www.samajalive.in
Sunday, December 14, 2025
19.1 C
Bhubaneswar

ମୂଳ ଦାବି ମାନିବାକୁ ୟୁକ୍ରେନ ରାଜି : ରୁଷ୍‌

କିଭ୍‍/ମସ୍କୋ : ତୁର୍କୀରେ ଚାଲିଥିବା ଦ୍ୱିପାକ୍ଷିକ ଆଲୋଚନାରେ ଅଂଶ ଗ୍ରହଣ କରିଥିବା ରୁଷ୍‍ ପ୍ରତିନିଧି ଦଳ ସୂଚନା ଦେଇଛନ୍ତି ଯେ ମସ୍କୋର ମୂଳ ଦାବିଗୁଡିକ ମାନିବାକୁ ୟୁକ୍ରେନ୍‍ ନିଜର ସହମତି ପ୍ରକାଶ କରିବା ଆରମ୍ଭ କରିଛି। କିନ୍ତୁ ଡୋନ୍‍ବାସ ଏବଂ କ୍ରିମିଆକୁ ନେଇ ରୁଷ୍‍ର ଆଭିମୁଖ୍ୟ ଅପରିବର୍ତ୍ତିତ ରହିଛି। ଅନ୍ୟପକ୍ଷରେ କ୍ରେମଲିନ୍‍ ପକ୍ଷରୁ ଏକ ସୂତ୍ରରୁ କୁହାଯାଇଛି ଯେ ରୁଷ୍‍-ୟୁକ୍ରେନ ଆଲୋଚନାରୁ ସେଭଳି କିଛି ପ୍ରଭାବୀ ଫଳାଫଳ ମିଳିନାହିଁ। ଆଗକୁ ଏଥିପାଇଁ ଲମ୍ବା ପ୍ରୟାସ ଜାରି ରହିବ ବୋଲି କ୍ରେମଲିନ୍‍ ମୁଖପାତ୍ର ଡିମିଟ୍ରି ପେସ୍କୋଭ କହିଛନ୍ତି। ରୁଷ୍‍ ଉପରେ କଟକଣା ଜାରି ପରେ ସେଠାରୁ ତୈଳ ଓ ଗ୍ୟାସ ନକିଣିବାକୁ ଆମେରିକା ଓ ଅନ୍ୟ କିଛି ରାଷ୍ଟ୍ର ଘୋଷଣା କରିବା ପରେ ରୁଷ୍‍ ତାହାଠାରୁ ତୈଳ ଓ ଗ୍ୟାସ୍‍ କିଣିଲେ ରୁବଲ୍‍ରେ ଦେୟ ପୈଠ କରିବା ଜିଦ୍‍ରେ ଅଟଳ ରହିଛି। ଏଭଳି ପରିସ୍ଥିତିରେ ଜର୍ମାନୀରେ ମହଜୁଦ ଗ୍ୟାସ୍‍ ଶେଷ ହୋଇଆସିବା ସହିତ ଗ୍ୟାସ୍‍ ଅଭାବ ପରିସ୍ଥିତି ସୃଷ୍ଟି ହେବା ଆରମ୍ଭ ହୋଇଛି। ରୁଷ୍‍ ଉପରେ କଟକଣା ପରିପ୍ରେକ୍ଷୀରେ ଭାରତ ଉକ୍ତ ରାଷ୍ଟ୍ରରୁ ତୁଳନାତ୍ମକ ଭାବରେ କମ୍‍ ମୂଲ୍ୟରେ ତୈଳ ଓ ଗ୍ୟାସ ଖରିଦ କରିବା ବିଷୟକୁ ଆମେରିକା ଓ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସମ୍ପ୍ରତି ନୂଆଦିଲ୍ଲୀ ଗସ୍ତରେ ଥିବା ଜର୍ମାନୀର ବୈଦେଶିକ ଓ ନିରାପତ୍ତା ପରାମର୍ଶଦାତା ଜେନ୍ସ ପ୍ଲୋଟ୍‍ନର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ୟୁକ୍ରେନ୍‍ ଉପରେ ଆକ୍ରମଣ କରି ରୁଷ୍‍ ଆନ୍ତର୍ଜାତିକ ସର୍ତ୍ତାବଳୀର ଖୋଲା ଉଲ୍ଲଂଘନ କରିଛି। ତେବେ ଯୁଦ୍ଧ ପରିସ୍ଥିତିରେ କୌଣସି ବନ୍ଧୁ ରାଷ୍ଟ୍ର ଯେଭଳି ଏଥିରୁ ଅର୍ଥନୈତିକ ଫାଇଦା ନଉଠାନ୍ତି ତାହା ସେମାନେ ଦେଖିବାକୁ ଚାହାନ୍ତି।
ଯୁଦ୍ଧକୁ ୩୫ ଦିନ ଅତିବାହିତ ହୋଇଥିବାବେଳେ ଆମେରିକାର ଜଣେ ବରିଷ୍ଠ ପରାମର୍ଶଦାତା ତଥା ମସ୍କୋ ବିରୋଧରେ ୱାଶିଂଟନର କଡା ଅର୍ଥନୈତିକ କଟକଣା ପଛରେ ଥିବା ମୁଖ୍ୟ ବ୍ୟକ୍ତି ଦାଲିପ ସିଂ ବୁଧବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ସେ ତାଙ୍କର ଦୁଇଦିନିଆ ଗସ୍ତ କାଳରେ ରୁଷ୍‍ର ଅନ୍ୟାୟୋଚିତ ଯୁଦ୍ଧ ଏବଂ ଏକ ଭାରତ-ପ୍ରଶାନ୍ତ ମହାସାଗରୀୟ ଅର୍ଥନୈତିକ ବ୍ୟବସ୍ଥାର ବିକାଶ ପ୍ରସଙ୍ଗରେ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ତାଙ୍କ ସହିତ ରୁଷ୍‍ର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭରୋଭ୍‍ ମଧ୍ୟ ଗୁରୁବାର ସନ୍ଧ୍ୟା ଅଥବା ଶୁକ୍ରବାର ସକାଳେ ନୂଆଦିଲ୍ଲୀ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି। ସେ ଦୁଇଦିନିଆ ଚୀନ ଗସ୍ତ ଶେଷକରି ଭାରତରେ ପହଞ୍ଚିବେ। ସେ ମଧ୍ୟ ୟୁକ୍ରେନ୍‍ ଉପରେ ରୁଷ୍‍ର ଆକ୍ରମଣ ପଛର ଯଥାଯଥ କାରଣ ଭାରତକୁ ଅବଗତ କରାଇବେ ବୋଲି କୁହାଯାଉଛି।
ୟୁକ୍ରେନ୍‍ରେ ଜନବସତି ଉପରେ ଆକ୍ରମଣ ହେଉନଥିବା ଦାବି କରୁଥିବା ରୁଷ୍‍ ସୈନ୍ୟମାନେ ମାରିଉପୋଲ୍‍ରେ ଥିବା ରେଡକ୍ରସ କୋଠା ଉପରେ ଆକ୍ରମଣ କରିଛନ୍ତି। ୟୁକ୍ରେନ୍‍ର ଲୋକପାଳ ଲ୍ୟୁଡମିଲା ଡେନିସୋଭା କହିଛନ୍ତି, ରୁଷ୍‍ର ବୋମାବର୍ଷୀ ବିମାନ ଏବଂ କମାଣରୁ ଉକ୍ତ କୋଠାକୁ ଲକ୍ଷ୍ୟ କରି ଘନ ଘନ ଆକ୍ରମଣ କରାଯାଇଛି। ଏହାଦ୍ୱାରା ରୁଷ୍‍ ଆଉ ଏକ ଯୁଦ୍ଧ ଅପରାଧ କରିଥିବା ଲ୍ୟୁଡମିଲା କହିଛନ୍ତି। ତେବେ ଏହି ଆକ୍ରମଣରେ ମୃତାହତଙ୍କ ସମ୍ପର୍କରେ ତୁରନ୍ତ କୌଣସି ତଥ୍ୟ ହସ୍ତଗତ ହୋଇପାରିନାହିଁ। ଏଥିସହିତ ରୁଷ୍‍ ପକ୍ଷରୁ ମାରିଉପୋଲ୍‍ ସହର ଉପରେ ବ୍ୟାପକ ଆକ୍ରମଣ କରାଯିବା ଦ୍ୱାରା ସହର ଧ୍ୱଂସସ୍ତୁପରେ ପରିଣତ ହୋଇଥିବା ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି। ରୁଷ୍‍ ସୈନ୍ୟମାନେ ଚେର୍ଣ୍ଣୋବିଲ୍‍ ପରମାଣୁ କେନ୍ଦ୍ର ନିକଟରେ ଅଧିକ ସଂଖ୍ୟାରେ ଠୁଳ ହେଉଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି। ପେଣ୍ଟାଗନ୍‍ର ପ୍ରେସ୍‍ ସଚିବ ଜନ୍‍ କିର୍ବି କହିଛନ୍ତି ଯେ କ୍ରେମଲିନ୍‍ କିଭ୍‍ ଅଥବା ଚେର୍ଣ୍ଣିହିଭ୍‍ ଉପରେ ସାମରିକ ଆକ୍ରମଣ ହ୍ରାସ କରିବା ନେଇ କହିଥିବା କଥାରେ କେହି ଭଳିଯିବା ଉଚିତ ନୁହେଁ। ଉପଗ୍ରହ ଚିତ୍ରରୁ ଜଣାଯାଇଛି ଯେ ମାତ୍ର ଅଳ୍ପକିଛି ରୁଷ୍‍ ସୈନ୍ୟ କିଭ୍‍ ଅଞ୍ଚଳ ଛାଡିଛନ୍ତି। କିନ୍ତୁ ଯାହା ଜଣାଯାଉଛି ସେମାନଙ୍କୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରାନଯାଇ ଅନ୍ୟତ୍ର ଅବସ୍ଥାପିତ କରାଯାଉଛି।
ଅନ୍ୟପକ୍ଷରେ ନରୱେ ପକ୍ଷରୁ ୟୁକ୍ରେନ୍‍କୁ ଅଧିକ ସଂଖ୍ୟାରେ ଟ୍ୟାଙ୍କ ବିଧ୍ୱଂସୀ ଅସ୍ତ୍ରଶସ୍ତ୍ର ପଠାଯାଇଛି। ଚେର୍ଣ୍ଣିହିଭ୍‍ର ଗଭର୍ଣ୍ଣର ଭାୟସସ୍ଲାଭ୍‍ ଚାଉସ୍‍ କହିଛନ୍ତି, ରୁଷ୍‍ ପକ୍ଷରୁ ବୁଧବାର ସକାଳେ ମଧ୍ୟ ଉତ୍ତର ୟୁକ୍ରେନରେ ଜୋରଦାର ଆକ୍ରମଣ କରାଯାଇଛି। ଉକ୍ତ ଅଞ୍ଚଳରୁ ସୈନ୍ୟ ହ୍ରାସ ସହିତ ଆକ୍ରମଣ ହ୍ରାସ ପାଇଁ ରୁଷ୍‍ ପ୍ରତିଶ୍ରୁତି ଦେବା ସତ୍ୱେ ଏହି ଅଞ୍ଚଳ ଉପରେ ଆକ୍ରମଣ ହୋଇଛି। ଏଥିରୁ ରୁଷ୍‍ ବରାବର ମିଛ କହୁଥିବା ପ୍ରମାଣିତ ହୋଇଛି। ୟୁକ୍ରେନ୍‍ କହିଛି ଯେ ରୁଷ୍‍ ସୈନ୍ୟମାନେ କୃଷ୍ଣ ସାଗରରେ ମାଇନ୍‍ ବିଛାଇବାରେ ଲାଗିଛନ୍ତି। ଏଥିଯୋଗୁଁ ଉକ୍ତ ଅଞ୍ଚଳରେ ଚଳାଚଳ କରୁଥିବା ପଣ୍ୟବାହୀ ଜାହାଜଗୁଡିକ ପ୍ରତି ବିପଦ ସୃଷ୍ଟି ହୋଇଛି। ଇତିମଧ୍ୟରେ ତୁର୍କୀ ଓ ରୋମାନିଆ କିଛି ମାଇନ୍‍କୁ ନିଷ୍କ୍ରିୟ କରିସାରିଛନ୍ତି। କୃଷ୍ଣ ସାଗର ଜଳରାଶି ବୁଲଗାରିଆ, ରୋମାନିଆ, ଜର୍ଜିଆ ଏବଂ ତୁର୍କୀ ସମେତ ୟୁକ୍ରେନ୍‍ ଓ ରୁଷ୍‍କୁ ଲାଗିଛି। ଏହି ବାଟଦେଇ ମୁଖ୍ୟତଃ ଶସ୍ୟ, ତୈଳ ଓ ତୈଳଜାତ ସାମଗ୍ରୀ ପରିବହନ କରାଯାଇଥାଏ। କିନ୍ତୁ ରୁଷ୍‍ ପକ୍ଷରୁ ଫେବୃଆରୀ ୨୪ରେ ୟୁକ୍ରେନ୍‍ ଉପରେ ଆକ୍ରମଣ କରାଯିବା ଦିନଠାରୁ ଏହି ଜଳଭାଗକୁ ନିଜ ନିୟନ୍ତ୍ରଣରେ ରଖାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories