ଉନ୍ନାଓ ମାମଲା: ଶଶି ସିଂହଙ୍କ ପୁଅ ବିରୋଧରେ ଏଫ୍ଆଇଆର୍
ଲକ୍ଷ୍ନୌ : ଉନ୍ନାଓ ଗଣବଳାତ୍କାର ମାମଲାରେ ସିବିଆଇ ଚତୁର୍ଥ ଏଫ୍ଆଇଆର୍(ଏତଲା) ରୁଜୁ କରିଛି। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ବିଜେପି ବିଧାୟକ କୁଳଦୀପ ସିଂହ ସେନଗର୍ଙ୍କ ଘନିଷ୍ଠ ବାନ୍ଧବୀ ଶଶି ସିଂହଙ୍କ ପୁଅ ଶୁଭମ୍ ସିଂହଙ୍କ ନାମରେ ଏହି ଏଫ୍ଆଇଆର୍ ରୁଜୁ ହୋଇଛି। ଶୁଭମ୍ ଘଟଣା ଦିନ ପୀଡ଼ିତାଙ୍କୁ ଘଟଣାସ୍ଥଳକୁ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ପୁଲିସ ସୋମବାର ଶଶି ସିଂହଙ୍କୁ ଗିରଫ କରି ୪ ଦିନ ପାଇଁ ହାଜତକୁ ନେଇଥିଲା। ପୀଡ଼ିତାଙ୍କୁ ଘଟଣାସ୍ଥଳକୁ ନେବାରେ ତାଙ୍କର ମଧ୍ୟ ଭୂମିକା ଥିବା ଅଭିଯୋଗ ରହିଛି। ଶଶି ଗତ ସପ୍ତାହରେ କହିଥିଲେ ପୀଡ଼ିତା ଜଣକ ଲୋକଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରନ୍ତି। ନ’ମାସ ପୂର୍ବେ ସେ ଶୁଭମ୍ଙ୍କ ବିରୋଧରେ ମିଥ୍ୟା ବଳାତ୍କାର ଅଭିଯୋଗ ଆଣିଥିଲେ। ଫଳରେ ଶୁଭମ୍କୁ କିଛି ଦିନ ଜେଲ୍ରେ ବିତାଇବାକୁ ପଡିଥିଲା। ଏବେ ସେ ବିଧାୟକ ସେନ୍ଗର୍ଙ୍କୁ ଫସାଇବାର ଉଦ୍ୟମ କରିଛନ୍ତି। ଅନ୍ୟପଟେ ପୁଲିସ ସୋମବାର ସେନଗର୍ଙ୍କ ସମେତ ଶଶିଙ୍କୁ ଘଟଣାସ୍ଥଳକୁ ନେଇ ତଦନ୍ତ କରିଛି। ସେମାନଙ୍କୁ ପୀଡ଼ିତାଙ୍କ ସହିତ ମୁହାଁମୁହିଁ ଜେରା କରାଯିବାର ସମ୍ଭାବନା ଥିବା ମଧ୍ୟ କୁହାଯାଉଛି। ଗତ ସପ୍ତାହରେ ସେନଗର୍ଙ୍କୁ ପୁଲିସ ୧୭ ଘଣ୍ଟା ଜେରା କରିବା ପରେ ଗିରଫ କରି ୭ ଦିନ ପାଇଁ ହାଜତକୁ ନେଇଥିଲା। ସେନ୍ଗର ଏବଂ ତାଙ୍କ ସହଯୋଗୀମାନେ ଗତବର୍ଷ ତାଙ୍କୁ ଗଣବଳାତ୍କାର କରିଥିବା ପୀଡ଼ିତା ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ବିଜେପି ନେତୃତ୍ୱାଧୀନ ସରକାର ଘଣ୍ଟ ଘୋଡାଉଥିବା ଅଭିଯୋଗ ହୋଇଥିଲା। ପରେ ହାଇକୋର୍ଟଙ୍କ ନିର୍ଦେଶ କ୍ରମେ ବିଧାୟକ ସେନଗରଙ୍କୁ ଗିରଫ କରାଯାଇଥିଲା।