ଉତ୍ତରପ୍ରଦେଶରୁ ଆନ୍ଧ୍ର ଯାଏଁ ଝଡ଼-ବର୍ଷା ତାଣ୍ଡବ : ୪୦ ମୃତ

0

ନୂଆଦିଲ୍ଲୀ : ଉତ୍ତର ଭାରତ ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ରବିବାର ଝଡ଼ ଓ ବର୍ଷା ତାଣ୍ଡବରେ ୪୦ ଜଣ ପ୍ରାଣ ହରାଇଛନ୍ତି ଓ ଅନେକ ଆହତ ହୋଇଛନ୍ତି। ଉତ୍ତର ଭାରତରେ ଦିଲ୍ଲୀ ସମେତ ଉତ୍ତରାଖଣ୍ଡ, ଜାମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ, ରାଜସ୍ଥାନ ଓ ହରିୟାଣାରେ ଝଡ଼ ବର୍ଷା ଲାଗି ରହିଛି। ଦିଲ୍ଲୀରେ ରବିବାର ଅପରାହ୍ନରୁ ଆରମ୍ଭ ହୋଇଥିବା ଝଡ଼ ଓ ବର୍ଷାରେ ସାଧାରଣ ସେବା ବାଧାପ୍ରାପ୍ତ ହୋଇଛି। କେତେକ ସ୍ଥାନରେ ମେଟ୍ରୋ ଟେନ୍‍ ଚଳାଚଳ ବାତିଲ କରିଦିଆଯାଇଛି। ରାଜୀବ ଚୌକ ଏବଂ ଆରକେ ଆଶ୍ରମ ମେଟ୍ରୋ ଷ୍ଟେସନ ମଝିରେ ଗଛ ପଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀରେ ଘଣ୍ଟା ପ୍ରତି ୯୦ରୁ ୧୧୦ କିମି ବେଗରେ ପବନ ବହିଥିବା ଜଣାଯାଇଛି। ଧୂଳିଝଡ ଓ ବର୍ଷା ଯୋଗୁଁ ବିମାନ ଓ ମେଟ୍ରୋ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି। ଇନ୍ଦିରା ଗାନ୍ଧି ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବାକୁ ଥିବା ୪୦ଟି ବିମାନ ଗତିପଥକୁ ପରିବର୍ତ୍ତନ କରାଯାଇ ଅନ୍ୟତ୍ର ଅବତରଣ କରାଯାଇଛି। ଦିଲ୍ଲୀ ମେଟ୍ରୋର ବ୍ଲ୍ୟୁ ଲାଇନ (ନଇଡା-ଦ୍ୱାରକା)ର ଚଳାଚଳ ୩୦ମିନିଟ ପାଇଁ ବନ୍ଦ ରହିଥିଲା। ସେହିପରି ଇନ୍ଦ୍ରପ୍ରସ୍ଥ ଏକ୍ସଟେନସନ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଛି। ବର୍ଷା ଯୋଗୁଁ ଦିଲ୍ଲୀର ତାପମାତ୍ରା ହ୍ରାସ ପାଇଛି। ଦିଲ୍ଲୀର କେତେକ ବିମାନକୁ ଅମୃତସର, ଚଣ୍ଡିଗଡ଼ ଏବଂ ଲକ୍ଷ୍ନୌ ବିମାନ ବନ୍ଦରରେ ଅବତରଣ କରାଯାଇଛି। ପାଣିପାଗ ବିଭାଗ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଭାରତରେ ସତର୍କ ସୂଚନା ଜାରି କରିଛି। ଉତ୍ତରପ୍ରଦେଶରେ ଝଡ଼ ବର୍ଷାରେ ୧୮ ଜଣ ପ୍ରାଣ ହରାଇଛନ୍ତି ଓ ୩୪ ଜଣ ଆହତ ହୋଇଛନ୍ତି। ବୁଲନ୍ଦସହରରେ ବଜ୍ରପାତରେ କେତେକ ଘର ଜଳିଯାଇଛି। ଆନ୍ଧ୍ରପ୍ରଦେଶରେ ଝଡ଼ ଓ ବର୍ଷାରେ ୮ ଜଣ ପ୍ରାଣ ହରାଇଛନ୍ତି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ସୂଚନା ଦେଇଛି। ତେଲଙ୍ଗାନାରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି, ସେହିପରି ଦିଲ୍ଲୀରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ ଜଣ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗରେ ବଜ୍ରପାତ ସହ ଝଡ଼ରେ ୯ ଜଣ ପ୍ରାଣ ହରାଇଛନ୍ତି।

Leave A Reply