ଭୁବନେଶ୍ୱର: ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି(ଏସ୍ସି) ଏବଂ ଅନୁସୂଚିତ ଜନଜାତି(ଏସ୍ଟି) କଲ୍ୟାଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଓଡ଼ିଶା ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଆନୁଷ୍ଠାନିକ ଭାବେ ସମ୍ମିଳନୀକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିବେ ବୋଲି ବାଚସ୍ପତି ସୁରମା ପାଢ଼ୀ ସୂଚନା ଦେଇଛନ୍ତି। ଏଥିପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଦୀର୍ଘ ବର୍ଷର ବ୍ୟବଧାନ ପରେ ଓଡ଼ିଶାରେ ଏହି ଜାତୀୟ ସମ୍ମିଳନୀ ପ୍ରଥମଥର ପାଇଁ ଅନୁଷ୍ଠିତ ହେଉଛି।
ଅନ୍ୟ ସମସ୍ତ ରାଜ୍ୟକୁ ଓଡ଼ିଶାର ଏସ୍ସି ଓ ଏସ୍ଟି ସମ୍ପ୍ରଦାୟଙ୍କ ଚାଲିଚଳଣି, ପୋଷାକ ପରିଧାନ, କାର୍ଯ୍ୟକୁଶଳତା, କାରିଗରୀ ବିଦ୍ୟା, ହସ୍ତଶିଳ୍ପ ସମ୍ପର୍କରେ ଅବଗତ କରାଇବା ପାଇଁ ଏକ ଦୁଇଦିନିଆ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଉଛି। ଓଡ଼ିଶାର ଐତିହ୍ୟ, ସଂସ୍କୃତି, ନୃତ୍ୟ-ସଙ୍ଗୀତ, ଚାରୁକଳା, କାରୁକଳା ସହିତ ଆଗନ୍ତୁକଙ୍କୁ ପରିଚିତ କରାଇବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଅତିଥିଙ୍କୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ, କୋଣାର୍କ, ଜନଜାତି ସଂଗ୍ରହାଳୟ ଆଦି ବୁଲାଇ ଦେଖାଇବାର ମଧ୍ୟ ବ୍ୟବସ୍ଥା କରାଯାଇଛି। ଭିନ୍ନ ଭିନ୍ନ ରାଜ୍ୟରେ ରହିଥିବା ସଂସଦୀୟ ପରମ୍ପରା, କଲ୍ୟାଣମୂଳକ କାର୍ଯ୍ୟ ସମ୍ପର୍କିତ ଭାବର ଆଦାନପ୍ରଦାନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ଏବଂ ଏସ୍ସି ଓ ଏସ୍ଟି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ ଏହି ସମାବେଶକୁ ସମ୍ବୋଧିତ କରିବେ।
ଉଦ୍ଘାଟନ ଅଧିବେଶନରେ ବିଧାନସଭାର ବାଚସ୍ପତି ସ୍ୱାଗତ ଭାଷଣ ଏବଂ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଧନ୍ୟବାଦ ଦେବେ। ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଏସ୍ସି ଓ ଏସ୍ଟି, ବିକାଶ ଏବଂ ସଶକ୍ତୀକରଣରେ ସଂସଦୀୟ ଏବଂ ବିଧାନସଭା କମିଟିର ଭୂମିକା’। ୩୦ରେ ଆୟୋଜିତ ହେବାକୁ ଥିବା ଉଦ୍ଯାପନ ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟିି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ, ଏସ୍ସି ଓ ଏସ୍ଟି କଲ୍ୟାଣ ସଂସଦୀୟ କମିଟିର ଅଧ୍ୟକ୍ଷ ଡ. ଫଗନ ସିଂହ କୁଲସ୍ତେ, ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ପାଢ଼ୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଉଦ୍ବୋଧନ ଦେବେ। ଓଡ଼ିଶା ବିଧାନସଭାର ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି କଲ୍ୟାଣ କମିଟିର ଅଧ୍ୟକ୍ଷ ଭାସ୍କର ମଢ଼େଇ ଧନ୍ୟବାଦ ପ୍ରସ୍ତାବ ଆଗତ କରିବେ।
ଏହି ସମ୍ମିଳନୀରେ ସାମ୍ବିଧାନିକ ସୁରକ୍ଷାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ବୃଦ୍ଧି କରିବା ଏବଂ ଅନୁସୂଚିତ ଜାତି ଏବଂ ଜନଜାତିକୁ ସଶକ୍ତ କରିବା ପାଇଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗ୍ରହଣ କରିଥିବା କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯିବ। ୨୦୪୭ ସୁଦ୍ଧା ଏକ ବିକଶିତ ଭାରତର ଲକ୍ଷ୍ୟ ସାକାର କରିବାର ଦୃଷ୍ଟିକୋଣ ସହିତ କଲ୍ୟାଣକାରୀ ନୀତିଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନସଭା କମିଟିଗୁଡ଼ିକର ଭୂମିକା ଉପରେ ଗୁରୁତ୍ୱ ଦିଆଯିବ। ସମ୍ମିଳନୀରେ ବିଧାନସଭାର ସଚିବ ସତ୍ୟବ୍ରତ ରାଉତ ଉପସ୍ଥିତ ଥିଲେ।



