ନୂଆଦିଲ୍ଲୀ : ଦେଶର ଅନେକ ଭାଗରେ ଶୁକ୍ରବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ବସନ୍ତର ପ୍ରାରମ୍ଭରେ ପାଳନ କରାଯାଉଥିବା ଏହି ପର୍ବରେ ଲୋକମାନେ ପରସ୍ପର ମଧ୍ୟରେ ରଙ୍ଗ ଲଗାଇ, ମିଷ୍ଟାନ୍ନ ବଣ୍ଟନ କରିବା ସହିତ ଆନନ୍ଦ ଉଲ୍ଲାସରେ ନାଚଗୀତ କରୁଥିବା ଦେଖିବାକୁ ମିଳୁଛି । ବିଶେଷ କରି ଉତ୍ତର ଭାରତରେ ଧୁମଧାମରେ ହୋଲି ପାଳନ କରାଯାଉଛି।
ହୋଲି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଏହି ପର୍ବ ସାମାଜିକ ସମାନତା ଓ ଭାଇଚାରାର ଏକ ଉଦାହରଣ । ଏହି ପର୍ବ ଦେଶବାସୀଙ୍କ ମଧ୍ୟରେ ଦେଶ ଗଠନ ଲାଗି ସକରାତ୍ମକ ଶକ୍ତିକୁ ବିକାଶ କରିବା ପାଇଁ ପ୍ରେରଣା ଦେବ ବୋଲି ସେ ଆଶା କରିଛନ୍ତି ।
ଉପରାଷ୍ଟ୍ରପତି କହିଛନ୍ତି, ହୋଲି ପର୍ବ ପରିବାର ଓ ବନ୍ଧୁମାନଙ୍କୁ ଏକାଠି କରିବାର ସୁଯୋଗ ସୃଷ୍ଟି କରିଥାଏ। ଏହି ପର୍ବ ଦେଶବାସୀଙ୍କ ମଧ୍ୟରେ ଶାନ୍ତି, ମୈତ୍ରୀ, ସମୃଦ୍ଧି ଓ ଖୁସି ଆଣିଦେଉ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।
ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ଡାକ୍ତରମାନେ ଏହି ପର୍ବ ପାଳନ ବେଳେ କୋଭିଡ୍ କଟକଣାକୁ ମାନିବାକୁ ପରାମର୍ଶ ଦେବା ସହିତ ରଙ୍ଗ ଖେଳିଲା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ କହିଛନ୍ତି ।



