କେରଳ ବନ୍ୟା: ୭୦୦ କୋଟି ଦେବ ୟୁଏଇ

0

ତିରୁଅନନ୍ତପୁରମ୍‍: କେରଳ ବନ୍ୟା ପ୍ରପୀଡ଼ିତଙ୍କ ସହାୟତା ଏବଂ ରିଲିଫ୍‍ ପାଇଁ ସଂଯୁକ୍ତ ଆରବ ଇମିରେଟ୍ସ (ୟୁଏଇ) ୭୦୦ କୋଟି ଟଙ୍କା ଦେବାକୁ ଘୋଷଣା କରିଛି। କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି ଯେ ରିଲିଫ୍‍ କାର୍ଯ୍ୟ ନେଇ ଅଗଷ୍ଟ ୩୦ରେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବ। କେରଳ କ୍ୟାବିନେଟ୍‍ ଏନେଇ ରାଜ୍ୟପାଳଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି। ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବେ। ଏହି ସ୍ୱତନ୍ତ୍ର ଅଧିବେଶନରେ ବନ୍ୟା ପ୍ରପୀଡ଼ିତଙ୍କ ସହାୟତା, ପୁନରୁଦ୍ଧାର ଏବଂ ଥଇଥାନ କାର୍ଯ୍ୟ ନେଇ ଆଲୋଚନା କରାଯିବ। ଏନେଇ ମଙ୍ଗଳବାର ସନ୍ଧ୍ୟାରେ କେରଳ ମୁଖ୍ୟମନ୍ତ୍ରୀ ଏକ ସର୍ବ ଦଳୀୟ ବୈଠକ ଡାକିଛନ୍ତି। ଏପଟେ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ବିଭିନ୍ନ ପ୍ରାନ୍ତରୁ ସହାୟତା ଆସିବାରେ ଲାଗିଛି। ଗତ ଶନିବାର ୟୁଏଇ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଏବଂ ଦୁବାଇ ଶାସକ ସେଖ୍‍ ମହମ୍ମଦ ବିନ୍‍ ରସିଦ୍‍ ତୁରନ୍ତ ଜାତୀୟ ଜରୁରୀକାଳୀନ କମିଟି ଗଠନ କରି କେରଳ ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଥିଲେ। ଏହାସହ ଦୁବାଇ ଶାସକ ସେଖ ମହମ୍ମଦ ବିନ୍‍ ରସିଦ୍‍ କେରଳ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଦାନ କରିବାକୁ ଟ୍ୱିଟ୍‍ରରେ ୟୁଏଇବାସୀଙ୍କୁ ଆହ୍ୱାନ ଦେଇଥିଲେ। ସେ ଲେଖିଥିଲେ ଯେ ୟୁଏଇ ସଫଳତାରେ ସର୍ବଦା କେରଳବାସୀ ଅଂଶୀଦାର ରହିଛନ୍ତି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିରେ ସେମାନଙ୍କୁ ସହାୟତା ପ୍ରଦାନ କରିବା ଆମର କର୍ତ୍ତବ୍ୟ। ସେଖ୍‍ ମହମ୍ମଦଙ୍କ ଟ୍ୱିଟ୍‍ର ପ୍ରତିଉତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଗତ ସପ୍ତାହରେ କେରଳ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆକାଶ ମାର୍ଗରୁ କେରଳ ବନ୍ୟାଞ୍ଚଳ ପରିଦର୍ଶନ କରିଥିଲେ। କେରଳ ବନ୍ୟା ପ୍ରପୀଡ଼ିତଙ୍କ ତତ୍କାଳ ସହାୟତା ପାଇଁ ସେ ୫୦୦ କୋଟି ଟଙ୍କା ଘୋଷଣା କରିଥିଲେ। ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ କେରଳ ପାଇଁ ୧୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ବନ୍ୟାରେ ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ବାସଗୃହ ହରାଇଥିବା ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। କେରଳ ବନ୍ୟାରେ ୧୯,୫୧୨ କୋଟି ଟଙ୍କାର କ୍ଷତି ଘଟିଛି ବୋଲି ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କହିଛନ୍ତି। ବନ୍ୟାରେ କ୍ଷତିଗ୍ରସ୍ତ ୮୩,୦୦୦ କିଲୋମିଟର ରାସ୍ତାର ମରାମତି ଓ କେତକ ରାସ୍ତାର ପୁନଃ ନିର୍ମାଣ ପାଇଁ ୧୩,୦୦୦ କୋଟି ଟଙ୍କା ଆବଶ୍ୟକ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply