www.samajalive.in
Thursday, December 11, 2025
18.1 C
Bhubaneswar

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ପ୍ରଶ୍ନ : ମହାକାଶର ଅଧିକାରୀ କିଏ ?

ନୂଆଦିଲ୍ଲୀ : ରୁଷିଆ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଏବେ ପ୍ରଶ୍ନ ଉଠିଛି ଯେ ମହାକାଶର ଶାସନ ଅଧିକାରୀ କିଏ? ଏହି ଯୁଦ୍ଧକୁ ନେଇ ରୁଷ୍ିଆ ସହିତ ଆମେରିକା ମୁହାଁମୁହିଁ ହୋଇଛି । ଉଭୟ ରାଷ୍ଟ୍ର ପରସ୍ପର ଉପରେ କଟକଣା ଲାଗୁ କରିଛନ୍ତି। ମହାକାଶ ଉପରେ ଅଧିକାର ଜାହିର କରିଆସୁଥିବା ବିଶ୍ବର ଏହି ଦୁଇ ଶକ୍ତିଶାଳୀ ରାଷ୍ଟ୍ରର କୂଟନୈତିକ ଲଢେଇ ଏବେ ପୃଥିବୀ ବାହାରକୁ ଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ସାମରିକ ଆଧୁନିକୀକରଣକୁ ବନ୍ଦ କରିବା ଲାଗି କଟକଣା ଲାଗୁ କରିଛନ୍ତି। ଏହାର ଜବାବ ଦେବାକୁ ଯାଇ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଆମେରିକାର ମହାକାଶ କମ୍ପାନୀଗୁଡିକୁ ରକେଟ୍ ଇଞ୍ଜିନ ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକା ଓ ରୁଷିଆର ସହଯୋଗରେ ନିର୍ମିତ ହୋଇଥିବା ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ଅଧିକାରକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦୀର୍ଘ ୩୦ବର୍ଷ ହେଲା ଦୁଇ ଦେଶ ମହାକାଶ କେନ୍ଦ୍ରକୁ ମିଳିତ ସହଯୋଗରେ ଚଳାଇ ଆସୁଥିବାବେଳେ ଏବେ ରୁଷିଆ ଏଥିରୁ ଓହରି ଯିବାକୁ ଧମକ ଦେଇଛି। ତେବେ ଆମେରିକାର ମହାକାଶ କେନ୍ଦ୍ର ନାସା କହିଛି ଯେ କୌଣସି ରାଷ୍ଟ୍ର ସହଜରେ ମହାକାଶ କାର୍ଯ୍ୟରୁ ନିଜକୁ ଦୂରେଇ ଦେଇପାରିବେ ନାହିଁ। ଏପରି ବାଦ ବିବାଦ ମଧ୍ୟରେ ମହାକାଶର ପ୍ରକୃତ ଶାସକ ବା ନିୟନ୍ତ୍ରକ କିଏ ତାକୁ ନେଇ ପ୍ରଶ୍ନ ଉଠିଛି।
ପୃଥିବୀ ପରି ମହାକାଶକୁ ପରିଚାଳନା ପାଇଁ ଆଇନ ରହିଛି। ୧୯୬୭ରେ ଆଉଟର ସ୍ପେସ୍ ଟ୍ରିଟି ନାମରେ ଆନ୍ତର୍ଜାତିକ ମହାକାଶ ଆଇନ ପ୍ରଣୟନ ହୋଇଥିଲା। ରୁଷିଆ, ଆମେରିକା ସମେତ ବିଭିନ୍ନ ରାଷ୍ଟ୍ର ଏକାଠି ହୋଇ ଏହି ଆଇନ ତିଆରି କରିଥିଲେ। ତେବେ ରୁଷିଆ, ଆମେରିକା ଓ ବ୍ରିଟେନ ଏହି ଚୁକ୍ତିର ଡିପୋଜିଟୋରୀ ଗଭର୍ଣ୍ଣମେଣ୍ଟ (ଆନ୍ତର୍ଜାତିକ ଚୁକ୍ତି କରିଥିବା ସଂସ୍ଥା ବା ସରକାର) ରହିଥିଲେ। ପରବର୍ତ୍ତୀ ସମୟରେ ମହାକାଶ ପରିଚାଳନା ସମ୍ପର୍କରେ ୫ଟି ବହୁପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ତେବେ ଏହିସବୁ ଚୁକ୍ତିରେ ରହିଥିବା ମୂଳ ନିୟମଗୁଡିକ ହେଲା ୧- ମହାକାଶର ବ୍ୟବହାର ଓ ନୂଆ ଆବିଷ୍କାର ସମସ୍ତ ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ କରାଯିବ ଓ ଏହା ସମସ୍ତ ମାନବଜାତିର ପ୍ରଦେଶ ହେବ। ୨- ମହାକାଶର ବାହ୍ୟଜଗତ ସମସ୍ତ ରାଷ୍ଟ୍ରର ଗବେଷଣା ଓ ବ୍ୟବହାର ପାଇଁ ମୁକ୍ତ। ୩-କୌଣସି ରାଷ୍ଟ୍ର ଆଣବିକ ଅସ୍ତ୍ର କିମ୍ବା ଅନ୍ୟ ଅସ୍ତ୍ରକୁ ମହାକାଶର କୌଣସି କକ୍ଷପଥରେ ସ୍ଥାନୀତ କରିପାରିବେ ନାହିଁ। ମହକାଶରେ ଥିବା ଗ୍ରହ, ନକ୍ଷତ୍ର କିମ୍ବା ଅନ୍ୟ କୃତ୍ରିମ ମହାକାଶକେନ୍ଦ୍ରରେ ପୃଥିବୀ ଧ୍ବଂସ ଉଦ୍ଦେଶ୍ୟରେ ଅସ୍ତ୍ର ସ୍ଥାପନ କରାଯାଇପାରିବ ନାହିଁ। ୪-ଚନ୍ଦ୍ର ଓ ଅନ୍ୟ ଗ୍ରହ ନକ୍ଷତ୍ରକୁ କେବଳ ପୃଥିବୀର ଶାନ୍ତି ପୂର୍ଣ୍ଣ କାର୍ଯ୍ୟ ଲାଗି ବ୍ୟବହାର କରାଯାଇପାରିବ। ୫-ମହାକାଶକୁ ଯାତ୍ରା କରୁଥିବା ପ୍ରତ୍ୟେକ ମହାକାଶଚାରୀଙ୍କୁ ମାନବଜାତିର ଦୂତ ବୋଲି ବିବେଚନା କରାଯିବ। ମହାକାଶଚାରୀ ଯେକୌଣସି ରାଷ୍ଟ୍ରର ହୋଇଥାନ୍ତୁ ନା’ କାହିଁକି ତାଙ୍କୁ ପ୍ରତ୍ୟେକ ରାଷ୍ଟ୍ର ଶ୍ରଦ୍ଧା, ସମ୍ମାନ ଓ ସହଯୋଗ କରିବାକୁ ପ୍ରୟାସ କରିବେ। ୬-ସରକାରୀ ଓ ବେସରକାରୀ ସଂସ୍ଥା କରୁଥିବା ମହାକାଶ କାର୍ଯ୍ୟକଳାପ ପାଇଁ ସମ୍ପୃକ୍ତ ରାଷ୍ଟ୍ରର ସରକାର ଦାୟୀ ରହିବେ। ୭- କୌଣସି ରାଷ୍ଟ୍ର ମହାକାଶକୁ ପ୍ରେରଣ କରିଥିବା ମହାକାଶ ଯାନ କିମ୍ବା ଅନ୍ୟ ଯନ୍ତ୍ରାଂଶ ଜନିତ କ୍ଷତି ପାଇଁ ତାର ସରକାର ଦାୟୀ ରହିବେ। ୮-ମହାକାଶ ଓ ମହାକାଶର ଗ୍ରହ ଉପଗ୍ରହକୁ କ୍ଷତି ପହଞ୍ଚାଇବା ଭଳି କାର୍ଯ୍ୟରୁ ସମସ୍ତ ରାଷ୍ଟ୍ର ଦୂରେଇ ରହିବେ। ତେଣୁ ମହାକାଶ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରର ସହଯୋଗରେ ପରିଚାଳିତ ହୋଇଥାଏ। ମହାକାଶ ସମ୍ପର୍କରେ ଅଧିକ ତଥ୍ୟ ହାସଲ ପାଇଁ ସମସ୍ତ ରାଷ୍ଟ୍ର ମତଭେଦ ଭୁଲି କାର୍ଯ୍ୟ କରିବା ଦରକାର। କୌଣସି ରାଷ୍ଟ୍ର ମହାକାଶରେ ଏକାକୀ କାର୍ଯ୍ୟ କରିପାରିବ ନାହିଁ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories