ଜାତିସଂଘ: ଅଲକାଏଦା ମୁଖ୍ୟ ତଥା କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍ ଲାଡେନଙ୍କ ପୁଅ ହାଜମା ବିନ୍ ଲାଡେନଙ୍କୁ କଳା ତାଲିକାଭୁକ୍ତ କରିଛି ଜାତିସଂଘ ସୁରକ୍ଷା ପରିଷଦ। ଫଳରେ ବିଭିନ୍ନ ରାଷ୍ଟ୍ର ତାଙ୍କ ଗସ୍ତକୁ ନିଷେଧ କରିବା ସହ ସମସ୍ତ ସମ୍ପତ୍ତିକୁ ଅଚଳ କରିବେ। ହାଜମା ଆମେରିକାରେ ଆକ୍ରମଣ ଧମକ ଦେଇଥିବାବେଳେ ଆତଙ୍କବାଦୀ ସଂଗଠନ ଅଲକାଏଦାର ଉତ୍ତରପିଢ଼ି ଭାବେ ଦାୟିତ୍ଵ ନେବା ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି।
ଜାତିସଂଘ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ବର୍ତ୍ତମାନର ଅଲକାଏଦା ମୁଖ୍ୟ ଅଲ ଜୱାହିରି ଘୋଷଣା କରିଛନ୍ତି ଯେ, ସାଉଦି ଆରବରେ ଜନ୍ମିତ ହାଜମା ବିନ ଲାଡେନ ଅଲକାଏନାର ଜଣେ ସଦସ୍ୟ। ହାଜମା ମଧ୍ୟ ତାଙ୍କ ଅନୁଗାମୀମାନଙ୍କୁ ଆକ୍ରମଣ କରିବାକୁ ଆହ୍ବାନ କରିଛନ୍ତି। ଆମେରିକା ତାଙ୍କ ବାପା ଓସାମାଙ୍କୁ ହତ୍ୟା କରିଥିବାରୁ ଏହାର ପ୍ରତିଶୋଧ ନେବା ଲାଗି ସେ ଷଡ଼ଯନ୍ତ୍ର କରୁଛନ୍ତି। ଏଥିରୁ ଜଣାପଡ଼ୁଛି ଯେ, ଅଲ ଜୱାହିରିଙ୍କ ପରେ ସେ ହିଁ ଅଲକାଏଦାର ଭାର ସମ୍ଭାଳିବେ। ତେଣୁ ତାଙ୍କୁ କଳା ତାଲିକାଭୁକ୍ତ କରାଯାଇଥିବା ୧୫ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି।
ସମସ୍ତ ରାଷ୍ଟ୍ର ବିଳମ୍ବ ନ କରି ହାଜମାଙ୍କ ସବୁ ବ୍ୟାଙ୍କ ଆକାଉଣ୍ଟ, ଆର୍ଥିକ ଉତ୍ସକୁ ଅଚଳ କରିଦେବା ପାଇଁ ସୁରକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ସେହିପରି ହାଜମାକୁ ନିଜ ଦେଶରେ ପ୍ରବେଶ କରାଇ ନ ଦେବାକୁ ରାଷ୍ଟ୍ରଗୁଡ଼ିକୁ ଜାତିସଂଘ ପରାମର୍ଶ ଦେଇଛି।



