହିଛି । ପ୍ରଥମେ ମୃତକଙ୍କ ପରିବାରକୁ ୬୦ ହଜ଼ାର ଟଙ୍କା ବନାଞ୍ଚଳ ପକ୍ଷରୁ ଦିଆଯିବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ମୃତ କାରମେଇ ଗରିବ ଓ ଅସହାୟ ପରିବାରକୁ ନିୟମ ଅନୁଯାୟୀ ସହାୟତା ରାଶି ଯଥାଶୀଘ୍ର ପ୍ରଦାନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।
ହାତୀ ଆକ୍ରମଣରେ ମହିଳା ମୃତ; ଅଳ୍ପକେ ବଞ୍ଚିଲା ଶିଶୁପୁତ୍ର
Popular Categories



