www.samajalive.in
Wednesday, December 10, 2025
16.1 C
Bhubaneswar

ପୂରିଲା ୧୦୦ ଦିନ, କେବେ ସରିବ ଯୁଦ୍ଧ

କିଭ୍‍/ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ପୂରଣ ହୋଇଛି। ଏହି ଶହେଦିନ ମଧ୍ୟରେ ରୁଷର ଜଳ, ସ୍ଥଳ ଓ ଆକାଶି ଆକ୍ରମଣରେ ୟୁକ୍ରେନ ଧ୍ୱଂସସ୍ତୁପ ପାଲଟିଛି। ଉଭୟ ପକ୍ଷରୁ ବହୁ ସୈନ୍ୟ ମୃତାହତ ହେଲେଣି। ୟୁକ୍ରେନର ଲକ୍ଷ ଲକ୍ଷ ନାଗରିକ ଦେଶଛାଡି ଅନ୍ୟତ୍ର ଶରଣାର୍ଥୀ ଜୀବନ ବିତାଉଥିବାବେଳେ ଦେଶ ଭିତରେ ରହିଯାଇଥିବା ନାଗରିକଙ୍କ ଜୀବନ ଦୁର୍ବିସହ ପାଲଟିଛି। ଯୁଦ୍ଧରେ ୟୁକ୍ରେନର ଶତାଧିକ ଶିଶୁଙ୍କ ସମେତ ହଜାର ହଜାର ସାଧାରଣ ନାଗରିକଙ୍କର ପ୍ରାଣହାନି ଘଟିଛି। ଅନେକ ଏବେ ବିନା ବିଦ୍ୟୁତ, ପାଣି, ଖାଦ୍ୟ, ଔଷଧରେ କାଳାତିପାତ କରୁଛନ୍ତି। ଏହାସତ୍ତ୍ବେ ରୁଷର ଆକ୍ରମଣ ଚାଲିଛି। ନିଜର ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିବ ବୋଲି ରୁଷ ପଣ କରିଛି। କ୍ରେମଲିନ ମୁଖପାତ୍ର ଡିମିତ୍ରି ପେସକୋଭ କହିଛନ୍ତି, ୟୁକ୍ରେନ ବିରୋଧରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନର ମୂଳ ଉଦ୍ଦେଶ୍ୟ ହେଉଚି ଡନେସ୍କ ଏବଂ ଲୁହାନସ୍କ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷା ପ୍ରଦାନ କରିବା। ଏ କ୍ଷେତ୍ରରେ କିଛିଟା ସଫଳତା ମିଳିଛି। ତେବେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ୧୦୦ ଦିନ ମଧ୍ୟରେ ରୁଷ ସୈନ୍ୟ ମାତ୍ର ୨୦% ୟୁକ୍ରେନ ଅଞ୍ଚଳକୁ ଦଖଲ କରିବାରେ ସମର୍ଥ ହୋଇଛନ୍ତି। ସେ କହିଛନ୍ତି, ପରିଶେଷରେ ଏହି ଯୁଦ୍ଧରେ ୟୁକ୍ରେନର ବିଜୟ ହେବ। ତାଙ୍କ ଦେଶର ସୈନ୍ୟମାନେ ରୁଷ ଆକ୍ରମଣର କଡା ଜବାବ ଦେଉଛନ୍ତି ଏବଂ ସେମାନେ ଦେଶକୁ ସୁରକ୍ଷା ଦେବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଜାତିସଂଘ ପକ୍ଷରୁ କୁହାଯାଇଛି ଯେ ଏହି ଯୁଦ୍ଧରେ କେହି ବିଜେତା ହେବେନାହିଁ। ବରଂ ଏହି ୧୦୦ ଦିନ ମଧ୍ୟରେ ଅନେକ ଜୀବନ ନଷ୍ଟ ହୋଇଯାଇଛି, ଘରଦ୍ୱାର, ସମ୍ପତ୍ତି, ଚାକିରି ଏବଂ ଅଭିବୃଦ୍ଧି ସମ୍ଭାବନା ଧୂଳିସାତ୍‍ ହୋଇଛି। ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୟୁକ୍ରେନ ଉପରେ ରୁଷ ଆକ୍ରମଣର ୧୦୦ ଦିନ ପୂରଣ ହୋଇଥିବାବେଳେ ମସ୍କୋ କିଭ୍‍ ଦଖଲ ନିମନ୍ତେ ରଖିଥିବା ତାହାର ମୂଳ ଲକ୍ଷ୍ୟ ହାସଲରେ ବିଫଳ ହୋଇଛି।

ଯୁଦ୍ଧ ପରିସ୍ଥିତିରେ ୟୁକ୍ରେନର ସର୍ବାଧିକ ସଂଖ୍ୟକ ନାଗରିକଙ୍କୁ ପୋଲାଣ୍ଡ ଆଶ୍ରୟ ଦେଇଥିବା ଜଣାଯାଇଛି। ୟୁରୋଷ୍ଟାଟ୍‍ ତଥ୍ୟରୁ ଜଣାଯାଇଛି ଯେ ଗତ ମାର୍ଚ୍ଚରେ ପୋଲାଣ୍ଡ ୬୭୫,୦୮୫ ଜଣ ୟୁକ୍ରେନ ନାଗରିକଙ୍କୁ ଅସ୍ଥାୟୀ ଭାବରେ ସୁରକ୍ଷା ମାନ୍ୟତା ପ୍ରଦାନ କରିଥିବାବେଳେ ଚେକ୍‍ ସାଧାରଣତନ୍ତ୍ର ୨୪୪,୬୫୦ ଏବଂ ସ୍ଲୋଭାକିଆ ୫୮,୭୫୦ ଜଣଙ୍କୁ ଆଶ୍ରୟ ଦେଇଛି। ଇତିମଧ୍ୟରେ ୟୁକ୍ରେନ ପକ୍ଷରୁ ଦାବି କରାଯାଇଛି ଯେ ରୁଷ ସୈନ୍ୟମାନେ ୟୁକ୍ରେନରୁ ଚୋରି କରିନେଉଥିବା ଗହମକୁ ତୁର୍କୀର କ୍ରେତାମାନେ ଖରିଦ କରୁଛନ୍ତି। ଏଥିସହିତ ସେମାନଙ୍କୁ ଚିହ୍ନଟ କରି ଧରିବାକୁ ଆଙ୍କାରାରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଭାସିଲ ବୋଡ୍‍ନାର ଦାବି ଜଣାଇଛନ୍ତି। ସେ କହିଛନ୍ତି ଯେ ରୁଷ ନିଲ୍ଲଜ ଭାବରେ ୟୁକ୍ରେନରୁ ଗହମ ଚୋରାଇ ତାହାକୁ କ୍ରିମିଆକୁ ସ୍ଥାନାନ୍ତର କରୁଛି। ତାହାପରେ ଉକ୍ତ ଗହମକୁ ସେଠାରୁ ତୁର୍କୀ ସମେତ ଅନ୍ୟ ରାଷ୍ଟ୍ରଗୁଡିକୁ ଜାହାଜରେ ପଠାଯାଉଛି। ଆମେରିକା ଏବଂ ତାହାର ମିତ୍ର ରାଷ୍ଟ୍ରଗୁଡିକ ରୁଷକୁ ଯୁଦ୍ଧ ଅପରାଧ ନିମନ୍ତେ ଦାୟୀ କରିବାକୁ ଶପଥ ନେଇଛନ୍ତି। ଆମେରିକାର ବୈଦେଶିକ ବିଭାଗର ଅଣ୍ଡର ସେକ୍ରେଟାରୀ ଉଜରା ଜିୟା ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକରେ କହିଛନ୍ତି ଯେ ରୁଷ ସୈନ୍ୟମାନେ ୧୦୦ ଦିନ ଧରି ୟୁକ୍ରେନରେ ଯେଉଁଭଳି ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ କରିଛନ୍ତି, ସେଥିପାଇଁ ସେମାନଙ୍କୁ ଦାୟୀ କରାଯିବା ବ୍ୟବସ୍ଥାକୁ ସୁଦୃଢ କରିବା ଏବଂ ୟୁକ୍ରେନକୁ ନ୍ୟାୟ ପ୍ରଦାନ କରିବାକୁ ହେବ। ଏଥିସହିତ ଆମେରିକା ପକ୍ଷରୁ ରୁଷ ଓ ବେଲାରୁଷର ୭୧ଟି ସଂସ୍ଥାକୁ ବାଣିଜ୍ୟ କ୍ଷେତ୍ରରେ କଳାତାଲିକାଭୁକ୍ତ କରାଯାଇଛି। ସେଥିରେ ବହୁ ବିମାନ ନିର୍ମାଣ ଓ ଜାହାଜ ନିର୍ମାଣ ତଥା ଗବେଷଣା ପ୍ରତିଷ୍ଠାନ ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories